Home Agriculture ଶସ୍ୟ ଉତ୍ପାଦନ ବୃଦ୍ଧିରେ ଓୟୁଏଟିର ବଡ ଅବଦାନ

ଶସ୍ୟ ଉତ୍ପାଦନ ବୃଦ୍ଧିରେ ଓୟୁଏଟିର ବଡ ଅବଦାନ

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର ପ୍ରେକ୍ଷାଳୟ ଉଦଘାଟନ କରିଥିଲେ। ଏଥିରେ୧୦୦୮ ଟି ଆସନ ରହିଛି ।     

ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା,ମାଛ,ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ ସରକାର ଆଳୁ, ପିଆଜ, ପଣସ ଇତ୍ୟାଦି ଅନେକ ମିସନ କରିଥିଲେ । କିନ୍ତୁ ସେ ସବୁ ବିଫଳ ହେଲା । ତେଣୁ ଆମକୁ ଏଥିରେ ସ୍ବାବଲମ୍ବନଶୀଳ ହେବାକୁ ପଡିବ । ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ ସମ୍ପର୍କକରେ ନୂତନ ଜ୍ଞାନ କୈଶଳର ବିକାଶ ପାଇଁ ଓୟୁଏଟିର ବୈଜ୍ଞାନିକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସେମାନେ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରିବା ପାଇଁ ସେ ପରାମର୍ଷ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଜି ଏକ ବିକଶିତ ରାଷ୍ଟ୍ରହେବା ଲକ୍ଷ୍ୟରେ ଅଗ୍ରଗତି କରୁଛି। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ସବୁ ସମୟରେ କୃଷକମାନଙ୍କୁ ଅନ୍ନଦାତାର ଆଖ୍ୟାଦେଇ ସମ୍ମାନିତ କରିଆସିଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମୋଦୀଜୀଙ୍କ ପ୍ରେରଣାରେ ଓଡିଶା ସରକାର କୃଷକ ମାନଙ୍କ ଉନ୍ନତି ପାଇଁ  ଅନେକ ଯୋଜନା କରିଛନ୍ତି । ଓଡିଶାରେ ଆମେ ପିଏମ କିସାନ ସହିତ ସିଏମ କିସାନ ମଧ୍ୟ କାର୍ଯ୍ୟକାରୀ କରୁଛୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ସବୁ କୃଷକଙ୍କୁ ସାମିଲ କରାଯିବ ।

କୃଷି କ୍ଷେତ୍ରପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବର୍ଣ୍ଣନାକରି ସେ କହିଲେ ଯେ ନିକଟରେ, ଆମ ସରକାର ରାଜ୍ୟରେ କୃଷକ-ଅନୁକୂଳ ନୀତି ଅନୁସରଣ କରି ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପିଲାମାନଙ୍କୁ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ “କୃଷି ବିଦ୍ୟାନିଧି” ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି। “ବସୁଧା କେନ୍ଦ୍ର” ଯୋଜନା ମାଧ୍ୟମରେ ପ୍ରତି ବ୍ଲକରେ ରହିଥିବା ମଣ୍ଡିଗୁଡିକରେ ଶସ୍ୟ ରହିବା ସ୍ଥାନ, କୃଷକଙ୍କ ବିଶ୍ରାମ ସ୍ଥାନ ଏବଂ ଗୋଦାମ ଘର ନିର୍ମାଣ କରାଯାଉଛି।

  “ଇ-ନାମ୍” ମାଧ୍ୟମରେ ଓଡିଶାର ସମସ୍ତ ମଣ୍ଡି ମଧ୍ୟରେ ସଂଯୋଗ ସ୍ଥାପନ କରାଯିବା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟରେ ଜୈବିକ କୃଷି ଏବଂ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ସରକାରଙ୍କ ତରଫରୁ ‘ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ “ଶ୍ରୀ ଅନ୍ନ” ଯୋଜନା ଆରମ୍ଭ କରାଯାଉଛି। ସ୍ବଳ୍ପ ଉତ୍ପାଦିତ ଫସଲଗୁଡିକର ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧତା ମାଧ୍ୟମରେ ସ୍ୱତନ୍ତ୍ର ଭାବେ ପ୍ରୟାସ କରାଯାଇଛି। ଏ ଦିଗରେ ଓୟୁଏଟି ତରଫରୁ ପିଲିପେସରା ଫସଲର ଆମ ଦେଶରେ ପ୍ରଥମ କିସମ “ପ୍ରଥମ” ବିକଶିତ ହେବା ଆମ ପାଇଁ ଖୁସିର ବିଷୟ। ଏହା ଏକ ଡାଲିଜାତୀୟ ଗୋଖାଦ୍ୟ ଫସଲ ଅଟେ। ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ଚଳିତ ମାସ ୧୧ ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ ୫୮ଟି ସବ୍‌ଡିଭିଜନରେ ଅନ୍ତତଃ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟର ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ପାଳନ, କୃଷି ଯାନ୍ତ୍ରିକୀକରଣ, କୃଷି ବନୀକରଣ, ମତ୍ସ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ ଆଦି ବିଷୟରେ ଶିକ୍ଷାଦାନ ଓ ଗବେଷଣା କରାଯିବା ଆନନ୍ଦର ବିଷୟ।  ଏହା ଦ୍ୱାରା କୃଷକମାନଙ୍କ ବହୁବିଧ ସମସ୍ୟାକୁ ଗୋଟିଏ ସ୍ଥାନରେ ସମାଧାନ କରାଯାଇପାରିବ। ଜିଲ୍ଲା ସ୍ତରରେ ରହିଥିବା କୃଷି ବିଜ୍ଞାନ କେନ୍ଦ୍ର ମାନ ଏସବୁ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ଫଳପ୍ରଦ ଭାବେ ପହଞ୍ଚାଇ ପାରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହିଥିଲେ।

ଆମ ରାଜ୍ୟରେ ରହୁଥିବା ତଫସିଲଭୁକ୍ତ ଜାତି ଏବଂ ଜନଜାତି, ଅର୍ଥନୈତିକ ଅନଗ୍ରସର ଲୋକମାନେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ସହିତ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାର ଏହା ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ମତ ଦେଇଥିଲେ ।

ସେସବୁ ବର୍ଗର ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ଓୟୁଏଟି ତରଫରୁ “ଅନୁସୂଚିତ ଜନଜାତି ସବ୍‌ ପ୍ଲାନ୍‌ ଏବଂ ଅନୁସୂଚିତ ଜାତି  ସବ୍ ପ୍ଲାନ୍ ଯୋଜନା” ମାଧ୍ୟମରେ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବା ନିତାନ୍ତ ଆବଶ୍ୟକ।

କୃଷି ବୈଜ୍ଞାନିକମାନେ ରାଜ୍ୟରେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗବେଷଣା ଜାରି ରଖିବା ଦରକାର। ଗବେଷଣାର ସୁଫଳ କିପରି ପ୍ରତ୍ୟକ୍ଷ ଭାବେ କୃଷକମାନଙ୍କ ଉପକାରରେ ଆସିପାରିବ ସେଥିପାଇଁ ପ୍ରଚେଷ୍ଟା କରାଯିବା ଆବଶ୍ୟକ। ଏ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।

ଏଠାରେ ଉପସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରୁଥିବାର ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ। 

ତତ୍‌ସହିତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭାଗିରଥ ଚୌଧୁରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଆମ ଓଡିଶାରେ ସଠିକ ରୂପେ କାର୍ଯ୍ୟାନ୍ବୟନ କରିବାର ବ୍ୟବସ୍ଥାକୁ ନିୟମିତ ତଦାରଖ କରି ଆମ ରାଜ୍ୟକୁ କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଗଢି ତୋଳିବାରେ ସହାୟକ ହେବେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୃତୀ ବୈଜ୍ଞାନିକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।