Home Administration ଶତ ପ୍ରତିଶତ ହୋଇପାରୁନି ଓଡିଆରେ କାମ

ଶତ ପ୍ରତିଶତ ହୋଇପାରୁନି ଓଡିଆରେ କାମ

ଭୁବନେଶ୍ୱର : ଏବେ ପୁଣି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଚିଠିପତ୍ର କାମ ଓଡ଼ିଆ ଭାଷାରେ ଆରମ୍ଭ ହୋଇଛି । କେତେକ ଦପ୍ତରରେ ବି ଅଧିକାରୀମାନେ ଓଡ଼ିଆରେ ନଥି କାମ କରୁଛନ୍ତି । ତେବେ ସମସ୍ତ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର ଶତପ୍ରତିଶତ ହୋଇପାରି ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଆ ସରକାରୀ ଭାଷା ଆଇନ୍‍ ପ୍ରଣୀତ ହୋଇଥିଲା । ନବକୃଷ୍ଣ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଯିବା ପରେ ପ୍ରାୟ ୩୦ବର୍ଷ ଧରି ଏହି ଆଇନ୍‍ ଅଳିଆ ଗଦାରେ ପଡିଥିଲା । ଜନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପୁଣି ସରକାରୀ ନଥି ଓ ଚିଠିପତ୍ର କାମ ଓଡ଼ିଆରେ କିଛିବର୍ଷ ଚାଲିଥିଲା । ସେତେବେଳେ ଓଡ଼ିଆ ଟାଇପ୍‍ ରାଇଟର୍‍ର ବ୍ୟବହାର ମଧ୍ୟ ବଢ଼ିଥିଲା ଏବଂ ପ୍ରଶାସନିକ ଶବ୍ଦକୋଷ ସମେତ କେତେକ ସହାୟକ ପୁସ୍ତକ ବି ପ୍ରକାଶ ପାଇଥିଲା । ଓଡ଼ିଆ ଭାଷାରେ ନଥି ନଆସିଲେ ଜାନକୀବାବୁ ତାହା ଫେରାଉ ଦେଉଥିଲେ । ଏଥିଯୋଗୁ ଅଧିକାରୀମାନେ ଓଡ଼ିଆରେ ଦପ୍ତର କାମ କରିବାକୁ ବାଧ୍ୟ ହେଉଥିଲେ ।

ଏହାପରେ ପୁଣି ପ୍ରାୟ ୨୫ବର୍ଷ ଧରି ସରକାରୀ ଦପ୍ତରଗୁଡ଼ିକରେ ଓଡ଼ିଆ ଭାଷା ବ୍ୟବହାରକୁ ଅଣଦେଖା କରାଯାଉଥିଲା । ଏମିତିକି ଗୋଟିଏ ସମୟରେ ମହାବିଦ୍ୟାଳୟରୁ ଓଡ଼ିଆ ବିଷୟ ଉଚ୍ଛେଦ କରିବା ପାଇଁ ମଧ୍ୟ ପ୍ରସ୍ତାବ ଥିଲା । ଓଡ଼ିଆରେ ଓଡ଼ିଶା ସରକାରଙ୍କ କାମ ଚାଲିବା ଓ ଏହାର ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡବିଧାନ ଦାବିରେ ଦୀର୍ଘବର୍ଷ ଧରି ପୁଣି ଆନ୍ଦୋଳନ ଚାଲିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଆ ସରକାରୀ ଭାଷା ଅଧିନିୟମ ଆଣିବା ସହିତ ଏହାର ପ୍ରୟୋଗ ପାଇଁ ବାରମ୍ବାର ଘୋଷଣାନାମା ଜାରି କରୁଥିଲେ ବି ତାହାର ବିଶେଷ ସୁଫଳ ମିଳୁନଥିଲା ।

ଗତ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଓଡ଼ିଶାରେ ଓଡ଼ିଆ ଅସ୍ମିତା ଏକ ପ୍ରମୁଖ ପ୍ରସଂଗ ହୋଇଥିଲା । ବିଶେଷକରି ବିଜେପି ଏହା ଜୋରଦାର ଉଠାଉଥିଲା । ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ହେବା ପରେ ପୁଣି ଓଡ଼ିଆ ଭାଷାରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ବିଭାଗକୁ ମଧ୍ୟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟ ଏଥିଘେନି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ବାରମ୍ବାର ତାଗିଦ୍‍ କରିବା ସହିତ ଅଧିକାରୀମାନଙ୍କ ଓଡ଼ିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି । ଏବେ ଅନେକ ଦପ୍ତରର ଚିଠିପତ୍ର ଓ ଅନ୍ୟାନ୍ୟ ବିଜ୍ଞପ୍ତି ଓଡ଼ିଆରେ ପ୍ରକାଶ ପାଉଥିଲେ ମଧ୍ୟ କେତେକ ସ୍ଥଳରେ ଏହା ଉଲ୍ଲଂଘନ ହେଉଛି । ସାଧାରଣ ପ୍ରଶାସନ, ଅର୍ଥ, ରାଜସ୍ୱ ଭଳି ବିଭାଗମାନ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଓଡ଼ିଆରେ ପ୍ରଶାସନିକ କାର୍ଯ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଜନସାଧାରଣଙ୍କ ପକ୍ଷରୁ ଆସୁଥିବା ଆପତ୍ତି ଅଭିଯୋଗ ଓ ସ୍ମାରକପତ୍ର ଆଦିରୁ ଅଧିକାଂଶ ଇଂରାଜୀରେ ଲେଖାଯାଉଥିବା ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାରଙ୍କୁ ଓଡ଼ିଆ ଲୋକେ ସେମାନଙ୍କ ସମସ୍ୟା ଓଡ଼ିଆ ଭାଷାରେ ଜଣାଇବା ପାଇଁ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଉଛନ୍ତି । ଏହା ସତ୍ତ୍ୱେ ବି ପରାଧୀନତାର ମାନସିକତା ଯୋଗୁ ଏବେ ମଧ୍ୟ ଅନେକ ସ୍ଥାନରେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ବ୍ୟବହୃତ ହେଉଛି । ଏମିତିକି ଓଡ଼ିଶାରେ ବିବାହ, ବ୍ରତପୋନୟନ ଆଦି ଅନେକ ସାମାଜିକ କାର୍ଯ୍ୟରେ ନିମନ୍ତ୍ରଣ ପତ୍ର ମଧ୍ୟ ଇଂରାଜୀରେ ଛପା ଯାଉଛି ।

କେବଳ ସେତିକି ନୁହେଁ, ରାଜନେତାମାନେ ସେମାନଙ୍କ ନବବର୍ଷର ଅଭିନନ୍ଦନ ବି ଇଂରାଜୀରେ ଛାପୁଛନ୍ତି । ଏହି ରୁଗ୍‍ଣ ମାନସିକତାରୁ ସୁଧୁରିବା ସହ ନିଜ ପିଲାମାନଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ ହେଲେ ଓଡ଼ିଆ ଭାଷାର ମର୍ଯ୍ୟାଦା ଢେର ବୃଦ୍ଧି ପାଆନ୍ତା ବୋଲି ଭାଷାବିତ୍‍ମାନେ ମତବ୍ୟକ୍ତ କରୁଛନ୍ତି । ତେବେ ଏଥିଲାଗି ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦକ୍ଷ ଓଡ଼ିଆ ଶିକ୍ଷକ ନିଯୁକ୍ତି ଉପରେ ସେମାନେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)