ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ରାଜ୍ୟ ସରକାର ଓଡିଶାକୁ ପୂର୍ଣ୍ଣ ସାକ୍ଷର କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଖସଡା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।
୨୦୧୧ ମସିହାରେ ଶେଷଥର ପାଇଁ ହୋଇଥିବା ଜନଗଣନା ସମୟରେ ରାଜ୍ୟରେ ସାକ୍ଷରତା ହାର ପାଖାପାଖି ୭୩ପ୍ରତିଶତ ରହିଥିଲା । ସେତେବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାକ୍ଷରତା କ୍ଷେତ୍ରରେ ବଡ ଫରକ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକରେ ସାକ୍ଷରତା ହାର ଢେର କମ୍ ରହିଥିଲା । ୨୦୧୧ରେ ରାଜ୍ୟର ସହରାଞ୍ଚଳରେ ସାକ୍ଷରତା ହାରତା ୮୫ ପ୍ରତିଶତ ଉପରେ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୭୦ ପ୍ରତିଶତରୁ ସାମାନ୍ୟ ଅଧିକ ରହିଥିଲା । ଏହା ପରଠାରୁ ବିଭିନ୍ନ ବେସରକାରୀ ସ୍ତରରେ ସାକ୍ଷରତା ସଂକ୍ରାନ୍ତରେ ହୋଇଥିବା ଆକଳନରୁ ଜଣାଯାଇଛି ଯେ ରାଜ୍ୟର ସାକ୍ଷରତା ହାର ଏବେ ୭୫ ପ୍ରତିଶତକୁ ଅତିକ୍ରମ କରିଥିବାବେଳେ ଉପକୂଳ ଜିଲ୍ଲାଗୁଡିକରେ ଏହା ୮୫ ପ୍ରତିଶତରୁ ଅଧିକ ରହିଛି ।
ତେବେ ରାଜ୍ୟର ସମସ୍ତ ଜିଲ୍ଲା ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ସାକ୍ଷରତା ହାରକୁ ୨୦୩୬ ସୁଦ୍ଧା ଶତ ପ୍ରତିଶତରେ ପହଞ୍ଚାଇବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସମ୍ପୂର୍ଣ୍ଣ ସାକ୍ଷରତା ହାସଲକୁ ନେଇ ମାନସ ମନ୍ଥନ ହୋଇଛି ।
ରାଜ୍ୟରେ ଏବେ ପ୍ରାଥମିକ ସ୍ତରରେ ନାମଲେଖା ଶତ ପ୍ରତିଶତ ପାଖପାଖି ହେଉଥିବାବେଳେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡିବା କିନ୍ତୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ବାଧାରେ ଉତ୍ତୀର୍ଣ୍ଣ ହୋଇଯାଉଥିବାବେଳେ ନବମ ଓ ଦଶମଶ୍ରେଣୀ ପରୀକ୍ଷା ସମୟରେ ଅନେକ ପାଠ ଛାଡି ଦେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଓ ପଶ୍ଚିମଓଡିଶାରେ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି । ଏପରିକି ମାଟ୍ରିକ ପରୀକ୍ଷାପାଇଁ ଫର୍ମ ପୂରଣ କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ବସୁନାହାନ୍ତି ।
ସେହିଭଳି ଚତୁର୍ଥ ଓ ପଞ୍ଚମଶ୍ରେଣୀରେ ପଢୁଥିବା ପିଲାଙ୍କ ମେଧା ଜ୍ଞାନ ଦୁର୍ବଳ ରହୁଥିବା ନେଇ ବାରମ୍ବାର ଅଭିଯୋଗ ହେବାରେ ଲାଗିଛି । ଏହିସବୁ ଶ୍ରେଣୀରେ ପଢୁଥିବା ପିଲାମାନେ ଇଂରାଜୀରେ ନିଜ ନାମ ଲେଖିପାରୁନଥିବାବେଳେ ସାଧାରଣ ମିଶାଣ ଫେଡାଣ ମଧ୍ୟ କରିପାରୁ ନାହାନ୍ତି । ତେଣୁ ଶିକ୍ଷାର ମାନ କିଭଳି ବୃଦ୍ଧି ପାଇବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଭାରତ ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖିଥିବାବେଳେ ରାଜ୍ୟମାନେ ମଧ୍ୟ ନିଜ ନିଜ ସ୍ତରରେ ଏଥିପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ସେହି ଅନୁଯାୟୀ ଓଡିଶା ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଏଥିପାଇଁ ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଥମ ପାହାଚ ଭାବେ ରାଜ୍ୟରେ ଶତ ପ୍ରତିଶତ ସାକ୍ଷରତା ଆବଶ୍ୟକ ହେଉଥିବାରୁ ଏବେ ଏହି ଲକ୍ଷ୍ୟ ହାସଲ ପାଇଁ ଖସଡା ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । (ତଥ୍ୟ)