ଭୁବନେଶ୍ୱର : ଛାତ୍ର ସଂସଦ ର୍ନିବାଚନକୁ କେନ୍ଦ୍ରକରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଜାରି ରହିଥିବାବେଳେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ଶିକ୍ଷକ, ଅଣଶିକ୍ଷକ ଓ ପ୍ରଶାସକ ପଦବୀଗୁଡିକ କିଭଳି ପୂରଣ ହେବ ତାହା ଉପରେ କିନ୍ତୁ କାହାର ଗୁରୁତ୍ୱ ନାହିଁ । କେବଳ ମହାବିଦ୍ୟାଳୟ କି ବିଶ୍ୱବିଦ୍ୟାଳୟ ନୁହେଁ, ପ୍ରାଥମିକ ସ୍ତରରୁ ହାଇସ୍କୁଲ ଓ ଯୁକ୍ତଦୁଇ ସ୍ତର ପର୍ଯ୍ୟନ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ସମାନ ସମସ୍ୟା ଲାଗି ରହିଛି ।
ଓଡିଶାରେ ନୂଆ ନୂଆ ସରକାରୀ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜମାନ ଖୋଲିବାରେ ଲାଗିଛି । ତେବେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପାଖପାଖି ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ବି ଖାଲି । ଏମିତିକି ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନଥିବାରୁ ଭାରପ୍ରାପ୍ତ କୁଳପତିଙ୍କୁ ନେଇ କୌଣସି ପ୍ରକାରେ କାମ ଚଳାଯାଉଛି ।
ଉତ୍କଳ ଭଳି ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ମାତ୍ର ୯ଜଣ ପ୍ରଫେସରଙ୍କୁ ନେଇ ଚାଲିଛି । ରେଭେନ୍ସା ଠାରୁ ଭବାନୀପାଟଣାର ମା’ମାଣିକେଶ୍ୱରୀ, ବଲାଙ୍ଗିରର ରାଜେନ୍ଦ୍ର, ସମ୍ବଲପୁର, ବ୍ରହ୍ମପୁର ଆଦି ବିଶ୍ୱବିଦ୍ୟାଳୟଗୁଡିକରେ ମାଳ ମାଳ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀ ଖାଲି ପଡିଛି । କୁଳପତି ନିଯୁକ୍ତି ପ୍ରକ୍ରିୟା ସରୁନଥିବାରୁ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ହୋଇପାରୁନଥିବା କୁହାଯାଉଛି ।
ସେହିଭଳି ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଗୁଡିକରେ ବି ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀ ନାହାନ୍ତି । ହୋମିଓପାଥିକ ଓ ଆର୍ୟୁବେଦିକ କଲେଜଗୁଡିକର ଅବସ୍ଥା ଆହୁରି ଦୟନୀୟ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବିପୁଟ୍, ଓୟୁଏଟି, ଓୟୁଟିଆର ଆଦିର ସମସ୍ୟା ଅସରନ୍ତି ।
ଏବେ ରାଜଧାନୀରେ ଥିବା ବିଶ୍ୱବିଦ୍ୟାଳୟ ଆଇନ୍ କଲେଜର ଛାତ୍ରଛାତ୍ରୀମାନେ ଛାତ୍ରସଂସଦ ନିର୍ବାଚନ ଦାବି ପରବର୍ତ୍ତେ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି । ଏହି କଲେଜରେ ଜଣେ ହେଲେ ନିୟମିତ ଅଧ୍ୟାପକ ନାହାନ୍ତି । କେବଳ କଲେଜର ଅଧ୍ୟକ୍ଷ ହେଉଛନ୍ତି ନିୟମିତ ଶିକ୍ଷକ । ଏ ପରିପ୍ରେକ୍ଷୀରେ ଏଠାରେ କିଭଳି ଆଇନ୍ ପାଠ ପଢାହେଉଥିବ ତାହା ସହଜରେ ଅନୁମେୟ । କଟକ ସ୍ଥିତ ମଧୁସୂଦନ ଆଇନ୍ କଲେଜକୁ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଥିବାବେଳେ ସେଠାରେ ବି ଶିକ୍ଷକ ନିଯୁକ୍ତି ହେଉନାହିଁ । ଠିକା ଶିକ୍ଷକଙ୍କ ଉପରେ ଉଭୟ ବିଶ୍ୱବିଦ୍ୟାଳୟ ଓ ଆଇନ୍ କଲେଜଗୁଡିକର ପାଠପଢା ନିର୍ଭର କରୁଛି ।
ପ୍ରାୟ ତିନି ଚତୁର୍ଥାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡିକରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଭରସାରେ ଏହି ଡିଗ୍ରୀ କଲେଜଗୁଡିକ ଚାଲୁଛି । ଏହାଛଡା ବର୍ଷ ବର୍ଷ ଧରି ନିୟମିତ ନିଯୁକ୍ତି ଓ ପଦୋନ୍ନତି ହେଉନଥିବାରୁ ଡିଗ୍ରୀକଲେଜଗୁଡିକରେ ବହୁ ବିଷୟରେ ନିୟମିତ ଶିକ୍ଷକ ନାହାନ୍ତି । ଅତିଥି ଅଧ୍ୟାପକଙ୍କୁ ଭରସା କରି ରାଜ୍ୟର ଉଚ୍ଚଶିକ୍ଷା ଚାଲିଛି । ତେବେ ଏହି ଅତିଥି ଅଧ୍ୟାପକମାନେ କଲେଜ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନା, ପରୀକ୍ଷାଖାତା ମୂଲ୍ୟାୟନ ଏବଂ ପ୍ରଶାସନିକ କାର୍ଯ୍ୟ କରିପାରିବେ ନାହିଁ । ସେମାନେ ଯେତୋଟି ପିରିୟଡ ପାଠ ପଢାଇବେ ସେହି ଅନୁଯାୟୀ ପାରିଶ୍ରମିକ ପାଇବେ । ଏଭଳି ସାଂଘାତିକ ଅବସ୍ଥା ଲାଗି ରହିଥିବାବେଳେ ବର୍ଷ ବର୍ଷ ଧରି ରାଜନୈତିକଦଳ ଏବଂ ଛାତ୍ରସଂଗଠନମାନେ ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ଉଠାଉ ନାହାନ୍ତି । (ତଥ୍ୟ)