Home Judiciary ଶହ ଶହ ଅନୁକମ୍ପା ନିଯୁକ୍ତି ମାମଲା

ଶହ ଶହ ଅନୁକମ୍ପା ନିଯୁକ୍ତି ମାମଲା

କଟକ : ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀମାନଙ୍କ ପରିବାରରୁ ଜଣେ କାହାକୁ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଅଣାଯିବା ପରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରୁ ଦୟା ଓ ଅନୁକମ୍ପା ଶବ୍ଦ ଲୋପ ପାଇଯାଉଛି ବୋଲି ଏଭଳି ନିଯୁକ୍ତିରୁ ବଞ୍ôଚତ ବିପନ୍ନ ପରିବାରର ଲୋକେ ଖୋଲା ଅଭିଯୋଗ କରୁଛନ୍ତି ।

ଏମିତିକି ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ନପାଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପରିବାର ପକ୍ଷରୁ ଆଇନ ଅଦାଲତର ଆଶ୍ରୟ ନିଆଯାଇ ନିଯୁକ୍ତି ପ୍ରସଙ୍ଗରେ ଅଦାଲତଙ୍କ ରାୟ ଆସିବା ପରେ ବି ବହୁ କ୍ଷେତ୍ରରେ କର୍ତ୍ତୃପକ୍ଷ ନିଯୁକ୍ତି ଦେଉନଥିବାରୁ ଏବେ ହାଇକୋର୍ଟରେ ମାଳ ମାଳ ଅଦାଲତ ଅବମାନନା ମାମଲା ରୁଜୁ ହେଉଥିବାବେଳେ ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଜଣିକିଆ ବିଚାରପତିଙ୍କ ବେଞ୍ଚ ଦେଉଥିବା ରାୟ ବିରୁଦ୍ଧରେ ଦୁଇଜଣିଆ ଖଣ୍ଡପୀଠଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଶତାଧିକ ରିଟ୍‍ ଅପିଲ୍‍ ରୁଜୁ କରାଯାଉଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ଏମ୍‍. ଏସ୍‍. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏଭଳି ୧୮୦ରୁ ଅଧିକ ମାମଲା ବିଚାର ପାଇଁ ଆସିଥିଲା ।

ତେବେ ମାମଲା ଗୁଡିକ ସମ୍ପର୍କରେ ଅଧିକ ତଥ୍ୟ ଦେବାପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଏମ୍‍. କେ. ଖୁଣ୍ଟିଆ ସମୟ ଚାହିଁବାରେ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ଆସନ୍ତା ସୋମବାରକୁ ଦିନଧାର୍ଯ୍ୟ କରିବା ସହ କେଉଁ ମାମଲାରେ ପ୍ରତିପକ୍ଷ କେବେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଓ କେବେ ଏହି ପରିବାରର ରୋଜଗାରକ୍ଷମ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲା ତାହାର ତାରିଖ ଆସନ୍ତା ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ କୁହାଯାଇଛି ।

ଇତିମଧ୍ୟରେ ଅନୁରୁପ ଆଉ ଅନେକ ମାମଲାରେ ରିଟ୍‍ ଅପିଲ୍‍ ଦାଖଲ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ମିଳିଛି । ତେବେ ନିଯୁକ୍ତି ପ୍ରତ୍ୟାଶୀଙ୍କ ପକ୍ଷରୁ ବି. ଏସ୍‍. ତ୍ରିପାଠୀ, କେ. କେ. ସ୍ୱାଇଁ, ପ୍ରହଲ୍ଲାଦ କୁମାର ସିଂହ, ଅମୀୟ କୁମାର ଛାଟୋୟୀ, ଶିବ ପ୍ରସାଦ ପତି, ପ୍ରଶାନ୍ତ କୁମାର ମିଶ୍ର, କେ. ସି. ସାହୁ, ବିଶ୍ୱବିହାରୀ ମହାନ୍ତି, ରଣଜିତ୍‍ ମହାନ୍ତିଙ୍କ ସମେତ ଶତାଧିକ ଅଭିଜ୍ଞ ଓକିଲ ହାଇକୋର୍ଟରେ ମାମଲା ପରିଚାଳନା କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ୧୯୯୦ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନକୁ ୨୦୧୬ରେ ସଂଶୋଧନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୨୦ ବର୍ଷରେ ଏହି ଆଇନକୁ ଉଚ୍ଛେଦ କରାଯାଇ ନୂଆ ଆଇନ ଅଣାଯାଇଛି । ନୂଆ ଆଇନ ଆସିବା ପୂର୍ବରୁ ଯେଉଁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ଉତ୍ତରାଧିକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ସେ କ୍ଷେତ୍ରରେ ପୁରୁଣା ଆଇନ ଆଧାରରେ ସେମାନଙ୍କ କଥା ବିଚାର କରି ନିଯୁକ୍ତି ଦିଆଯିବ ଏବଂ ଏ ସ୍ଥଳରେ ନୂଆ ଆଇନ ପିଛିଲା ତାରିଖରୁ କାର୍ଯ୍ୟକାରୀ ହୋଇପାରିବନାହିଁ ବୋଲି ସୁପ୍ରିମ୍‍କୋର୍ଟ ମଳୟାନନ୍ଦ ସେଠୀ ବନାମ ଓଡ଼ିଶା ସରକାର ମାମଲାରେ ସ୍ପଷ୍ଟ କରିଦେବା ସହ ଅନୁକମ୍ପାମୂଳକ ନିଯୁକ୍ତି ତୁରନ୍ତ ନଦେଇ ଏହାକୁ ବର୍ଷ ବର୍ଷ ଧରି ଘୋଷାଡିବା ଅନୁଚିତ୍‍ ବୋଲି ଉଲ୍ଲେଖ କରିବା ପରେ ଓଡିଶା ସରକାର ମଳୟାନନ୍ଦ ସେଠୀଙ୍କୁ ନିଯୁକ୍ତି ଦେଇଛନ୍ତି ।

ନିକଟରେ ଓଡ଼ିଶା ହାଇକୋର୍ଟ ଏହି ରାୟ ଆଧାରରେ ଅନେକ ମାମଲା ମଧ୍ୟ ଫଇସଲା କରିଛନ୍ତି । ଏମିତିକି ମାନ୍ୟବର ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏଭଳି ୬ଟି ମାମଲାର ମିଳିତ ଶୁଣାଣି କରି ପୁରୁଣା ଆଇନ ଆଧାରରେ ନିଯୁକ୍ତି ଦେବାଲାଗି ମଧ୍ୟ ରାୟ ଦେଇଛନ୍ତି ।

ମଳୟାନନ୍ଦ ସେଠୀଙ୍କ ଭଳି ଅନୀଲ ପାଢୀ ନାମକ ଅନ୍ୟଜଣେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରତ୍ୟାଶୀଙ୍କ ପରିବାର ଚଳାଇବା ପାଇଁ ତାଙ୍କ ରୋଗୀଣା ମା’ଙ୍କୁ କିଡ୍‍ନୀ ଦାନ କରିବାକୁ ପଡିଥିବା ସେ କହୁଛନ୍ତି । ଅନୀଲଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଇଥିବାବେଳେ ଆଇନ ବିଭାଗ ବି ହାଇକୋର୍ଟ ରାୟକୁ ସମର୍ଥନ କରି ୨ଥର ମତ ଦେଇଥିବା ସତ୍ତ୍ୱେ ୬ମାସ ଧରି ଅନୀଲ କର୍ତ୍ତୃପକ୍ଷଙ୍କ ନିକଟରେ ନେହୁରା ହୋଇ ତୃତୀୟ ଶ୍ରେଣୀରେ ନହେଲେ ବି ଅନ୍ତତଃ ଚତୁର୍ଥ ଶ୍ରେଣୀରେ ତାଙ୍କୁ ନିଯୁକ୍ତି ଦେବାଲାଗି କହୁଛନ୍ତି । ଅନୀଲଙ୍କ ଭଳି ଅନେକ ପରିବାରଙ୍କ ଦୂରବସ୍ଥା । ଏକ୍ଷେତ୍ରରେ ସରକାର ଦୟାପରବଶ ହୋଇ ଏବଂ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟଙ୍କ ରାୟର ଅନୁସରଣ କରି ପୁରୁଣା ଆଇନ ଆଧାରରେ ତୁରନ୍ତ ନିଯୁକ୍ତି ଦେବା ଓ ନୂଆ ଆଇନକୁ ପ୍ରତ୍ୟାହାର କରିନେବାଲାଗି ଅନେକ ଚାକିରି ପ୍ରତ୍ୟାଶୀ ଓ ସେମାନଙ୍କ ପରିବାର ପକ୍ଷରୁ ବାରମ୍ବାର ଗୁହାରି କରାଯାଉଛି । (ତଥ୍ୟ)