Home Assembly ଶିକ୍ଷକ ଚାକିରି ଅପେକ୍ଷାରେ ୫୪ହଜାର

ଶିକ୍ଷକ ଚାକିରି ଅପେକ୍ଷାରେ ୫୪ହଜାର

ଭୁବନେଶ୍ୱର : ଶିକ୍ଷକ ଚାକିରିଟିଏ କରିବାପାଇଁ ରାଜ୍ୟରେ ୫୪ହଜାରରୁ ଅଧିକ ତାଲିମପ୍ରାପ୍ତ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସିଟି, ବିଏଡ୍‍, ଏମଏଡ୍‍ ଭଳି ତାଲିମଧାରୀ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

ମନ୍ତ୍ରୀ ବିଧାନସଭାରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବିଭିନ୍ନ ବର୍ଗର ୧୧,୯୭,୪୯୭ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଶିକ୍ଷକ ତାଲିମଧାରୀଙ୍କ ସଂଖ୍ୟା ୫୪,୬୯୪ ରହିଛି । ଏମାନଙ୍କଙ୍କ ମଧ୍ୟରେ ସର୍ବାଧିକ ୨୬,୪୨୦ ଜଣ ସିଟି ତାଲିମଧାରୀ ରହିଥିବାବେଳେ ବିଏଡ୍‍ ତାଲିମଧାରୀଙ୍କ ସଂଖ୍ୟା ୨୦,୧୭୮ ରହିଛି । ଚାକିରି ଅପେକ୍ଷାରତ ଏମଏଡ୍‍ ଡିଗ୍ରୀଧାରୀଙ୍କ ସଂଖ୍ୟା ୭୫୫୬ ରହିଛି ।

କେବଳ ଶିକ୍ଷକ ତାଲିମ ନେଇଥିବା ଆଶାୟୀମାନେ ନାହାନ୍ତି, ଚାକିରି ଅପେକ୍ଷାରେ ୩୪ହଜାରରୁ ଅଧିକ ଆଇଟିଆଇ ତାଲିମପ୍ରାପ୍ତ ଓ ୪୩ହଜାରରୁ ଅଧିକ ଡିପ୍ଲୋଧାରୀ ବି ରହିଛନ୍ତି । ସେହିଭଳି ସ୍ନାତକୋତ୍ତର କରିଥିବା ୮୩୭ ଜଣ ଡାକ୍ତର, ୭୮୭୭ଜଣ ଇଞ୍ଜିନିୟର, ୪୮୭ଜଣ ଆଇନ୍‍ ଡିଗ୍ରୀଧାରୀ, ୪୬ଜଣ ପଶୁଡାକ୍ତର, ୯୪୩ଜଣ କୃଷି ବିଶେଷଜ୍ଞ, ୬୩୪ ଜଣ ଏମସିଏ ଡିଗ୍ରୀଧାରୀ, ୮୩୯ ଜଣ ଏମବିଏ ଡିଗ୍ରୀଧାରୀ ବି ସରକାରୀ ଚାକିରିଟିଏ ପାଇବା ଆଶାରେ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ବାଦ୍‍ ବିଭିନ୍ନ ପାଠ୍ୟକ୍ରମର ଆଉ ୮୪ ହଜାରରୁ ଅଧିକ ଚାକିରି ଆଶାୟୀ ବି ସରକାରଙ୍କ ତାଲିକାରେ ଅଛନ୍ତି ।

ରାଜ୍ୟରେ ମାଟ୍ରିକ ପାଶ୍‍ କରିଥିବା ପାଖାପାଖି ୧ଲକ୍ଷ ୮୦ହଜାର ଯୁବକ ଯୁବତୀ ବି ଚାକିରି ଆଶାରେ ନାମପଞ୍ଜିକରଣ କରିଛନ୍ତି । ମାଟ୍ରିକ ପାଶ୍‍ କରିନଥିବା ଚାକିରି ଆଶାୟୀଙ୍କ ସଂଖ୍ୟା ୧୩ହଜାରରୁ ଅଧିକ ଅଛି । ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ଭଳି ସ୍ନାତକ ଡିଗ୍ରୀଧାରୀଙ୍କ ସଂଖ୍ୟା ବି କିଛି କମ୍‍ ନୁହେଁ । ଏହିତାଲିକାରେ ୩୮୨ ଜଣ ଇଞ୍ଜିନୟମ, ୨୭୮ଜଣ କୃଷି ଡିଗ୍ରୀଧାରୀ, ୨୩୯୮ ଜଣ ବିସିଏ ଓ ୧୨୫୯ଜଣ ବିବିଏ ଡିଗ୍ରୀଧାରୀ ରହିଛନ୍ତି । ବିଭିନ୍ନ ବର୍ଗର ମୋଟ୍‍ ୩,୧୭,୬୩୩ ଜଣ ସ୍ନାତକ ଡିଗ୍ରୀଧାରୀ ଏବେ ବି ଚାକିରି ପାଇବାପାଇଁ ସରକାରଙ୍କ ନିକଟରେ ନିଜକୁ ପଞ୍ଜିକୃତ କରି ଅପେକ୍ଷାରେ ରହିଛନ୍ତି ।

ତେବେ ଯୁବକ ଯୁବତୀମାନେ କିଭଳି ଅଧିକରୁ ଅଧିକ ଆତ୍ମନିଯୁକ୍ତି ପାଇବେ ସେଥବପାଇଁ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି । ପ୍ରତିଷ୍ଠିତ ବେସରକାରୀ ସଂସ୍ଥାମାନଙ୍କ ସହଯୋଗରେ ସରକାର ଏହି ତାଲିମ କାର୍ଯ୍ୟକ୍ରମ ଚଳାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)