Home Environment ଶବ୍ଦ ପ୍ରଦୂଷଣ ବଢ଼ୁଛି ରୋଗ ବ୍ୟାଧି

ଶବ୍ଦ ପ୍ରଦୂଷଣ ବଢ଼ୁଛି ରୋଗ ବ୍ୟାଧି

ଭୁବନେଶ୍ୱର : ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ପରେ ଏବେ ଓଡ଼ିଶା ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ଶବ୍ଦ ପ୍ରଦୂଷଣ । ଶବ୍ଦ ପ୍ରଦୂଷଣ ରୋକିବା ଲାଗି ବାରମ୍ବାର ପ୍ରଶାସନ ଓ ପୋଲିସ ପକ୍ଷରୁ ସତର୍କ କରାଯାଉଥିଲେ ମଧ୍ୟ ସଚେତନତା ଅଭାବରୁ କାହାକୁ କେହି ମାନୁ ନାହାନ୍ତି । ଫଳରେ ଶବ୍ଦ ପ୍ରଦୂଷଣ ଜନିତ କାରଣରୁ ବହୁ ଲୋକ ମୃତାହତ ହେଉଛନ୍ତି ଏବଂ ଏଥିଯୋଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ନିକଟରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ଦେବୀ ପ୍ରସାଦ ରଥଙ୍କ ଅକଳା ମୃତ୍ୟୁ ଶବ୍ଦ ପ୍ରଦୂଷଣ ଜନିତ କାରଣରୁ ହୋଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଖୋଲା ଅଭିଯୋଗ କରାଯିବା ପରେ ଏଥିଘେନି ପୁଣି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତିନୋଟି ଡିଜେ ଦଳର ଶବ୍ଦ ପ୍ରଦୂଷଣର ପ୍ରତିଯୋଗିତା ଭିତରେ ହୃଦରୋଗରେ ପୂର୍ବରୁ ଆକ୍ରାନ୍ତ ଥିବା ଦେବୀ ପ୍ରସାଦ ବଳି ପଡ଼ିଛନ୍ତି ବୋଲି କୁହାଯାଉଛି । ଆଗରୁ ବି ଏଭଳି ଅନେକ ଅଭିଯୋଗ ରାଜ୍ୟର କୋଣ ଅନୁକୋଣରୁ ଆସୁଥିଲେ ମଧ୍ୟ ଶବ୍ଦ ପ୍ରଦୂଷଣକୁ ସଂପୂର୍ଣ୍ଣ ଭାବେ ରୋକାଯାଇପାରୁ ନାହିଁ ।

ପରିବେଶବିତ୍‍ମାନେ କହୁଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମା୍‍ର୍ଗ ନିର୍ଦ୍ଦେଶିକା ଅନୁଯାୟୀ ୩୦ ଡେସିବଲ୍‍ ପର୍ଯ୍ୟନ୍ତ ଶବ୍ଦ ଆଦୌ କ୍ଷତିକାରକ ନୁହେଁ । ୬୫ ଡେସିବଲ୍‍ ପର୍ଯ୍ୟନ୍ତ ଶବ୍ଦ ଚଳନୀୟ । ତେବେ ୭୫ ଡେସିବଲ୍‍ରୁ ଅଧିକ ଶବ୍ଦ କ୍ଷତିକାରକ ହୋଇଥିବା ବେଳେ ଏହାର ପରିମାଣ ୧୨୦ ଡେସିବଲ୍‍ ଟପିଲେ ତାହା ଯନ୍ତ୍ରଣାଦାୟକ ଓ ମାରାତ୍ମକ ହୋଇଥାଏ । ୟୁରୋପୀୟ ପରିବେଶ ସଂସ୍ଥାର ଗବେଷଣା ରିପୋର୍ଟ ଅନୁଯାୟୀ ଶବ୍ଦ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଅତିକମ୍‍ରେ ୪୮ ହଜାର ନୂଆ ହୃଦରୋଗୀ ସୃଷ୍ଟି ହେଉଥିବାବେଳେ ୧୨ ହଜାରଙ୍କର ମୃତ୍ୟୁ ଘଟୁଛି । ଆମ ରାଜ୍ୟ ଓ ଦେଶରେ ଏହାର ପରିମାଣ କେତେ ସେ ସଂକ୍ରାନ୍ତରେ ଏଯାବତ୍‍ ପୂର୍ଣ୍ଣାଙ୍ଗ ତଥ୍ୟ ସଂଗ୍ରହ କରାଯାଇନାହିଁ ।

ଡାକ୍ତରମାନଙ୍କ ତଥ୍ୟ ମୁତାବକ ଶବ୍ଦ ପ୍ରଦୂଷଣ ଯୋଗୁ ଅନେକ ଲୋକ ଶୁଣିବା ଶକ୍ତି ହରାଉଥିବାବେଳେ ନିଦ୍ରାହୀନତା, ମାନସିକ ଚାପ, ହୃଦରୋଗ, ରକ୍ତଚାପ, ବ୍ରେନ୍‍ ଷ୍ଟ୍ରୋକ୍‍, ସ୍ମୃତି ବିଭ୍ରାଟ, ମଧୁମେହ ଆଦି ରୋଗମାନ ହେଉଛି । ଏହାଛଡ଼ା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପଡୁଛି । ଏଥିଯୋଗୁ ବିଭିନ୍ନ ପ୍ରକାରର ମସ୍ତିଷ୍କ ସମସ୍ୟା ମଧ୍ୟ ଉପୁଜୁଛି । ବିଶେଷକରି ଶାରୀରିକ ଓ ମାନସିକ ସ୍ତରରେ ମଣିଷ ଶବ୍ଦ ପ୍ରଦୂଷଣ ଯୋଗୁ ଦୁର୍ବଳ ହେଉଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଶବ୍ଦ ପ୍ରଦୂଷଣ ଯୋଗୁ କଲବଲ ହେଉଥିବାବେଳେ କୁକୁରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପଶୁମାନେ ବି ଏଥିଯୋଗୁ ସନ୍ତୁଳନ ହରାଉଛନ୍ତି ।

ପର୍ବପର୍ବାଣୀ, ସଭା, ଶୋଭଯାତ୍ରା ଆଦିରେ ଡିଜେ ସମେତ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରାଯାଉଛି । ଶୋଭାଯାତ୍ରା ଆଦିଲାଗି ପୁଲିସ ଅନୁମତି ଦେବା ବେଳେ ଶବ୍ଦ ପ୍ରଦୂଷଣ ସଂକ୍ରାନ୍ତୀୟ ସର୍ତ୍ତ ବି ରହୁଛି । କିନ୍ତୁ ଏହାକୁ ସଂଖ୍ୟାଧିକ ସ୍ଥଳରେ ଉଲ୍ଲଂଘନ କରାଯାଉଥିବାବେଳେ ସେମିତି କିଛି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ନିକଟରେ ଯାଇଥିବା ଦୀପାବଳି ପର୍ବ ଅବସରରେ ବାଣ ଫୁଟା ଉପରେ କଡ଼ା କଟକଣା ଜାରି କରାଯାଇଥିବା ବେଳେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହାର ଖୋଲା ଉଲ୍ଲଂଘନ ହେଲା । ଏଥିଯୋଗୁ ବାୟୁମଣ୍ଡଳ ବିଷାକ୍ତ ହେବା ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ଘଟିଲା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଇନ୍‍ଗତ ବ୍ୟବସ୍ଥା ଥିବାବେଳେ ତାହାର ଅନୁପାଳନ ହେଉନାହିଁ କିମ୍ବା ଲୋକେ ମଧ୍ୟ ନିଜ ନିଜ ନିରାପତ୍ତା ପାଇଁ ଶୃଙ୍ଖଳିତ ଭାବେ ଏହାକୁ ମାନୁ ନାହାନ୍ତି । ତେଣୁ ଏବେ ଶବ୍ଦ ପ୍ରଦୂଷଣ ଏକ ବଡ଼ ବିପତ୍ତି ଭାବେ ଉଭା ହୋଇଛି । (ତଥ୍ୟ)