Home General ଶାନ୍ତି ପାଇଁ ବୁଦ୍ଧିମତା ଓ ବୁଝାମଣା ଜରୁରୀ

ଶାନ୍ତି ପାଇଁ ବୁଦ୍ଧିମତା ଓ ବୁଝାମଣା ଜରୁରୀ

ଭୁବନେଶ୍ୱର : ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ ।

ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ନିମନ୍ତେ ନିଯୁକ୍ତ ହୋଇଥିବା ଶ୍ରୀ ପୁଜୋଲ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆଲୋଚନା କରିଥିଲେ । ଏହି ଅବସରରେ ନିଜ ଅନୁଭୂତି ବଖାଣି ଶ୍ରୀ ପୁଜୋଲ କହିଥିଲେ ଯେ ବିଫଳତା ହିଁ ସଫଳତାର ବାଟ ଦେଖାଇଥାଏ । ୧୦ ବର୍ଷ ବୟସରେ ୟୁନାଇଟେଡ୍ କିଙ୍ଗଡମ୍‌ରେ ପାଠ ପଢ଼ିବା ସମୟରେ ହିଁ ଜଣେ କୁଟନୀତିଜ୍ଞ ହେବେ ବୋଲି ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି ।

କୋଭିଡ ମହାମାରୀ ଓ ଲକ୍ ଡାଉନ୍ ମଣିଷକୁ ଅନେକ ଶିକ୍ଷା ଦେଇଥିବା ବେଳେ ମଣିଷ ଏହି ସମୟ ମଧ୍ୟରେ ନିଜର ଆତ୍ମଚିନ୍ତନ ମଧ୍ୟ କରିବାରେ ସକ୍ଷମ ହୋଇପାରିଛି ବୋଲି ଶ୍ରୀ ପୁଜୋଲ କହିଛନ୍ତି । ଏଥି ସହିତ କରୋନା ମହାମାରୀ ମଣିଷକୁ ପ୍ରକୃତି ସହ ମଧ୍ୟ ଯୋଡ଼ିପାରିଛି ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପୁଜୋଲ କହିଥିଲେ ଯେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ସଠିକ୍ ଭାବେ ପରିଚାଳନା କରିବା । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ବର୍ତମାନ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ ।

ସୋଆକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ପୁଜୋଲ କହିଛନ୍ତି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏଥିରେ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହା ମାନବ ସମାଜ ପାଇଁ ଖୁବ୍ ବଡ଼ ଅବଦାନ ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ସୋଆରେ ଏକ ସେଂଟର ଫର୍ ଲାଙ୍ଗୁଏଜ୍ ଷ୍ଟଡିଜ୍ ଆରମ୍ଭ କରାଯାଇଥିବାର ସୂଚନା ଦେଇଥିଲେ । ଏଠାରେ ଭାରତୀୟ ଭାଷା ସହ ସ୍ପାନିଶ, ଜାପାନିଓ, ଜର୍ମାନ, ଫ୍ରେଂଚ ଏବଂ ମାଣ୍ଡାରିନ୍ ଭାଷାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଓ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।