Home General ଲୋକଙ୍କୁ ଛୁଇଁଛି ଅହିଂସା ରଥ

ଲୋକଙ୍କୁ ଛୁଇଁଛି ଅହିଂସା ରଥ

ଭୁବନେଶ୍ୱର : ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନପାଇଁ ଓଡିଶା ସରକାର ଆରମ୍ଭ କରିଥିବା ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଦଳ ମତ ନିର୍ବିଶେଷରେ ବେଶ୍‍ ଆଦୃତି ଲାଭ କରିଛି । ବିଶେଷକରି ଶିକ୍ଷାବିତ୍‍, ଛାତ୍ରଛାତ୍ରୀ, ମହିଳା ଓ ଯୁବକମାନଙ୍କ ଭିତରେ ଏହା ଅଭୂତ ପୂର୍ବ ଜାଗରଣ ସୃଷ୍ଟି କରୁଥିବା କୁହାଯାଉଛି ।

ଅଗଷ୍ଟ ୧୫ ତାରିଖରୁ ଗାନ୍ଧୀଜୀଙ୍କ ଜନ୍ମଦିବସ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଦୁଇଟି ମାର୍ଗରେ ୪ଟି ଅହିଂସା ରଥ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିକ୍ରମା କରିବ । ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରୁ ଏହି ଅହିଂସାରଥ ଯାତ୍ରାର ଶୁଭାରମ୍ଭ କରାଇଥିଲେ । ଗାନ୍ଧୀଜୟନ୍ତୀ ଅବସରରେ ରାଜଧାନୀରେ ଅନ୍ୟଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଯାତ୍ରାର ସମାପନ କରାଯିବ ।

ଅଗଷ୍ଟ ୧୫ରୁ ଅହିଂସା ରଥଗୁଡିକ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିବାବେଳେ ଇତି ମଧ୍ୟରେ ପୁରୀ, ନୟାଗଡ, ଫୁଲବାଣୀ, ବୌଦ, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସମ୍ବଲପୁର ଜିଲ୍ଲାରେ ଏହି ରଥ ପରିକ୍ରମା କରିଛି । ଏବେ ଦୁଇଟି ଅହିଂସା ରଥ ବୌଦ ଜିଲ୍ଲାରେ ଘୂରୁଥିବାବେଳେ ଆଉ ଦୁଇଟି ସମ୍ବଲପୁର ଜିଲ୍ଲାରେ ଜନମତ ଜାଗ୍ରତ କରୁଛି ।

ପ୍ରଥମ ରୁଟ୍‍ରେ ଯାଇଥିବା ଦୁଇଟି ଅହିଂସା ରଥ ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ ଖୋରଧା ଜିଲ୍ଲା ପରିକ୍ରମା କରିବାକୁ ବାକି ଅଛି । ସେହିଭଳି ଦ୍ୱିତୀୟ ରୁଟ୍‍ରେ ପରିକ୍ରମା କରୁଥିବା ଅହିଂସା ରଥ ଦୁଇଟି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବେ ।

ଚାରିଟି ଯାକ ଅହିଂସା ରଥରେ ଏଲ୍‍ଡିଟି ସ୍କ୍ରିନ୍‍ ସବୁ ରହିଛି । ଏହି ସ୍କ୍ରିନ୍‍ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ବହୁ ଐତିହାସିକ ତଥ୍ୟ ଓ ବିରଳ ଫଟୋଚିତ୍ର ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ସଭା ସମିତି ଓ ଶୋଭାଯାତ୍ରା ମାଧ୍ୟମରେ ହଜାର ହଜାର ଲୋକ ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଶେଷକରି ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସ୍ଥାନୀୟ ଲୋକପ୍ରତିନିଧିମାନେ ଏଥିରେ ସକ୍ରିୟ ସହଯୋଗ କରୁଥିବାବେଳେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, ଯୁବକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ସମେତ କୃଷକ, ଶ୍ରମିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମରେ ଯୋଡି ହେଉଥିବା ଲକ୍ଷ୍ୟ କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଆଜାଦୀ କା ଅମୃତ ମହୋତ୍ସବ ଓ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଥିବାବେଳେ ଓଡିଶା ସରକାର କିନ୍ତୁ ନିଆରା ଢଙ୍ଗରେ ସିଧାସଳଖ ଭାବେ ସ୍ୱାଧୀନତା ସଂଗ୍ରାମର ଗୌରବାବହ ଗାଥାକୁ ଅହିଂସା ରଥ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ବେଶ୍‍ ସଫଳ ହେଉଛନ୍ତି ।

ସ୍ୱାଧୀନତାପ୍ରାପ୍ତିର ୭୫ତମ ବାର୍ଷିକୀ ପାଳନ ଲାଗି ରାଜ୍ୟ ସରକାର ବର୍ଷବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହାର ଅଂଶ ସ୍ୱରୂପ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଓଡିଶାରେ ଗାନ୍ଧୀଜୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଆଧାର କରି ଏକ ସ୍ୱତନ୍ତ୍ର ଗ୍ୟାଲେରୀ ନିର୍ମାଣ ଚାଲିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବାପାଇଁ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏ ସଂକ୍ରାନ୍ତରେ ଲକ୍ଷ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । (ତଥ୍ୟ)