Home Education ଶିକ୍ଷକଙ୍କୁ ବର୍ଦ୍ଧିତ ଗ୍ରେଡ୍‍ ପେ ମିଳୁନି

ଶିକ୍ଷକଙ୍କୁ ବର୍ଦ୍ଧିତ ଗ୍ରେଡ୍‍ ପେ ମିଳୁନି

ଭୁବନେଶ୍ୱର : ସ୍ୟାଟ୍‍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ନ୍ୟାୟିକ ସଂସ୍ଥାଙ୍କ ସ୍ପଷ୍ଟ ରାୟ ଏବଂ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ସତ୍ୱେ ହଜାର ହଜାର ଶିକ୍ଷକ ବର୍ଦ୍ଧିତ ସଂଶୋଧିତ ଗ୍ରେଡ୍‍ ପେ ପାଇପାରୁ ନାହାନ୍ତି । ଏଥିଯୋଗୁଁ ମାମଲା ସଂଖ୍ୟା ମଧ୍ୟ ବଢୁଛି । ଇତି ମଧ୍ୟରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଚାକିରିରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ସେମାନଙ୍କ ବେତନ ଓ ପେନ୍‍ସନ ସଂଶୋଧିତ ହେଉନଥିବା ଘେନି ଅଭିଯୋଗମାନ ଆସୁଛି ।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୧୩ ମସିହାରେ ଆରଏସିପି ଲାଗୁ କରିବାଲାଗି ସ୍ୱତନ୍ତ୍ର ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଥିଲେ । ତେବେ ଅର୍ଥ ବିଭାଗର ବିଜ୍ଞପ୍ତିକୁ କଦର୍ଥକରି ଅନେକ ବିଭାଗ ୧୦, ୨୦ ଓ ୩୦ ବର୍ଷ ଚାକିରି କରିଥିବା କର୍ମଚାରୀମାନଙ୍କୁ ସଂଶୋଧିତ ଆରଏସିପି ଅନୁଯାୟୀ ଗ୍ରେଡ୍‍ ପେ ପ୍ରଦାନ ନକରିବାରୁ ସେତେବେଳେ ହଜାର ହଜାର ସଂଖ୍ୟକ ମାମଲା ରୁଜୁ ହୋଇଥିଲା ।

କେତେକ ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ଆରଏସିପି ବ୍ୟବସ୍ଥା ଅନୁଯାୟୀ ସଂଶୋଧିତ ଗ୍ରେଡ୍‍ ପେ ଦେବାକୁ ଦାବି ହେଉଥିବାବେଳେ ଗ୍ରେଡ୍‍ ପେ ପରିମାଣ ବଢାଇବା ପରିବର୍ତ୍ତେ ସରକାର ଏହାକୁ ୪୨୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ୨୦୧୬ ମସିହାରେ ହ୍ରାସ କରିଦେଇଥିଲେ । ଏହା ବିରୁଦ୍ଧରେ ସାଟ୍‍ରେ ରୁଜୁ ହୋଇଥିବା କେତେକ ମାମଲା ୨୦୧୭ ମସିହାରେ ଫଏସଲା ହୋଇଥିଲା ଏବଂ ତଦନୁଯାୟୀ ବଞ୍ଚିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବର୍ଦ୍ଧିତ ହାରରେ ଗ୍ରେଡ୍‍ ପେ ଦେବାପାଇଁ ନିର୍ଦ୍ଦେଶ ଦିଆଯିବା ସହ ୨୦୧୬ର ସରକାରୀ ଆଦେଶନାମାକୁ ସ୍ୟାଟ୍‍ ବାତିଲ କରିଦେଇଥିଲେ । ଏଭଳି ସ୍ଥିତିରେ ଗୋଟିଏ ପଟେ ରାଜ୍ୟ ସରକାର ସ୍ୟାଟ୍‍ ଉଚ୍ଛେଦ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ଅନ୍ୟ ପଟେ ସ୍ୟାଟ୍‍ଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ କେତେଗୁଡିଏ ମାମଲା ରୁଜୁ ହୋଇଥିଲା ।

୨୦୨୨ ଜୁନ୍‍ ୨୪ ତାରିଖରେ ଅନ୍ୟତମ ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡଙ୍ଗୀ ଓ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ୟାଟ୍‍ଙ୍କ ଆଦେଶରେ କୌଣସି ତ୍ରୁଟି ନାହିଁ ବୋଲି ଉଲ୍ଲେଖ କରିବା ସହିତ ସରକାରଙ୍କ ରିଟ୍‍ ଆବେଦନକୁ ଖାରଜ କରିଦେଇ ବଞ୍ଚିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବର୍ଦ୍ଧିତ ଗ୍ରେଡ୍‍ ପେ ଆରଏସିପି ବ୍ୟବସ୍ଥା ଅନୁଯାୟୀ ପ୍ରଦାନ କରିବାକୁ ବିସ୍ତୃତ ରାୟରେ ଉଲ୍ଲେଖ କରିଥିଲେ ।

ରାଜ୍ୟ ସରକାର ହାଇକୋର୍ଟ ଓ ସ୍ୟାଟ୍‍ଙ୍କ ରାୟ ପାଳନ ନକରି ତାହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍‍ ପିଟିସନ ଦାଏର କରିଥିଲେ । ସୁପ୍ରିମକୋର୍ଟରେ କିନ୍ତୁ ବର୍ଦ୍ଧିତ ହାରରେ ଆରଏସିପି ଦେବାପାଇଁ ରାଜ୍ୟ ସରକାର ସ୍ୱୀକାର କରିବା ସହିତ ତିନିମାସ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏହି ସୁବିଧା ମିଳିବ ବୋଲି କହିବାପରେ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ୯ତାରିଖରେ ମାମଲାର ଫଏସଲା କରିଥିଲେ । ଏବେ ତିନିମାସ ସମୟ ଅତିକ୍ରମ କରିବାକୁ ଯାଉଥିବାବେଳେ ସରକାରଙ୍କ ପକ୍ଷରୁ ବଞ୍ଚିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ରାୟ ମୁତାବକ ଆରଏସିପି ବ୍ୟବସ୍ଥା ଅନୁଯାୟୀ ବର୍ଦ୍ଧିତ ଗ୍ରେଡ୍‍ ପେ ପିଛିଲା ତାରିଖରୁ ପ୍ରଦାନ କରାଯାଇନାହିଁ ।

ଇତି ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପତ୍ରଲେଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ସଂକ୍ରାନ୍ତରେ ଉଲ୍ଲେଖ କରି ଏ ବାବଦରେ ରାଜକୋଷ ଉପରେ କେତେ ଆର୍ଥିକ ଚାପ ପଡିବ ସେ ସଂକ୍ରାନ୍ତରେ ଜଣାଇବାକୁ କୁହାଯାଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ଅନୁରୂପ ଅନ୍ୟଏକ ପତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଆରଏସିପି ସୁବିଧା ସଂକ୍ରାନ୍ତରେ ଲେଖିଛନ୍ତି । ତେବେ କେବଳ ଯେଉଁମାନେ ମୋକଦ୍ଦମା କରିଥିଲେ ସେହିମାନଙ୍କୁ ଏହି ଆର୍ଥିକ ସୁବିଧା ମିଳିବ ନା ସମସ୍ତ ବଞ୍ଚିତ ଶିକ୍ଷକ ଶିକ୍ଷୟତ୍ରୀ ଏହା ପାଇବେ ସେଥିଘେନି କିନ୍ତୁ କେହି ସ୍ପଷ୍ଟଭାବେ କହୁନାହାନ୍ତି । ଏ ପରିପ୍ରେକ୍ଷୀରେ ଏବେ କାର୍ଯ୍ୟରତ ଥିବା ଓ ଅବସରଗ୍ରହଣ କରିଥିବା ଅନେକ ବଞ୍ଚିତ ଶିକ୍ଷକ ଶିକ୍ଷୟତ୍ରୀ ପୁଣି ନ୍ୟାୟାଳୟ ମୁହାଁ ହେଉଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ ଅବଶ୍ୟ ସ୍ୱୀକାର କରୁଛନ୍ତି । (ତଥ୍ୟ)