ଭୁବନେଶ୍ୱର : ଓଡ଼ିଶାରେ ଆମେ ବାଛିଥିବା ଏବଂ ଆମ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସନ କରୁଛନ୍ତି ନା ଏହା ନିର୍ଦ୍ଧିଷ୍ଟ ସରକାରୀ ବାବୁମାନଙ୍କ ଚଞ୍ଚକତାର ଶିକାର ହୋଇ ସାରିଛି ? ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟ ନେଇ ମୁଁ କୌଣସି ଆଲୋଚନା ବା ମନ୍ତବ୍ୟ ପ୍ରଦାନ କରିନଥିଲି । କାରଣ ଜଣେ ନିର୍ଦ୍ଧିଷ୍ଟ ସରକାରୀ କର୍ମଚାରୀଙ୍କ ବିଷୟରେ ମୁଁ ଲୋକ ପ୍ରତିନିଧି ଭାବେ ଉଲ୍ଲେଖ କରିବା ଉଚିତ ମନେ କରୁନଥିଲି । କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଧିଷ୍ଟ ସମସ୍ୟା ରାଜ୍ୟରେ ଏତେ ବ୍ୟାପକ ଭାବେ କାୟା ବିସ୍ତାର କରିଛି ଯେ, ରାଜ୍ୟ ବାହାରେ ମଧ୍ୟ ଏହାର ଆଲୋଚନା ଆରମ୍ଭ ହେଲାଣି ଏବଂ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟରେ ପରିଣତ ହେଲାଣି । ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରଘାତ ବୋଲି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛେ ଭାରତରେ ସମ୍ବିଧାନ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ଏବଂ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି । ସାମାଜିକ ଏବଂ ଅର୍ଥନୈତିକ ବିକାଶ ସୁନିଶ୍ଚିତ କରିବା ଆଇନ ଶୃଙ୍ଖଳା ପରି ବିଭିନ୍ନ ବିଷୟକୁ ପରିଚାଳନା କରିବା ନିର୍ବାଚିତ ପ୍ରତିନିଧିମାନଙ୍କର ଦାଇତ୍ୱ ଅଟେ ।
ନିର୍ଦ୍ଧିଷ୍ଟ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀ ରାଜ୍ୟ ସାରା ସରକାରୀ ଉଡ଼ାଜାହାଜରେ ବୁଲୁଛନ୍ତି, ପ୍ରାୟୋଜିତ ଭାବେ ପ୍ରସ୍ତୁତ ହୋଇଥିବା ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି, ଜନସଭାକୁ ସମ୍ବୋଧନ ଦେଉଛନ୍ତି, ସରକାରଙ୍କ ନୂତନ ଯୋଜନା ଘୋଷଣା କରୁଛନ୍ତି ଏବଂ ନିଜେ ଏହାର ଯଥାର୍ଥତା ଦର୍ଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି ଯୁକ୍ତି ବାଢ଼ୁଛନ୍ତି । ଓଡିଶାର ଗୌରବମୟ ଇତିହାସରେ କେବେ ଆଖି ଆଗକୁ ଆସି ନଥିବା ପରି ଘଟଣା ଘଟୁଛି ଯାହା ସମ୍ପୂର୍ଣ ଭାବେ ଅସ୍ୱାଭାବିକ ଏବଂ ନିୟମ କାନୁନ ସମ୍ମତ ନୁହେଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ସର୍ବପ୍ରଥମେ ବିଷୟ ହେଉଛି ଯେ, ଏବେ ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି ? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି ? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି ? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ତ ସରକାରୀ ସଚିବସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ?
ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଫୋଟରେ ଆସ୍କା ବିଧାୟକ ନିର୍ଦ୍ଧିଷ୍ଟ ନିମ୍ନପଦସ୍ତ ସଚିବ ସ୍ତରୀୟ ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ହିଞ୍ଜିଳିକାଟୁରେ ଉପସ୍ଥିତ ଥିଲେ ଏବଂ କାରରୁ ବାହାରିବା ସମୟରେ ଫୁଲତୋଡ଼ା ଦେଇ ନିମ୍ନପଦସ୍ଥ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ଶାସକ ଦଳର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ନିଜ ଠାରୁ ନିମ୍ନ ପଦସ୍ତ ଆଧିକାରୀଙ୍କୁ ସ୍ୱାଗତ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଏବଂ ସ୍ୱାଗତ କରିବା ଏକ ସାଧାରଣ କଥା କି ? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବିଷୟ ନେଇ ଉକ୍ତ ନିମ୍ନପଦସ୍ତ ସଚିବଙ୍କୁ ସାମ୍ବିଧାନିକ ପ୍ରାଥମିକତା କ୍ରମ, ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳୀ କେଉଁ କାରଣ ପାଇଁ ଭଙ୍ଗ କରାଯାଇଛି ପଚାରିଲେ କି ? ଯଦି ନପଚାରିଛନ୍ତି, ଆଗାମୀ ଦିନରେ ପଚାରିବେ କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ସେହିପରି ଆହୁରି ଏକ ଅସ୍ୱାଭାବିକ ବିଷୟ ବିଗତ ବର୍ଷେ ଦୁଇ ବର୍ଷ ହେବ ଦେଖିଆସୁଛି, ଯାହା ସ୍ୱାଧୀନତା ପରଠାରୁ ଓଡିଶା ଇତିହାସରେ କେବେ ବି ହୋଇ ନଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପଦେଶ ଦେବାପାଇଁ କିମ୍ବା ରାଜ୍ୟର ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କଣ କୌଣସି ଓଡ଼ିଆ ଅଧିକାରୀ ଆଜିର ସମୟରେ ଯୋଗ୍ୟ ନୁହନ୍ତି କି? ବିଶେଷତଃ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ 3 ଜଣ ଅଧିକାରୀ ଦକ୍ଷିଣ ଭାରତୀୟ ଅଟନ୍ତି । ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କ ବିଭିନ୍ନ କ୍ଷେତ୍ରରେ ମାତ୍ରାଧିକ ଦଖଲ କେବଳ ମାତ୍ର ଏକ ସଂଯୋଗ ନା ସୁଚିନ୍ତିତ ଏବଂ ସୁନିୟୋଜିତ ପ୍ରୟାସ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ବହୁ ସଂଖ୍ୟାରେ ଦକ୍ଷିଣ ଭାରତୀୟ କମ୍ପାନୀ ଯେପରିକି Megha Engineering, L&T, Nagarjun Construction Corporation ଇତ୍ୟାଦି ଅନୁଷ୍ଠାନ କିପରି ଭାବେ ସମସ୍ତ ଠିକ କାମ ପାଉଛନ୍ତି ? ଏମାନଙ୍କୁ ସୁହାଇବା ପରି ବିଭିନ୍ନ କାମକୁ ଏକତ୍ରୀକରଣ କରି ବୃହତ ରୁପ ଦିଆଯିବା ଦ୍ୱାରା ଓଡ଼ିଶାର କଣ୍ଟ୍ରାକ୍ଟରମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରିପାରୁନାହାନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଦକ୍ଷିଣ ଭାରତୀୟ ଲବି (South Indian Lobby) ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ସହ ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କୁ ସୁହାଇବା ଭଳି ପଦକ୍ଷପ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ସେହିପରି ଭାବରେ ଓଡ଼ିଶା, ଦକ୍ଷିଣ ଭାରତୀୟ ଖଣି ମାଲିକ ମାନଙ୍କ ସହ ଦେହସୁହା ହୋଇ ସାରିଲେଣି û ଖଣି ପରିଚାଳନା କ୍ଷେତ୍ରରେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ସ୍ଥାନୀୟ ଘରୋଇ ଖଣି ମାଲିକମାନେ ଦକ୍ଷିଣ-ଭାରତୀୟ ନିର୍ଦ୍ଧିଷ୍ଟ ଖଣି ବ୍ୟବସାୟୀଙ୍କୁ Developer cum Operator (MDO) ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦେଶ ଦିଆଯାଇଛି । ଏହା ମାଧ୍ୟମରେ କାୟା ବିସ୍ତାର କରି ବ୍ୟାପକ ହରିଲୁଟ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲେଣି ଯେଉଁଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରମାନେ ସମ୍ପୂର୍ଣ ଭାବେ ଦାୟୀ ଏବଂ ଉତ୍ତରଦାୟୀ । ସମାନ ଭାବେ ଅନ୍ୟ ଏକ ଦକ୍ଷିଣ ଭାରତୀୟ କମ୍ପାନୀ Techmed Solutions Private limited ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ pathological ଏବଂ radiological ପରୀକ୍ଷା କରିବାପାଇଁ ଠିକା ନେଇଛନ୍ତି ।
ରାଜ୍ୟ ସରକାରଙ୍କୁ ପଚରାଯାଉଛି ଯେ ଏହି ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅଵଲମ୍ବନ କରାଯାଇଛି ତ ? ଅଂଶ ଗ୍ରହଣ କରିଥିବା ଅନ୍ୟ ବିଡର ମାନଙ୍କ ନାମ କଣ ? ସେମାନେ ଏହି ପରୀକ୍ଷା କରାଇବା ପାଇଁ କଣ ମୂଲ୍ୟ ଧାର୍ଯ୍ୟ କରିଥିଲେ ? ମୁଁ ପୁଣି ଥରେ ଦୋହରାଇବା ପାଇଁ ଚାହିଁବି ଯେ, ଉକ୍ତ କମ୍ପାନୀ ଗୁଡିକର କାର୍ଯ୍ୟ ଏବଂ ଗୁଣବତ୍ତା ଉପରେ ପ୍ରଶ୍ନ ଉଥାଉନାହିଁ କିନ୍ତୁ କେଉଁ ପରିସ୍ଥିତିରେ ସମସ୍ତ କାମ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ପାଉଛନ୍ତି ଏବଂ ଓଡିଶାର ବ୍ୟବସାୟୀ ମାନେ କାମ ପାଇପାରୁ ନାହାନ୍ତି ? ବିଜେଡି ସରକାରଙ୍କ ୨୩ ବର୍ଷର ସ୍ୱର୍ଣ୍ଣିମ ସମୟରେ କାହିଁକି ଓଡ଼ିଆ କଣ୍ଟ୍ରାକଟର ଏବଂ ବ୍ୟବସାୟୀ ମାନଙ୍କୁ କାହିଁକି ଯୋଗ୍ୟ କରାଗଲା ନାହିଁ ବା ସୁଯୋଗ ଦିଆ ଯାଇନାହିଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ଅନ୍ୟତମ ବିଷୟ ହେଉଛି କିଭଳି ଭାବେ ନିମ୍ନପଦସ୍ଥ ସଚିବ ସ୍ତରୀୟ ଅଧିକାରୀ ରାଜ୍ୟବ୍ୟାପୀ ରାଜନୈତିକ ଗସ୍ତ କରୁଛନ୍ତି ? କିପରି ରାଜ୍ୟ ସରକାରଙ୍କ ବିମାନ ବ୍ୟବହାର କରୁଛନ୍ତି ? କେମିତି ଜନସାଧାରଙ୍କ କାର୍ଯ୍ୟକମରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ଜଣ ସାଧାରଣ ଫୁଲ ପକାଇବା ସହ ପାଦ ଧୋଇବା ଭଳି ଦୃଶ୍ୟ ସାମ୍ନାକୁ ଆସିଅଛି ଏବଂ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି ଏହା ଓଡିଶାର ରାଜନୈତିକ ବ୍ୟବସ୍ତା ପାଇଁ ଏକ ଚିନ୍ତା ଜଣକ ବିଷୟ । ସମସ୍ତ IAS -ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ ମାନିବାପାଇଁ ବାଧ୍ୟ ଅଟନ୍ତି । ଏଭଳି ଅଭାବନୀୟ ଘଟଣା ଆମ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଉନାହିଁ । ଉକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ସମ୍ଭବତଃ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି କିମ୍ବା ଜାଣି ଶୁଣି ନିଜର ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ଉକ୍ତ ନିମ୍ନପଦସ୍ତ ଅଧିକାରୀଙ୍କ ସେବା ଏବଂ ଦାସତ୍ୱରେ ନିଜକୁ ସମର୍ପିତ ହେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।