ଭୁବନେଶ୍ୱର : ସହରାଞ୍ଚଳବାସୀଙ୍କୁ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ବାରମ୍ବାର ଘୋଷଣା ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ କଟକ ସହରର ସମସ୍ତ ବାସିନ୍ଦା ଏହି ସୁବିଧା ପାଇପାରି ନାହାନ୍ତି । ଏହି ଦୁଇ ମହାନଗରର ସମସ୍ତ ବାସିନ୍ଦା ଏଥିରେ ସାମିଲ ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ମାସକୁ ସମୟ ଧାର୍ଯ୍ୟ ହୋଇଛି ।
ବର୍ତ୍ତମାନ ରାଜ୍ୟର ୧୬ଟି ସହରାଞ୍ଚଳରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ ଯୋଜନାର କାର୍ଯ୍ୟ ଜାରି ରହିଛି । ଏହିସବୁ ସହରାଞ୍ଚଳ ମଧ୍ୟରେ ଭୁବନେଶ୍ୱର, କଟକ ସମେତ ଖୋରଧା, ଜଟଣୀ, ବ୍ୟାସନଗର, ପିପିଲି, ରାଉରକେଲା, କେନ୍ଦୁଝର, ଯୋଡା, ବଡବିଲ୍, ବାରିପଦା, ଉଦଳା, କରଞ୍ଜିଆ, ଭଞ୍ଜନଗର, ବେଲପାହାଡ ଓ ସମ୍ବଲପୁର ରହିଛି । ଏହିସବୁ ପୌରାଞ୍ଚଳ ମଧ୍ୟରେ ବେଲପାହାଡ ଓ ସମ୍ବଲପୁର ଲୋକଙ୍କ ପାଇଁ ୨୦୨୭ ମସିହା ଡିସେମ୍ବରକୁ ସମୟ ଧାର୍ଯ୍ୟ ହୋଇଛି । ଅର୍ଥାତ୍ ଏହି ଦୁଇ ସହରର ସମସ୍ତ ଲୋକେ ଆଉ ପ୍ରାୟ ଅଢେଇ ବର୍ଷ ପରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ପାଇବେ । ବେଲପାହାଡ ପୌରାଞ୍ଚଳ ପାଇଁ ୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସେଥି ମଧ୍ୟରୁ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇପାରି ନାହିଁ । ସମ୍ବଲପୁରରେ ୮୦ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ଗୋଟିଏ ସମ୍ପୂର୍ଣ୍ଣ ହୋଇଛି ।
ଭୁବନେଶ୍ୱରର ସମସ୍ତ ଲୋକଙ୍କୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ୧୫୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରୁ ୧୪୧ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । କଟକ ସହରରେ ୫୫ଟି ପ୍ରକଳ୍ପ ମଧ୍ୟରୁ ୪୬ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୯ଟିର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ପୌରାଞ୍ଚଳ ପାଇଁ ୧୩ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସେଥିରୁ ମାତ୍ର ୫ଟି ସମ୍ପୂର୍ଣ୍ଣ ହୋଇପାରିଛି ।
ତେବେ ଏହି ୧୬ଟି ପୌରାଞ୍ଚଳ ମଧ୍ୟରୁ ରାଉରକେଲା, କେନ୍ଦୁଝର, ଯୋଡା, ବଡବିଲ୍, ବାରିପଦା ଓ ଉଦଳା ପୌରାଞ୍ଚଳରେ ସମସ୍ତ ଲୋକଙ୍କୁ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାରେ ପାନୀୟଜଳ ଯୋଗାଣ ପାଇଁ ଚଳିତ ବର୍ଷ ଡିସେମ୍ବର ମାସକୁ ସମୟ ଧାର୍ଯ୍ୟ ହୋଇଛି । ଏହି ୬ଟି ପୌରାଞ୍ଚଳ ସମେତ ବେଲପାହାଡ ଓ ସମ୍ବଲପୁରକୁ ବାଦ୍ ଦେଲେ ଅନ୍ୟ ୮ଟି ପୌରାଞ୍ଚଳରେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୬ ମାର୍ଚ୍ଚକୁ ସମୟ ଦିଆଯାଇଛି ।
ଇତି ମଧ୍ୟରେ ୧୧ଟି ସହରାଞ୍ଚଳରେ ଶତ ପ୍ରତିଶତ ଲୋକଙ୍କୁ ଏହି ପାନୀୟଜଳ ପ୍ରକଳ୍ପରେ ସାମିଲ କରାଯାଇଛି । ଏଥି ସହିତ ୩୨୪ ଡିଏମଏରେ ମଧ୍ୟ ସମସ୍ତ ଲୋକ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାରେ ସାମିଲ ହୋଇଛନ୍ତି । ତେବେ କୋଣାର୍କ ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଡିପିଆର ପର୍ଯ୍ୟାୟରେ କାର୍ଯ୍ୟ ଥିବାବେଳେ ଝାରସୁଗୁଡା ପାଇଁ କୌଣସି ଅଗ୍ରଗତି ହୋଇନାହିଁ । ତେବେ ଏହି ଦୁଇ ସହରାଞ୍ଚଳ ପାଇଁ ୨୦୨୭ ଡିସେମ୍ବରକୁ ସମୟ ଧାର୍ଯ୍ୟ ହୋଇଛି । (ତଥ୍ୟ)