Home Education ଶିକ୍ଷକ ନିଯୁକ୍ତି ଆଶା ଉଜ୍ୱଳ

ଶିକ୍ଷକ ନିଯୁକ୍ତି ଆଶା ଉଜ୍ୱଳ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହେବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ, ଅଣଶିକ୍ଷକ ଓ ପ୍ରଶାସକ ପଦବୀ ପୂରଣ ପାଇଁ ଆଶା ଉଜ୍ୱଳ ହୋଇଛି । ତେବେ ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ବିଭିନ୍ନ ଛାତ୍ର ଓ ଶିକ୍ଷକ ସଂଗଠନ ମତବ୍ୟକ୍ତ କରୁଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ୬୮ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିବା ଫଳରେ ଗବେଷଣା, ଶିକ୍ଷାଦାନ, ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୨୯୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୨୬୧ଟି ଖାଲି । ବସ୍ତୁତଃ ଉତ୍କଳ, ରେଭେନ୍ସା, ସମ୍ବଲପୁର, ବ୍ରହ୍ମପୁର, ରମାଦେବୀ ସମେତ ଅନେକ ବିଶ୍ୱବିଦ୍ୟାଳୟର ବହୁ ବିଭାଗରେ ପ୍ରଫେସର ନାହାନ୍ତି ।

ସେହିଭଳି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ୫୯୩ଟି ମଞ୍ଜୁୂରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ବି ୪୫୮ଟି ଖାଲି । ଏଗୁଡ଼ିକ ଲାଗି ୧୧୯୪ଟି ସହକାରୀ ପ୍ରଫେସର ପଦବୀ ରହିଥିବାବେଳେ ସେଥିରୁ ବି ୭୦୮ଟି ଖାଲି ପଡିଛି । ମୋଟାମୋଟି ଭାବେ ସରକାରୀ ହିସାବ ମୁତାବକ କେବଳ ଉଚ୍ଚଶିକ୍ଷା ବିଭାଗର ଏହି ୧୭ଟି ବିଶ୍ୱବିଦ୍ୟାଳୟ ପାଇଁ ୨୦୮୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୪୨୭ଟି ଖାଲି ପଡିଛି ।

ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୩୦୮୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ୨୩୨୫ଟି ଖାଲି । ଏ ପରିପ୍ରେକ୍ଷୀରେ ପ୍ରଶାସନିକ, ପରୀକ୍ଷା ପରିଚାଳନା ଓ ପାଠପଢ଼ା କାମ କିଭଳି ଚାଲୁଥିବ ତାହା ସହଜରେ ଅନୁମେୟ । ମୋଟାମୋଟି ଭାବେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୭୫ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

ନୂଆ କୁଳପତି ନିଯୁକ୍ତ ହେବା ପରେ ସିଣ୍ଡିକେଟ୍‍ ଓ ସିନେଟ୍‍ର କିଭଳି ପୁନର୍ଗଠନ କରାଯିବ ତାହା ଉପରେ ସମସ୍ତଙ୍କ ନଜର । ଏହାଛଡ଼ା ଆସନ୍ତା ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ କରାଇବା ମଧ୍ୟ କୁଳପତିମାନଙ୍କ ପାଇଁ ବଡ଼ ଆହ୍ୱାନ । ରାଜ୍ୟର ବହୁ ବିଶ୍ୱବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ନ୍ୟାକ୍‍ ମାନ୍ୟତାରେ ଉଚ୍ଚ ଗ୍ରେଡ୍‍ ପାଇବାରୁ ବଞ୍ôଚତ ହେବାର ଅନ୍ୟତମ କାରଣ ହେଉଛି ଶିକ୍ଷକ ଓ କର୍ମଚାରୀ ମରୁଡ଼ି । ଅବଶ୍ୟ ଅତିଥି ଶିକ୍ଷକ ଏବଂ ଠିକା କର୍ମଚାରୀରେ ଏକ ପ୍ରକାର ଠକାଠକି କରି କାମ ଚାଲିଛି ।

ଶିକ୍ଷାବିତ୍‍ମାନେ କହୁଛନ୍ତି ଯେ ଏବେଠାରୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀଗୁଡ଼ିକ ପୂରଣ ପାଇଁ ବିଜ୍ଞାପନ ମାଧ୍ୟମରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରାଗଲେ ତାହା ସରିବା ପାଇଁ ୬ମାସ ପାଖାପାଖି ସମୟ ଲାଗିପାରେ । ଆଉ କେତେକ କ୍ଷେତ୍ରରେ ପଦୋନ୍ନତି ମାଧ୍ୟମରେ ବି ପଦବୀ ପୂରଣ କରାଯାଇପାରେ । ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଂଖ୍ୟାଧିକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକ ବର୍ଷବର୍ଷ ଧରି ଖାଲି ରହିବା ଫଳରେ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇପାରୁ ନାହିଁ । ଏହାକୁ ଆଖି ଆଗରେ ରଖି ତଳୁ ଉପର ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନରେ ଯେପରି ଆବଶ୍ୟକ ସଂଖ୍ୟକ ଶିକ୍ଷକ ଆଗାମୀ ଗ୍ରୀଷ୍ମାବକାଶ ଭିତରେ ନିଯୁକ୍ତି ପାଇବେ ତାହା ଉପରେ ଅଧିକ ଧ୍ୟାନ ଦେବା ପାଇଁ ମତ ପ୍ରକାଶ ପାଉଛି ।