ଭୁବନେଶ୍ୱର : ଶିକ୍ଷାନୁଷ୍ଠାନଗୁଡିକରେ ନିଶାର ପ୍ରସାର ବଢି ବଢି ଚାଲିବା ଘଟଣା ପରିବାର ପରିଜନଙ୍କ ଠାରୁ ଆରମ୍ଭ କରି ପୁଲିସ୍ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ନିରାକରଣ ଲାଗି ଏବେ କମିଶନରେଟ ପୁଲିସ୍ ସମେତ ବିଭିନ୍ନ ଜିଲ୍ଲାରେ ବି କାର୍ଯ୍ୟକ୍ରମ ଚାଲିଛି ।
ବିଶେଷକରି ବୈଷୟିକ କଲେଜଗୁଡିକରେ ମଦ ସମେତ ବ୍ରାଉନସୁଗାର, ଚରସ, ହେରୋଇନ୍, କୋକେନ, ଗଞ୍ଜେଇ, ସିଗାରେଟ ଆଦିର ପ୍ରସାର ଉଦବେଗଜନକ ଭାବେ ବଢୁଛି । ଏଥିଯୋଗୁଁ ଉଚ୍ଚଶିକ୍ଷା ଲାଭ କରିବାକୁ ଆସୁଥିବା କିଛି ଛାତ୍ରଛାତ୍ରୀ ଅପରାଧ ଦୁନିଆରେ ପାଦ ଥାପୁଛନ୍ତି । ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ କିଛିଦିନ ଧରି କମିଶନରେଟ ପୁଲିସ୍ ପକ୍ଷରୁ ବିଭିନ୍ନ କ୍ୟାମ୍ପସରେ ସଚେତନତା କାର୍ଯ୍ୟକ୍ରମ ସହିତ ନିଶାଡି ଓ ନିଶା ବେପାରୀଙ୍କୁ ଧରିବା ଅଭିଯାନକୁ ବ୍ୟାପକ କରାଯାଇଛି ।
ବିଶ୍ୱବିଦ୍ୟାଳୟରେ ନିଶାର ପ୍ରସାର ଘେନି ଛାତ୍ରଛାତ୍ରୀମାନେ କେତେକ ପ୍ରଫେସରଙ୍କ ବିରୁଦ୍ଧରେ ବି ଖୋଲା ଅଭିଯୋଗ ଆଣିଛନ୍ତି । ଶିକ୍ଷକମାନଙ୍କ ସମ୍ପର୍କରେ ମୂଲ୍ୟାଙ୍କନ ଲାଗି ଛାତ୍ରଛାତ୍ରୀମାନଙ୍କୁ ଯେଉଁ ସୁଯୋଗ ଦିଆଯାଇଛି ତାହାର ଉପଯୋଗକରି ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟର ପିଲାମାନେ ଏଭଳି ତଥ୍ୟ ସରକାରଙ୍କୁ ଦେଇଛନ୍ତି । ଏହା ଜାଣିବାପରେ ଉଚ୍ଚଶିକ୍ଷା ବିଭାଗର ରକ୍ତଚାପ ବଢିଯାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ସ୍ପଷ୍ଟିକରଣ ମଗାଯାଇଥିବା ଜଣାପଡିଛି । ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟଗୁଡିକର ଛାତ୍ରାବାସରୁ ଅଣଛାତ୍ରଙ୍କୁ ତଡିବାପାଇଁ ତନଖି ଚାଲିବାବେଳେ ବସ୍ତା ବସ୍ତା ମଦବୋତଲ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ପୂର୍ବରୁ ମଧ୍ୟ ଜବତ ହୋଇଛି ।
ନିକଟରେ ଅବିଭକ୍ତ କଟକ ଜିଲ୍ଲାର ଏକ କଲେଜ ଛାତ୍ରୀ ନିବାସରେ ସିଗାରେଟ ଟାଣିବା ଅଭିଯୋଗରେ ଦୁଇଜଣ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ବିଦା କରାଯାଇଥିବା ଜଣାପଡିଛି । ଏମିତିକି ଖୋଦ ରାଜଧାନୀରେ ବିଳମ୍ବିତ ରାତ୍ରୀରେ ନିଶାଗ୍ରସ୍ତ କିଛି ଛାତ୍ରଛାତ୍ରୀ ତୁମୁଳ କାଣ୍ଡ ଘଟାଇ ଧରାପଡିବା ଉଦାହରଣ ବି ରହିଛି ।
ନିକଟରେ ରାଜଧାନୀର ଏକ କଲେଜର ଜଣେ ଛାତ୍ରୀଙ୍କ ମୃତ ଦେହ ଏକ ବାର୍ରୁ ଜବତ କରାଯାଇଛି । କେତେକ ବାର୍ରେ ଛାତ୍ରୀମାନଙ୍କୁ ନିୟୋଜିତ କରାଯାଉଥିବା ଘେନି ମଧ୍ୟ ଅଭିଯୋଗ ଆସିବାରୁ ଅବକାରୀ ଓ ପୁଲିସ୍ ଚେଇଁ ଉଠିଛନ୍ତି । କେବଳ ଉଚ୍ଚ ଶିକ୍ଷାନୁଷ୍ଠାନ ନୁହେଁ ନିଶା ରାକ୍ଷାସ ମଧ୍ୟ ବିଦ୍ୟାଳୟରେ ଅନୁପ୍ରବେଶ କଲାଣି । ବିଭିନ୍ନ ସମୟରେ କିଛି ଶିକ୍ଷକ ଏମିତିକି ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟର ବାତାବରଣକୁ କଳୁଷିତ କରିବା ସହ ଲୋକଙ୍କ ଠାରୁ ମାଡ ଖାଉଛନ୍ତି ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।
କୋଟ୍ପା ଆଇନ୍ ଆଧାରରେ କୌଣସି ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡି, ସିଗାରେଟ, ଗୁଟ୍ଖା ସମେତ ଅନ୍ୟ ନିଶା ସାମଗ୍ରୀର ଦୋକାନ ରହିପାରିବ ନାହିଁ ଏବଂ ଶିକ୍ଷାନୁଷ୍ଠାନ ପରିସରରେ ବି କେହି ନିଶା ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଏହି ଆଇନ୍କୁ ଖୋଲାଖୋଲି ଭାବେ ସଂଖ୍ୟାଧିକ କ୍ଷେତ୍ରରେ ଅପବ୍ୟବହାର କରାଯାଉଥିବା ଘେନି ସଲାମ ଜୀବନ ଭଳି ସଂସ୍ଥା ବାରମ୍ବାର ଅଭିଯୋଗ କରି ଆସୁଛି ।
ମଦମୁକ୍ତି ଅଭିଯାନ ସହ ଜଡିତ ସ୍ୱେଚ୍ଛାସେବୀମାନେ କହୁଛନ୍ତି ଯେ ରାଜ୍ୟର ଯୁବକ ଓ ଛାତ୍ର ସମାଜ ନିଶା ଦ୍ୱାରା କିଭଳି ଭୟଙ୍କର ଭାବେ କବଳିତ ହୋଇଛନ୍ତି ସେ ସଂକ୍ରାନ୍ତରେ ରାଜ୍ୟ ଯୁବନୀତିରେ ସ୍ପଷ୍ଟ ସୂଚନା ରହିଛି ଏବଂ ଏଥିରେ ନିରାକରଣ ବ୍ୟବସ୍ଥା ଥିଲେ ବି ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବାରୁ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । (ତଥ୍ୟ)