Home Education ଶିକ୍ଷକ ନିଯୁକ୍ତି ସମ୍ଭାବନା କ୍ଷୀଣ

ଶିକ୍ଷକ ନିଯୁକ୍ତି ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ବିଭିନ୍ନ ପାହ୍ୟାର ଶିକ୍ଷକ ପଦବୀଗୁଡିକୁ ତୁରନ୍ତ ପୂରଣ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସବୁ ରାଜ୍ୟକୁ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଓଡିଶାରେ କାର୍ଯ୍ୟକାରୀ ହେବା ସମ୍ଭାବନା କ୍ଷୀଣ । ଏଠାରେ ଉଲ୍ଲେଖନୀୟ ଯେ ଆମ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ପଦବୀ ଓ ତାହାଠାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ।

ବିଭିନ୍ନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ଅଘୋଷିତ ମିତବ୍ୟୟିତ ଆଳରେ ବର୍ଷ ବର୍ଷ ଧରି ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀ ପୂରଣ କରୁନଥିବାରୁ ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ଯେପରି ହେବାକଥା ତାହା ହୋଇପାରୁନାହିଁ । ଏମିତିକି ଏଥିଯୋଗୁଁ ପରୀକ୍ଷା ପରିଚାଳନା କ୍ଷେତ୍ରରେ ମଧ୍ୟ ବିଭ୍ରାଟ ଉପୁଜୁଛି । ଏସବୁ ସତ୍ୱେ ବିଭିନ୍ନ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱସ୍ତରୀୟ କରାଯିବ ବୋଳି କେବଳ ଧୂଆଁବାଣ ମରାଯାଉଛି ।

ଆମ ରାଜ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୬ଟି ପ୍ରଫେସର ପଦବୀରୁ ୩୫ଟି ଖାଲି ପଡିଥିବାବେଳେ ବ୍ରହ୍ମପୁରରେ ୨୨ରୁ ୧୭ଟି, ସମ୍ବଲପୁରରେ ୨୪ରୁ ୧୬, ରେଭେନ୍ସାୋର ୨୯ରୁ ୨୧ଟି, ବାରିପଦାରେ ୧୫ରୁ ୧୨ଟି ପ୍ରଫେସର ପଦବୀ ଖାଲିପଡିଛି । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମାତ୍ର ୩ଟି, ଫକୀରମୋହନ ବିଶ୍ୱବିଦ୍ୟାଳୟ୪ଟି, ରମାଦେବୀ ବିଶ୍ୱବିଦ୍ୟାଳୟ ୫ଟି, ଗଙ୍ଗାଧର ବିଶ୍ୱବିଦ୍ୟାଳୟ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ୨ଟି କରି ପ୍ରଫେସରରେ ଚାଲିଛି ।

ଖଲିକୋଟ, ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଓଡିଶା ବିଶ୍ୱବିଦ୍ୟାଳୟ, ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଆଦିରେ ଜଣେ ହେଲେ ପ୍ରଫେସର ନାହାନ୍ତି । ଏହାଛଡା ମାଳ ମାଳ ସହଯୋଗୀ ଓ ସହକାରୀ ପ୍ରଫେସର ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉନାହିଁ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଟିଆର, ଓଡିଶା କୃଷି ବିଶ୍ୱବିଦ୍ୟାଳୟ ଆଦିରେ ଅବସ୍ଥା ଅତି ସାଂଘାତିକ ।

ବର୍ଷ ବର୍ଷ ଧରି ଶିକ୍ଷକ ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ ନକରି ଓଡିଶା ସରକାର ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଆଣି ନୂତନ ଶିକ୍ଷକ ଚୟନ କ୍ଷମତା ବିଶ୍ୱବିଦ୍ୟାଳୟଗୁଡିକ ହାତରୁ କାଢିନେଇ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଥିଲେ । ଏହାକୁ କେନ୍ଦ୍ର କରି ନ୍ୟାୟିକ ବିବାଦ ଜାରି ରହିଛି । ଏମିତିକି ଖୋଦ ୟୁଜିସି ରାଜ୍ୟ ସରକାରଙ୍କ ଏହି ନୂଆ ଆଇନର ବୈଧତା ଘେନି ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠାଇଛି । ଏହି ମାମଲାରେ ସୁପ୍ରିମ୍‍କୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯୋଗୁଁ ନୂଆ ନିଯୁକ୍ତି ସମ୍ଭବପର ହୋଇପାରୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ।

ଏହି ନୂଆ ଆଇନ୍‍ ଅଣାଯିବା ପରେ ବିଧାନସଭା ଭିତରେ ଓ ବାହାରେ ବିଜେପି ଦୃଢବିରୋଧ କରିଥିଲା । ଏମିତିକି ଏହାର ଯୁବ ଓ ଛାତ୍ର ସଂଗଠନ ଏବଂ ବୁଦ୍ଧିଜୀବୀ ସାମୁଖ୍ୟ ଆଦି ପକ୍ଷରୁ ରାଜ୍ୟ ସରକାର ନୂଆ ଆଇନ୍‍କୁ ପ୍ରତ୍ୟାହାର କରିନେବାପାଇଁ ଦାବି ଉଠିଥିଲା । ଏବେ ଓଡିଶାରେ ଓ କେନ୍ଦ୍ରରେ ବିଜେପି ସରକାର ରହିଛି । ଶିକ୍ଷାବିତ୍‍ ଓ ଆଇନ୍‍ ବିଶା୍‍ରଦମାନେ କହୁଛନ୍ତି ଯେ ରାଜ୍ୟ ସରକାର ନୂଆ ଆଇନ୍‍କୁ ପ୍ରତ୍ୟାହାର କରିନେଇ ପୁରୁଣା ଆଇନ୍‍ ଆଧାରରେ ବିଶ୍ୱବିଦ୍ୟାଳୟଗୁଡିକ ମାଧ୍ୟମରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲେ ୟୁଜିସି ସୁପ୍ରିମକୋର୍ଟର ମାମଲା ପ୍ରତ୍ୟାହାର କରିନେଇପାରେ । ଯଦି ୟୁଜିସିର ପରାମର୍ଶ ଅନୁଯାୟୀ ଶିକ୍ଷକ ନିଯୁକ୍ତି ତୁରନ୍ତ କରାନଯାଏ ତେବେ ଓଡିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଉପରେ ୟୁଜିସି ପ୍ରତିବନ୍ଧକ ଲଗାଇବା ସମ୍ଭାବନାକୁ ଏଡାଇ ହେବ ନାହିଁ । (ତଥ୍ୟ)