ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକ ନିଯୁକ୍ତି କରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଥିବା ନେଇ ବାହାସ୍ଫୋଟ ମାରୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି । ଗତ ୨ ବର୍ଷରେ ୩୬ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବା ନେଇ ବିଜେପିର ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବିବୃତିରେ କହିଛନ୍ତି ଯେ, ବିଜେପି ସରକାର ଗତ ଦୁଇ ବର୍ଷରେ ୩୬,୦୦୦ ଶିକ୍ଷକ ନିଯୁକ୍ତି ଦେଇଛନ୍ତି ଏବଂ ଚଳିତ ବର୍ଷ ଆଉ ୧୮,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଆଇନ ମନ୍ତ୍ରୀ ଦେଇଥିବା ବିବୃତି ସମ୍ପୂର୍ଣ୍ଣ ମିଥ୍ୟା, କେବଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ସେ ଶିକ୍ଷକ ନିଯୁକ୍ତି ନେଇ ଦାବି ଉପସ୍ଥାପନା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ବିଧାନସଭାରେ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ସରକାର ରାଜ୍ୟରେ ମୋଟ ବିଭିନ୍ନ ବିଭାଗରେ ୩୯,୫୦୫ କର୍ମଚାରୀ ନିଯୁକ୍ତି କରିଛନ୍ତି । ତେବେ ସରକାର କେମିତି ୩୬ ହଜାର ଶିକ୍ଷକ ନିଯୁକ୍ତି ନେଇ ଆଇନ ମନ୍ତ୍ରୀ ଦାବି କରୁଛନ୍ତି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।
ପୂର୍ବ ବିଜେଡି ସରକାର ସମୟରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ୧୬,୦୦୯ ଜଣ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିଲା ପରେ କେବଳ ନିଯୁକ୍ତି ପତ୍ର ବାଣ୍ଟି ସରକାର ଏହା ନିଜର ସଫଳତା ବୋଲି ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟକୁ ଆଇନ ମନ୍ତ୍ରୀ ଗ୍ରହଣ ନ କରି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଊଦ୍ଧ୍ୱର୍ରେ ରହିଥିବା ଦର୍ଶାଇ ତାଙ୍କ ଉତ୍ତରକୁ କାଉଣ୍ଟର କରୁନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

