ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ସହିତ ପରିଷ୍କାର ପରିଚ୍ଛନ୍ନତା ଯୋଗାଇବାର ଦାୟିତ୍ୱ ହେଉଛି ଜନସ୍ୱାସ୍ଥ୍ୟ ବିଭାଗର । ହେଲେ ଜନସ୍ୱାସ୍ଥ୍ୟ ବିଭାଗରେ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିରାଣୀଙ୍କ ପର୍ଯ୍ୟନ୍ତ ଏକାଧିକ ପଦବୀ ଖାଲି ପଡିଛି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଯନ୍ତ୍ରୀ ପାହ୍ୟାରେ ଏତେ ସଂଖ୍ୟକ ପଦବୀ ଖାଲି ପଡିବା ଏବେ ଅନେକଙ୍କ ଆଶ୍ଚର୍ଯ୍ୟ କରିଛି ।
ଜନସ୍ୱାସ୍ଥ୍ୟ ବିଭାଗରେ ରହିଛି ୨୪୨ଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ । ହେଲେ ଏଥିରୁ ଖାଲି ପଡିଛି ୧୯୮ଟି । ୧୮୭ ଜଣ ଯନ୍ତ୍ରୀ ଯୋଗାଇ ଦେବାପାଇଁ ଜଳସମ୍ପଦ ବିଭାକୁ ପତ୍ର ଲେଖାଯାଇଛି । ଦ୍ୱିତୀୟଶ୍ରେଣୀ ପାହ୍ୟାରେ ରହିଛି ୭୯୧ଟି କନିଷ୍ଠ ଯନ୍ତ୍ରୀ ପଦବୀ । ଏଥିରୁ ୫୩୮ଟି ପଦବୀ ଖାଲି ପଡିଛି । ୨୫୩ ଜର କନିଷ୍ଠ ଯନ୍ତ୍ରୀରେ କାମ ଚଳାଯାଉଥିବାବେଳେ ୫୧୨ଟି ପଦବୀ ପୂରଣ ପାଇଁ ଓଡିଶା ଷ୍ଟାଫ ସଲେକ୍ସନ କମିଶନଙ୍କୁ ପତ୍ର ଲେଖାଯାଇଛି ।
କେବଳ ଯନ୍ତ୍ରୀ ନୁହନ୍ତି ଜନସ୍ୱାସ୍ଥ୍ୟ ବିଭାଗରେ ତୃତୀୟ ଶ୍ରେଣୀ ପାହ୍ୟାରେ ଥିବା ୨୪ଟି କନିଷ୍ଠ ସହାୟକ ପଦବୀରେ ଜଣେ ହେଲେ କେହି ନାହାନ୍ତି । ପଦୋନ୍ନତି ଭିତ୍ତିରେ ଏହି ପଦବୀ ପୂରଣ ପାଇଁ ନିଷ୍ପତ୍ତି ହେବା ସହିତ କ୍ଷମତାପନ୍ନ କମିଟି ଠାରୁ ମତ ଲୋଡାଯାଇଛି । ବିଭିନ୍ନ ସର୍କଲରେ ଥିବା ୧୧୮ଟି ସହାୟକ ପଦବୀ ମଧ୍ୟରୁ ୭୧ଟି ଖାଲି ପଡିଥିବାବେଳେ ଏଠାରେ ମଧ୍ୟ ସମାନ ସ୍ଥିତି । ପଦୋନ୍ନତି ଭିତ୍ତିରେ ପୂରଣ ପାଇଁ କ୍ଷମତାପନ୍ନ କମିଟିକୁ ପତ୍ର ଲେଖାଯାଇଛି । ଏହି ସବୁ ଦପ୍ତରେ ଥିବା ୧୨ଟି ମଞ୍ଜୁରୀପ୍ରାପ୍ତ କ୍ଷୀପ୍ରଲେଖକ ପଦବୀରେ ଜଣେ ହେଲେ କେହି ନାହାନ୍ତି ।
ଜନସ୍ୱାସ୍ଥ୍ୟ ଭଳି ଅବସ୍ଥା ଟାଉନ ପ୍ଲାନିଂ ବିଭାଗରେ । ସହରାଞ୍ଚଳରେ ଏହିସବୁ ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏକାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ପଡିଛି । ପ୍ରଥମଶ୍ରେଣୀ ପାହ୍ୟରେ ଥିବା ୧୬ଟି ଟାଉନପ୍ଲାନର ପଦବୀ ସମ୍ପୂର୍ଣ୍ଣ ଫାଙ୍କା ପଡିଛି । ଓଡିଶା ଲୋକସେବା ଆୟୋଗ ଦ୍ୱାରା ଏହିସବୁ ପଦବୀରେ ନୂଆ ନିଯୁକ୍ତି କରିବାକୁ ସ୍ଥିର ହୋଇଥିବା ଜଣାଯାଇଛି । ଦ୍ୱିତୀୟଶ୍ରେଣୀ ପାହ୍ୟରେ ଥିବା ୧୫ଟି ଟାଉନପ୍ଲାନର ପଦବୀ ମଧ୍ୟରୁ ୧୧ଟି ଖାଲି । ଖାଲିଥିବା ଏହି ପଦବୀରେ ନୂତନ ନିଯୁକ୍ତି ବନ୍ଦ ରହିଛି । ତୃତୀୟଶ୍ରେଣୀ ପାହ୍ୟାରେ ଥିବା ୮୦ଟି ପଦବୀ ମଧ୍ୟରୁ ୬୬ଟି ଖାଲି ପଡିଛି । ତେବେ କ୍ଷମତାପନ୍ନ କମିଟି ୪୨ଟି ପଦବୀ ମଞ୍ଜୁର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହଭଭଳି ଚତୁର୍ଥଶ୍ରେଣୀ ପାହ୍ୟାରେ ଥିବା ୬୫ଟି ପଦବୀ ମଧ୍ୟରୁ ୪୪ଟି ଖାଲି ପଡିଛି ।
ନଗର ଉନ୍ନୟନ ବିଭାଗରେ ଏଭଳି ଶହ ଶହ ପଦବୀ ଖାଲି ଏବେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବାବେଳେ ବିଭିନ୍ନ ଯୋଜନା ଚଳାଇବାପାଇଁ ଥିବା ଠିକା କର୍ମଚାରୀମାନେ ବି ଏବେ ଚାକିରି ହରାଇ ବସିଛନ୍ତି । ଯଦିଓ ଏହି କର୍ମଚାରୀମାନେ ନିୟମିତ ଆସି କାମ କରୁଛନ୍ତି, କିନ୍ତୁ ସେମାନଙ୍କ ଠିକା ନିଯୁକ୍ତି ନବୀକରଣ ହୋଇନଥିବାରୁ ଦୁଇମାସ ହେଲା ବିନା ପାଉଣାରେ ଖଟୁଛନ୍ତି । ଏମାନଙ୍କ ଚାକିରି ରହିବ କି ନାହିଁ ଜାଣିପାରୁନଥିବାବେଳେ ଆଠଶହରୁ ଅଧିକ ଠିକା କର୍ମଚାରୀଙ୍କ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରମୁଖ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାରକ ନିରବତା ଅବଲମ୍ବନ କରୁଛନ୍ତି । ଏହା ଫଳରେ ପୌରାଞ୍ଚଳରେ ମୁକ୍ତା ଭଳି ଅନେକ ନିଯୁକ୍ତି ଭିତ୍ତିକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଗଲାଣି । (ତଥ୍ୟ)