ଭୁବନେଶ୍ୱର : ସ୍ମାର୍ଟ ସିଟିର ବିଜୁଳି ଖୁଣ୍ଟରେ ଝୁଲୁଥିବା ବିଭିନ୍ନ କମ୍ପାନୀର ମାଳ ମାଳ କେବୁଲ ତାର ଏବେ ଲୋକଙ୍କ ପାଇଁ କାଳ ହେଲାଣି । କେତେବେଳେ କାହା ଜୀବନ ନେଇଯିବ ସେହି ଆଶଙ୍କାରେ ଲୋକେ ରହୁଛନ୍ତି । ଏପରିକି ତାରଗୁଡିକ ଛିଡି ପଡିଲେ ବି ଲଗାଇଥିବା କମ୍ପାନୀ କର୍ତ୍ତୃପକ୍ଷ ତାକୁ ଉଠାଉ ନାହାନ୍ତି ।
ରାଜଧାନୀର ବିଦ୍ୟୁତ୍ ଖୁଣ୍ଟରେ ଏବେ ବିଭିନ୍ନ ଟେଲିକମ କମ୍ପାନୀ ନିଜ ନିଜର କେବୁଲ ତାର ଟାଣିଛନ୍ତି । କେବଳ ତାର ଟାଣି ନାହାନ୍ତି ଭବିଷ୍ୟତ ଚିନ୍ତାରେ ଆବଶ୍ୟକତା ଠାରୁ ଅଧିକ ତାର ଗୁଡାଇ ଖୁଣ୍ଟରେ ଝୁଲାଇ ଦେଇଛନ୍ତି । ଗୋଟିଏ କମ୍ପାନୀ ତାହାର କେବୁଲ ଝୁଲାଇ ଯିବାପରେ ଅନ୍ୟ କମ୍ପାନୀମାନେ ତା ଉପରେ ନିଜ ନିଜ କେବୁଲ ପକାଇ ଦେଉଛନ୍ତି । ଫଳରେ ମାଳ ମାଳ ତାର ଏବେ ରାସ୍ତାପାଶ୍ୱର୍ରେ ଓହଳିକି ରହୁଛି । ଏପରିକି ସ୍ଥାନୀୟ ଲୋକଙ୍କ ଘର ସାମ୍ନାରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଏହା ଝୁଲୁଛି ।
ତେବେ ଏହି ବିପଦ ସଂକ୍ରାନ୍ତରେ ବିଜୁଳି ବିଭାଗକୁ ଅବଗତ କଲେ ସେମାନେ ଶୁଣିବାକୁ ନାରାଜ । ଏହା ସେମାନଙ୍କ କେବୁଲ ନୁହେଁ ବୋଲି କହି କାମ ସାରିଦେଉଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ସଂସ୍ଥାକୁ କହିବାକୁ ପରାମର୍ଶ ଦେଉଛନ୍ତି । ହେଲେ କେବୁଲ ଟାଣି ଟେଲିକମ୍ ସଂସ୍ଥା ଓ ଅନ୍ୟ କମ୍ପାନୀମାନେ ପଳାଇଥିବାରୁ ସେମାନଙ୍କ ଠିକଣା କାହା ପାଖରେ ନାହିଁ ।
ଅନ୍ୟ ପକ୍ଷରେ ଟେଲିକମ୍ କମ୍ପାନୀ ଓ ଅନ୍ୟ କେବୁଲ ସଂସ୍ଥାମାନେ ବିଦ୍ୟୁତ୍ କମ୍ପାନୀକୁ ଖୁଣ୍ଟ ପିଛା ଅର୍ଥ ପାଉଥିଲେ ମଧ୍ୟ ସେମାନଙ୍କ ଖୁଣ୍ଟରେ ଟଣାଯାଇଥିବା କେବୁଲ ତାର କିଭଳି ଅବସ୍ଥାରେ ରହିଛି ଓ ଏହାଦ୍ୱାରା ଲୋକେ ସମସ୍ୟାରେ ପଡୁଛନ୍ତି କି ନାହିଁ ତାହା ଦେଖୁ ନାହାନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗ କଲେ ବି କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ।
ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ଏବେ ପ୍ରିପେଡ୍ ମିଟର ବସାଇବାପାଇଁ ଗ୍ରାହକଙ୍କ ନିକଟକୁ ମେସେଜ ପଠାଉଥିବାବେଳେ ହିତାଧିକାରୀଙ୍କ ଘର ଆଗରେ ଝୁଲୁଥିବା ମାଳ ମାଳ ତାର ପ୍ରତି କିନ୍ତୁ ନଜର ଦେଉ ନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଯଦି କୌଣସି ଠାରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନେଇ ଗ୍ରାହକମାନେ ଅଭିଯୋଗ କରୁଛନ୍ତି ସେତେବେଳେ ବିଦ୍ୟୁତ୍ କର୍ମଚାରୀମାନେ ଘରୋଇ କମ୍ପାନୀଙ୍କ କେବୁଲ ଆଡେଇ ହିତାଧିକାରୀଙ୍କ ତାରକୁ ଖୋଜୁଛନ୍ତି ।
ଆଗାମୀ ବର୍ଷାଋତୁ ବିଶେଷକରି ଝଡବାତ୍ୟାକୁ ଦୃଷ୍ଟିରେ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ୍ଖୁଣ୍ଟଗୁଡିକରେ ଝୁଲୁଥିବା ଘରୋଇ ତାରଗୁଡିକୁ ବାହାର କରିବାଲାଗି ମତପ୍ରକାଶ ପାଉଛି । ଏହା ନହେଲେ ରାଜଧାନୀରେ କେବୁଲ ଜନିତ ଦୁର୍ଘଟଣା ଘଟିପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)