Home News in Odia ଲୋକାୟୁକ୍ତ ପଦବୀ ପୂରଣ ନେଇ ମିଛ କହୁଛନ୍ତି

ଲୋକାୟୁକ୍ତ ପଦବୀ ପୂରଣ ନେଇ ମିଛ କହୁଛନ୍ତି

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିଳମ୍ୱକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ମନ୍ତ୍ରୀ ଶ୍ରୀ ପୂଜାରୀ ଡାହା ମିଛ କହିଛନ୍ତି ଯାହା ମାଧ୍ୟମରେ ସେ ତାଙ୍କ ସରକାରଙ୍କୁ ଲୋକନିନ୍ଦାରୁ ବଞ୍ଚାଇବା ପାଇଁ ଅପପ୍ରୟାସ କରୁଛନ୍ତି ।

ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ମନ୍ତ୍ରୀ ଶ୍ରୀ ପୂଜାରୀ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ୱକୁ ନେଇ ସାମ୍ୱାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ, ୨୪ ବର୍ଷରେ ହୋଇନଥିଲା ୨ ବର୍ଷ ବିଳମ୍ୱ କ’ଣ ବେଶୀ ହୋଇଗଲା କି ବୋଲି ପାଲଟା ପ୍ରଶ୍ନ କରିଥିଲେ । ୨ ବର୍ଷ ବଡ଼ ନା ୨୪ ବର୍ଷ ବଡ଼ ଓ ୨ ବର୍ଷ ଯେପରି ଦୁଇ ଶତାବ୍ଦୀ ସହ ସମାନ ବୋଲି କହିବା ସହିତ ବିଜେଡି ସରକାରଙ୍କ ଆଡ଼କୁ ଦୋଷ ଠେଲି ଦେଇଥିଲେ ।

 ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ସମସ୍ତ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳିଥିବା ବେଳେ ନିଜ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଜେପି ମିଛର ସାହାରା ନେଇ ୨୪ ବର୍ଷର ବିଜେଡି ସରକାର ଉପରେ ଦୋଷ ଲଦିବାକୁ ଅପପ୍ରୟାସ କରୁଛି । ମିଛ ଯେପରି ବିଜେପିର ପୁଞ୍ଜି ହୋଇଛି । ନିର୍ବାଚନ ସମୟରେ ଅନେକ ଗୁଡିଏ ମିଛ ପ୍ରତିଶ୍ରୁତି ଓ ମିଛ ଅଭିଯୋଗ କରିଥିଲେ ଓ କ୍ଷମତାକୁ ଆସିବା ପରେ ମଧ୍ୟ ସେଇ ମିଛର ସାହାରା ନେଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ଦେଇଥିବା ମନ୍ତବ୍ୟ କେବଳ ଡାହା ମିଛ ଛଡା ଆଉ କିଛି ନୁହେଁ । ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ଉଦେ୍ଦଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୩ ମସିହାରେ ଲୋକାୟୁକ୍ତ ଆଇନ ପାରିତ କରିବା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୨୦୧୪ ମସିହାରେ ରାଜ୍ୟ ବିଧାନସଭାରେ ବିଲ୍ ପାରିତ କରିଥିଲା । ଏହାର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ୨୦୧୮ ମସିହାରେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇଥିଲେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ନିଯୁକ୍ତି ହୋଇଥିବା ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ବେଳେ ଏହାର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୪ରେ ଶେଷ ହୋଇଥିଲା । ଏହାପରେ, ନୂତନ ଲୋକାୟୁକ୍ତ ନିଯୁକ୍ତି ଦାୟିତ୍ୱ ବିଜେପି ସରକାରଙ୍କର ଥିଲା । କିନ୍ତୁ କେବଳ ରଙ୍ଗ ମରା ଓ ନାମ ପରିବର୍ତ୍ତନ ସହିତ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିଜେପି ସରକାର ଲୋକାୟୁକ୍ତ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇନଥିଲେ, ଯେଉଁଥିପାଇଁ ୨ ବର୍ଷ ହେଲା ଲୋକାୟୁକ୍ତ ପଦବୀ ଖାଲି ପଡିଛି ।

ଲୋକାୟୁକ୍ତ ନିଯୁକ୍ତି ଆଜି ଆରମ୍ଭ ହୋଇଥିବା ପ୍ରକ୍ରିୟା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଯେଉଁ ଗର୍ବ କରୁଛନ୍ତି, ତାହା ମଧ୍ୟ ରାଜ୍ୟର ଉଚ୍ଚନ୍ୟାୟାଳୟର ତାଗିଦ ପରେ ଆରମ୍ଭ ହୋଇଛି । ଏକ ପିଆଇଏଲର ଶୁଣାଣି କରି ଉଚ୍ଚନ୍ୟାୟାଳୟ ସେପ୍ଟେମ୍ୱର ୨୦୨୫, ଡିସେମ୍ୱର ୨୦୨୫ ଓ ଜାନୁଆରୀ ୨୦୨୬ରେ ତିନି ତିନି ଥର ରାଜ୍ୟ ବିଜେପି ସରକାରଙ୍କୁ ତାଗିଦ କରି ଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେଣୁକରି, ମନ୍ତ୍ରୀ ଶ୍ରୀ ପୂଜାରୀ ଡାହା ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବାରୁ ନିବୃତ ରୁହନ୍ତୁ ।