ଭୁବନେଶ୍ୱର : ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ବର୍ଷ ଧରି ରାଜ୍ୟର ସଂଗୀତଜ୍ଞ ଓ ସଂଗୀତ ପ୍ରେମୀମାନେ ଦାବି କରି ଆସୁଥିବା ବେଳେ ଏ ପ୍ରସଂଗରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ କିମ୍ବା ସଂସ୍କୃତି ମନ୍ତ୍ରାଳୟ କୌଣସି ଘୋଷଣା ଏ ଯାବତ କରିନାହାନ୍ତି ।
୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପ୍ରଦାନ କରିଥିଲେ । ଓଡ଼ିଆ ପୂର୍ବରୁ ତାମିଲ, ସଂସ୍କୃତ, କନ୍ନଡ, ତେଲଗୁ ଓ ମାଲାୟାଲମ୍ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ପ୍ରାୟ ୧୦ବର୍ଷ ପରେ ଅହମିଆ, ବଙ୍ଗଳା, ମରାଠୀ, ପାଲି ଓ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି ।
ଓଡ଼ିଶା ବିଧାନସଭାର ଗତ ବଜେଟ୍ ଅଧିବେଶନ ସମୟରେ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ଉଲ୍ଲେଖ କରିଥିବା ବେଳେ ଓଡ଼ିଶୀ ନୃତ୍ୟ ଓ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସଂଗରେ ଯାହା କହିଛନ୍ତି ତାହା ଏବେ ସଂସ୍କୃତି ପ୍ରେମୀମାନଙ୍କୁ ଆନ୍ଦୋଳିତ କରୁଛି ।
ସରକାରଙ୍କ ପକ୍ଷରୁ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ହିସବାରେ ବିବେଚନା କରାଯାଉଛି, କିନ୍ତୁ ଏଥି ନିମନ୍ତେ କୌଣସି ବିଧିବଦ୍ଧ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ । କୌଣସି ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାବଧାନ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ତାଙ୍କର ଲିଖିତ ଉତ୍ତରରେ ରୋକ୍ଠୋକ୍ ଦର୍ଶାଇଛନ୍ତି । ଭାରତ ନାଟ୍ୟମ, କଥକ, କୁଚିପୁଡ଼ି, ଓଡ଼ିଶୀ, କଥକଲି, ସତ୍ରିୟା, ମଣିପୁରୀ ଓ ମୋହିନିଆଟ୍ୟମ୍କୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଶାସ୍ତ୍ରୀୟ ନୃତ୍ୟ ଭାବେ ଘୋଷଣା କରିଥିବାବେଳେ ଛଉ ନୃତ୍ୟକୁ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଭୁକ୍ତ କରିଛି ବୋଲି ବାରମ୍ବାର କୁହାଯାଉଛି । ତେବେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଘୋଷଣା ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ପ୍ରମାଣପତ୍ର ପ୍ରଦାନ କରାଯାଇନଥିବା ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ବକ୍ତବ୍ୟ ରଖିବା ପରେ ଏହି ପ୍ରମାଣପତ୍ର ହାସଲ ଓ ତାହାର ପ୍ରଦର୍ଶନ ପାଇଁ ଏବେ ଦାବି ଜୋର ଧରୁଛି ।
ସେହିଭଳି ଓଡ଼ିଶୀ ସଂଗୀତ ଓଡ଼ିଶୀ ନୃତ୍ୟ ଠାରୁ ପୁରୁଣା ହୋଇଥିବା ଏବଂ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଭଳି ଓଡ଼ିଶୀ ସଂଗୀତର ଗଣବତ୍ତା ଦେଶ ବିଦେଶରେ ପ୍ରଶଂସିତ ହେଉଥିବାବେଳେ ଓଡ଼ିଶୀ ସଂଗୀତକୁ କାହିଁକି ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ ନାହିଁ ସେଥିଘେନି ମଧ୍ୟ ସଂସ୍କୃତି ପ୍ରେମୀମାନେ ପ୍ରଶ୍ନ ଉଠାଉଛନ୍ତି ।
ଓଡ଼ିଆ ଅସ୍ମିତା ପ୍ରସଂଗ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚାରେ ଥିବାବେଳେ ଓଡ଼ିଶାରେ ଓଡ଼ିଆ ଭାଷାର ବିଶୁଦ୍ଧ ବ୍ୟବହାର କମିବା, ଓଡ଼ିଆକୁ ୧୯୫୪ ମସିହାରୁ ସରକାରୀ ଭାଷା ଭାବେ ଆଇନ୍ତଃ ଗ୍ରହଣ କରାଯାଇଥିବା ବେଳେ ୭୦ବର୍ଷ ଧରି ସରକାରୀ ସ୍ତରରେ ଓଡ଼ିଆ ବ୍ୟବହାର ସନ୍ତୋଷଜନକ ହେଉନଥିବା ଏବଂ ସର୍ବୋପରି ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଶିକ୍ଷାର ମାନ ଶିକ୍ଷକ ମରୁଡ଼ି ଓ ଅନ୍ୟାନ୍ୟ କାରଣରୁ ହ୍ରାସ ପାଉଥିବା ଘେନି ବାରମ୍ବାର ଉଦ୍ବେଗ ପ୍ରକାଶ ପାଉଛି । ଏହି ସମସ୍ୟାର ସମାଧାନ ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗଣଚେତନା ଜାଗରଣ ଲାଗି ଭାଷା ପ୍ରେମୀମାନେ ବାରମ୍ବାର କହି ଆସୁଛନ୍ତି ।
ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ହିସାବରେ ବିବେଚନା କରାଯାଉଥିବା ବେଳେ ଏହାର ବିଧିବଦ୍ଧ ପ୍ରମାଣପତ୍ର ହାସଲ କରିବା ଓ ଓଡ଼ିଶୀ ସଂଗୀତକୁ କିଭଳି ତୁରନ୍ତ ଶାସ୍ତ୍ରୀୟ ମାନ୍ୟତା ମିଳିବ ସେ ଦିଗରେ ଦଳମତ ନିର୍ବିଶେଷରେ ସମ୍ମିଳିତ ଉଦ୍ୟମ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ରଖିଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ଦାବି ଉଠାଇବା ସ୍ୱାଭାବିକ । (ତଥ୍ୟ)