Home Infrastructure ଶକ୍ତି ପ୍ରକଳ୍ପ ଲୋକାର୍ପିତ

ଶକ୍ତି ପ୍ରକଳ୍ପ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ୱସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାୱାର କଟ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଗ୍ରୀଡ ଦ୍ୱାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସରକିଟ ଲାଇନ ଜୁନାଗଡକୁ ସଂଯୁକ୍ତ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ୱରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି । କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି। ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯେ କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ୱରାନ୍ୱିତ କରିବ ।

ବାନେର୍ ଠାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍ସପ୍ରେସ ୱେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ। ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି। ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ କଳାହାଣ୍ଡିର କେତେକ ଜନସାଧାରଣ କାର୍ୟ୍ୟକ୍ରମରେ ଭାଗ ନେଇ ବିଦ୍ୟୁତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଓପିଟିସିଏଲର ଅଧ୍ୟକ୍ଷ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନରଲା ବିଧାୟକ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ଯୋଗ ଦେଇଥିଲେ। ଶକ୍ତି ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।