Home Education ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚିନ୍ତା

ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚିନ୍ତା

ଭୁବନେଶ୍ୱର : ରଜ ଛୁଟି ପରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାବେଳେ ମଧ୍ୟାହ୍ନଭୋଜନ ଚିନ୍ତାରେ ଏବେ ଶିକ୍ଷକଙ୍କ ରକ୍ତଚାପ ବଢିବାରେ ଲାଗିଲାଣି । ଖାଦ୍ୟ ସାମଗ୍ରୀର ଦର ଉପରମୁହାଁ ହୋଇଥିବାବେଳେ ସେମାନେ ସରକାରୀ ଧାର୍ଯ୍ୟ ଦରରେ କିଭଳି ପିଲାଙ୍କୁ ଦୈନିକ ପେଟପୁରା ଖାଦ୍ୟ ସହିତ ସପ୍ତାହରେ ଦୁଇଦିନ ଅଣ୍ଡା ତରକାରୀ ଯୋଗାଇବେ ସେହି ଚିନ୍ତାରେ ପଡିଛନ୍ତି ।

ବିଦ୍ୟାଳୟ ଖୋଲିବା ମାତ୍ରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯିବ । ଯେଉଁସବୁ ସ୍ଥାନରେ ଅକ୍ଷୟପାତ୍ର ଭଳି ସଂସ୍ଥା ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଛନ୍ତି ସେଠାକାର ଶିକ୍ଷକ ଶିକ୍ଷୟତ୍ରୀମାନେ ଶାନ୍ତିରେ ନିଶ୍ୱାସ ମାରୁଥିବାବେଳେ ଅନ୍ୟ ସ୍ଥାନ ବିଶେଷକରି ଗାଁ ଗହଳର ଶିକ୍ଷକମାନେ କିନ୍ତୁ ଚିନ୍ତାରେ । ମଧ୍ୟାହ୍ନଭୋଜନ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥାମାନେ ପିଲାଙ୍କୁ କିଭଳି ଖାଦ୍ୟ ଯୋଗାଉଛନ୍ତି ତାହା ବୁଝିବା ଶିକ୍ଷକଙ୍କ କାମନୁହେଁ । ସେମାନେ କେବଳ ଆସୁଥିବା ଖାଦ୍ୟର ମାନ, ପରିମାଣ ଆଦି ତଦାରଖ କରିଥାନ୍ତି ।

ହେଲେ ଗାଁ ଗହଳର ଶିକ୍ଷକମାନେ ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ତ୍ତମାନ ପ୍ରାଥମିକ ଶ୍ରେଣୀର ପିଲା ପ୍ରତି ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ସରକାର ଦୈନିକ ୫.୪୨ ଟଙ୍କା ଯୋଗାଇ ଦେଉଥିବାବେଳେ ଉଚ୍ଚମାଧ୍ୟମିକ ପିଲା ପ୍ରତି ୮.୧୦ ଟଙ୍କା ଯୋଗାଉଛନ୍ତି । ଏଥି ସହିତ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି ।

ତେବେ ବଜାରରେ ଏବେ ଡାଲି କିଲୋ ୧୦୦ ଟଙ୍କା, ସୋରିଷ ତେଲ ଲିଟର ୨୦୦ ଟଙ୍କା ହୋଇଥିବାବେଳେ ପନିପରିବାର ଦର ଅତି କମ୍‍ରେ କିଲୋପ୍ରତି ୪୦ରୁ ୫୦ ଟଙ୍କା ଭିତରେ ରହୁଛି । ସବୁଠାରୁ ଶସ୍ତା ପରିବା ଆଳୁର କିଲୋପ୍ରତି ଦର ୨୫ଟଙ୍କା ଟପିଗଲାଣି । ଏଥି ସହିତ ଡାଲମା ବଘରା ପାଇଁ ଲଙ୍କା, ଫୁଟଣ ଏବଂ ସପ୍ତାହରେ ଦୁଇଦିନ ଅଣ୍ଡା ତରକାରୀ ପାଇଁ ମସଲା ଆଦି ବି ଦରକାର । ତେଣୁ ମିଳୁଥିବା ଅର୍ଥରେ ପିଲାଙ୍କୁ ନାମକୁ ମାତ୍ର ପରିବା ସହିତ ପାଣିଆ ଡାଲମା ଦେବା ଛଡା ଅନ୍ୟ ବାଟ ନାହିଁ ବୋଲି ଶିକ୍ଷକମାନେ ମତ ଦେଉଛନ୍ତି ।

ତେବେ ସବୁଠାରୁ ବଡ ସମସ୍ୟା ହୋଇଛି ପିଲାଙ୍କୁ ଅଣ୍ଡା ଯୋଗାଇବା । ସପ୍ତାହରେ ଦୁଇଦିନ ଅର୍ଥାତ ବୁଧବାର ଓ ଶନିବାର ପିଲାଙ୍କୁ ଗୋଟିଏ କରି ଅଣ୍ଡା ଦେବାର ବ୍ୟବସ୍ଥା ଅଛି । ବଜାରରେ ଏବେ ଗୋଟିଏ ଅଣ୍ଡାର ଦର ୭ଟଙ୍କା । ସରକାର ଯୋଗାଉଛନ୍ତି ୫.୪୨ ରୁ ୮.୧୦ ଟଙ୍କା ପର୍ଯ୍ୟନ୍ତ । ଏହି ଅର୍ଥରେ କିଭଳି ସପ୍ତାହରେ ଦୁଇଦିନ ଅଣ୍ଡାଝୋଳ ପ୍ରସ୍ତୁତ ହେବ ତାହା ଏବେ ଶିକ୍ଷକଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । କାରଣ ଯେଉଁଦିନ ଅଣ୍ଡା ମିଳୁଛି ସେହିଦିନ ବିଦ୍ୟାଳୟରେ ଅଧିକ ଉପସ୍ଥାନ ହେଉଛି । ଯଦି କିଏ ଅଣ୍ଡା ନପାଉଛି ତେବେ ଅଭିଭାବକମାନେ ବିଦ୍ୟାଳୟକୁ ଆସି ହୁଲୁସ୍ତୁଲୁ କରୁଛନ୍ତି ।

ତେଣୁ ଏଭଳି ସ୍ଥିତିରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପାଠପଢା ଚିନ୍ତା ଅପେକ୍ଷା ମଧ୍ୟାହ୍ନ ଚିନ୍ତା ଘାରିବାରେ ଲାଗିଛି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ଅଧିକାଂଶ ସ୍ଥାନରେ ଅଭିଭାବକଙ୍କ ସହ ମୁହାଁମୁହିଁ ଆଶଙ୍କା ରହିଛି । ପିଲାପ୍ରତି ମିଳୁଥିବା ଅର୍ଥ ବଢାଇବା ସହିତ ଶସ୍ତାରେ ଅଣ୍ଡା ଯୋଗାଇଦେବାକୁ କେତେକ ଶିକ୍ଷକ ଶିକ୍ଷୟତ୍ରୀ ମତ ଦେଉଛନ୍ତି । ତେବେ ଯେଉଁସବୁ ବିଦ୍ୟାଳୟରେ ଅକ୍ଷୟପାତ୍ର ମଧ୍ୟାହ୍ନଭୋଜନ ଯୋଗାଉଛି ସେଠାରେ ପିଲାଙ୍କୁ ଅଣ୍ଡା ବଦଳରେ ସପ୍ତାହକୁ ଦୁଇଦିନ ଛେନା ତରକାରୀ ମିଳୁଛି । (ତଥ୍ୟ)