Home Election ଲୋକସଭାରେ ମିଳିଛି ୮ଲକ୍ଷରୁ କମ୍‍ ଭୋଟ

ଲୋକସଭାରେ ମିଳିଛି ୮ଲକ୍ଷରୁ କମ୍‍ ଭୋଟ

ଭୁବନେଶ୍ୱର : ବିଧାନସଭା ଭୋଟ ତୁଳନାରେ ଲୋକସଭା ପାଇଁ ଓଡିଶାରେ ବିଜେଡି ପ୍ରାୟ ୮ଲକ୍ଷ କମ୍‍ ଭୋଟ ପାଇବାରୁ ଦଳର ଜଣେ ହେଲେ ସାଂସଦ ପ୍ରାର୍ଥୀ ଜିତିପାରି ନାହାନ୍ତି । ଅନ୍ୟ ପକ୍ଷରେ ବିଜେପି ବିଧାନସଭା ଭୋଟ ତୁଳନାରେ ଲୋକସଭା ପାଇଁ ୧୨ଲକ୍ଷ ୭୦ହଜାରରୁ ଅଧିକ ଭୋଟ ହାତେଇ ରେକର୍ଡ ସଂଖ୍ୟକ ୨୦ଜଣ ପ୍ରାର୍ଥୀଙ୍କୁ ଲୋକସଭାକୁ ପଠାଇବାରେ ସକ୍ଷମ ହୋଇଛି ।

ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ୧,୧୩,୩୫,୫୪୯ ଖଣ୍ଡ ଭୋଟ ୨୧ଟି ଯାକ ନିର୍ବାଚନମଣ୍ଡଳୀରେ ପାଇଥିବାବେଳେ ବିଜେଡି ଖାତାକୁ ଯାଇଛି ୯୩,୮୨,୭୧୧ ଖଣ୍ଡ ଭୋଟ୍‍ । ଅର୍ଥାତ୍‍ ଲୋକସଭା ନିର୍ବାଚନରେ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ଅପେକ୍ଷା ୧୯,୫୨,୮୩୮ଖଣ୍ଡ ଅଧିକ ଭୋଟ ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭା ନିର୍ବାଚନରେ ବିଜେପି ୧,୦୦,୬୪,୮୨୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପାଇଛି ୧,୦୧,୦୨,୪୫୪ ଖଣ୍ଡ ଭୋଟ । ବିଜେଡି ବିଧାନସଭା କ୍ଷେତ୍ରରେ ତୁଳନାତ୍ମକ ଭାବେ ଅଧିକ ଭୋଟ ପାଇଥିଲେ ମଧ୍ୟ ଦଳର ଆସନ ସଂଖ୍ୟା ଢେର କମିଯିବାରୁ ଏହି ଦଳ କ୍ଷମତାଚ୍ୟୁତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୪ର ଲୋକସଭା ନିର୍ବାଚନରେ ଓଡିଶାରେ ବିଜେଡି ୪୪.୧୦ପ୍ରତିଶତ ଭୋଟ ପାଇ ୨୦ଟି ଆସନ ହାସଲ କରିଥିବାବେଳେ ବିଜେପି ସେଥର ୨୧.୫୦ ପ୍ରତିଶତ ଭୋଟ ପାଇ ମାତ୍ର ଗୋଟିଏ ଆସନରେ ଜିଣିଥିଲା । ଏହା ପୂର୍ବରୁ ୨୦୦୯ ନିର୍ବାଚନରେ ବିଜେଡି ୧୪ଟି, କଂଗ୍ରେସ ୬ଟି ଓ ସିପିଆଇ ଗୋଟିଏ ଆସନରୁ ଜିଣିଥିବାବେଳେ ବିଜେପି ସବୁ ଆସନରୁ ହାରି ଯାଇଥିଲା ।

ତେବେ ୨୦୧୯ର ଲୋକସଭା ନିର୍ବାଚନରେ ବିଜେଡି ରାଜ୍ୟରେ ୪୩.୩ ପ୍ରତିଶତ ଭୋଟ ସହିତ ୧୨ଟି ଆସନ ପାଇଥିବାବେଳେ ବିଜେପି ୩୮.୯ ପ୍ରତିଶତ ଭୋଟ ପାଇ ୮ଟି ଓ କଂଗ୍ରେସ ୧୪ ପ୍ରତିଶତ ଭୋଟ ପାଇ ଗୋଟିଏ ଆସନରୁ ଜିଣିଥିଲା । ୨୦୨୪ ଲୋକସଭା ନିର୍ବାଚନରେ କିନ୍ତୁ ଓଡିଶାରେ ବିଜେଡିର ଭୋଟ ପ୍ରତିଶତ ୩୭.୫୩ ପ୍ରତିଶତକୁ ହ୍ରାସ ପାଇବା ସହ ଗୋଟିଏ ହେଲେ ଲୋକସଭା କ୍ଷେତ୍ର ପାଇଲା ନାହିଁ । ଅନ୍ୟ ପକ୍ଷରେ ବିଜେପି ୪୫.୩୪ ପ୍ରତିଶତ ଭୋଟ ପାଇ ୨୦ଟି ସଂସଦୀୟ କ୍ଷେତ୍ର ଅକ୍ତିଆର କରିଥିବାବେଳେ କଂଗ୍ରେସ ୧୨.୫୨ ପ୍ରତିଶତ ଭୋଟ ପାଇ ଗୋଟିଏ ଆସନ ଅକ୍ତିଆର କରିବାରେ ସମର୍ଥ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରଥମଥର ପାଇଁ ୧୯୯୮ର ଲୋକସଭା ନିର୍ବାଚନରେ ବିଜେଡି ବିଜେପି ମେଣ୍ଟ ନିର୍ବାଚନ ଲଢିବାରୁ ବିଜେଡି ୯ଟି ଓ ବିଜେପି ୭ଟି ଆସନରେ ଜୟଯୁକ୍ତ ହୋଇଥିବାବେଳେ କଂଗ୍ରେସ ୫ଟି ଆସନ ପାଇଥିଲା ।

୧୯୮୦ ଓ ୧୯୮୪ର ଲୋକସଭା ନିର୍ବାଚନରେ କଂଗ୍ରେସ ଯଥାକ୍ରମେ ୫୬.୧ ଓ ୫୭.୫ ପ୍ରତିଶତ ଭୋଟ ଓଡିଶାରେ ପାଇ ୨୦ଟି ଲେଖାଁଏ ଆସନରୁ ଜିଣିଥିଲା । ସେତେବେଳେ ଏକମାତ୍ର ଅଣକଂଗ୍ରେସ ସାଂସଦ ଭାବେ କେନ୍ଦ୍ରାପଡାରୁ ବିଜୁ ପଟ୍ଟନାୟକ ଲୋକସଭାକୁ ଯାଇଥିଲେ । କଂଗ୍ରେସର ଭୋଟ ହାର ୧୯୯୧ ବେଳକୁ ୪୪ ପ୍ରତିଶତକୁ ହ୍ରାସ ପାଇବା ସହିତ ଆସନ ସଂଖ୍ୟା ୧୩କୁ କମିଥିଲା । ୧୯୯୬ରେ ଏହି ଜାତୀୟ ଦଳର ଭୋଟ ହାର ଓଡିଶାରେ ୪୪.୯ ପ୍ରତିଶତ ସହ ଲୋକସଭା ଆସନ ସଂଖ୍ୟା ୧୬ରେ ରହିଥିଲା । ତେବେ ୧୯୯୯ ବେଳକୁ ଏହା ୩୬.୯ ପ୍ରତିଶତକୁ କମିବା ସହ ଆସନ ସଂଖ୍ୟା ୨ରେ ପହଞ୍ଚିଥିଲା । ୨୦୧୯ ଓ ୨୦୨୪ରେ କଂଗ୍ରେସ ଯଥାକ୍ରମେ ୧୪ ଓ ୧୨.୫୨ ପ୍ରତିଶତ ଭୋଟ ପାଇ କେବଳ କୋରାପୁଟ ଆସନରେ ଜିଣି ଆସୁଛି । କଂଗ୍ରେସର ଭୋଟ ହାର ହ୍ରାସ ଦଳୀୟ କର୍ମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । (ତଥ୍ୟ)