Home News in Odia ଲେନ୍‍ ଡ୍ରାଇଭିଂକୁ ଫୁ..

ଲେନ୍‍ ଡ୍ରାଇଭିଂକୁ ଫୁ..

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଲାଗିଥିବାବେଳେ ଗାଡି ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ ପୁଲିସ୍‍ ପର୍ଯ୍ୟନ୍ତ ସମସ୍ତେ ଲେନ୍‍ ଡ୍ରାଇଭିଂକୁ ଫୁ କରିଦେଲେଣି । ଫଳରେ ରାଜଧାନୀର ବିଭିନ୍ନ ଛକରେ ଏବେ ଅଯଥା ଭିଡ ପରିଲକ୍ଷିତ ସହିତ ଯାନବାହାନଗୁଡିକ ରାସ୍ତାଉପରେ ଅଟକି ରହୁଛନ୍ତି ।

ରାଜଧାନୀରେ ଲେନ୍‍ ଡ୍ରାଇଭିଂ ଉପରେ ଗୁରୁତ୍ୱ ଦିଆଯିବା ସହିତ ସେହି ଅନୁଯାୟୀ ଟ୍ରାଫିକ ଲାଇଟ୍‍ ଜଳିବାର ବ୍ୟବସ୍ଥା ହୋଇଛି । ଏଥି ସହିତ ବିଭିନ୍ନ ଛକରେ ଟ୍ରାଫିକ ପୁଲିସ୍‍ ପକ୍ଷରୁ ମଧ୍ୟ ବ୍ୟାରିକେଟ୍‍ ରଖାଯାଉଛି । ହେଲେ ଏହାକୁ କେହି ମାନୁ ନାହାନ୍ତି । ଉପସ୍ଥିତ ପୁଲିସ୍‍ କର୍ମଚାରୀମାନେ ମଧ୍ୟ ଲେପ୍‍ ଡ୍ରାଇଭିଂକୁ ଅମାନ୍ୟ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଟ୍ରାଫିକ ପୁଲିସ୍‍ ପକ୍ଷରୁ ବାରମ୍ବାର ବାମପଟ ରାସ୍ତା ଅବରୋଧ ନକରିବାପାଇଁ ଚେତାବନୀ ଦିଆଯାଉଛି । ପୂର୍ବରୁ କେତେକ ପ୍ରମୁଖ ଛକରେ ମାଇକ୍‍ ଯୋଗେ ଚାଳକମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯାଉଥିବାବେଳେ ଅବଶ୍ୟ ଏବେ ଆଉ ତାହା ପରିଲକ୍ଷିତ ହେଉନାହିଁ । କିନ୍ତୁ ଅଧିକାଂଶ ଚାଳକ କିନ୍ତୁ ବାମପଟ ରାସ୍ତା ଅବରୋଧ କରୁଛନ୍ତି । ଫଳରେ ସାଧାରଣ ଚାଳକଙ୍କ ଠାରୁ ଆରମ୍ଭକରି ଆମ୍ବୁଲାନ୍ସ ଓ ପୁଲିସ୍‍ ଗାଡି ପର୍ଯ୍ୟନ୍ତ ସମସ୍ତେ ଅଟକି ରହୁଛନ୍ତି ନଚେତ ଆଇନ ଭଙ୍ଗକରି ଆଗକୁ ବଢୁଛନ୍ତି ।

ଟ୍ରାଫିକ ପୋଷ୍ଟଗୁଡିକରେ ଗାଡିଚାଳକମାନେ ବାମପଟ ରସ୍ତା ଅବରୋଧ କରୁଥିବାରୁ ଅନେକ ସମୟରେ ପଛରୁ ଆସୁଥିବା ଯାନଗୁଡିକ ଅଟକି ରହୁଛି ଓ ଏ ନେଇ କେତେକ ସ୍ଥାନରେ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହେଉଛି । ତେବେ ସବୁଠାରୁ ବଡ କଥା ହେଲା ଟ୍ରାଫିକପୋଷ୍ଟରେ ଉପସ୍ଥିତ ପୁଲିସ୍‍ କର୍ମଚାରୀମାନେ ବାମପଟ ଅବରୋଧ କରୁଥିବା ଚାଳକମାନଙ୍କୁ ଜୋରିମାନା କରିବା ତ ଦୂରରକଥା, ତାଗିଦା ବି କରୁନାହାନ୍ତି ।

ରାଜଧାନୀର ପ୍ରାୟ ସମସ୍ତ ଟ୍ରାଫିକ ପୋଷ୍ଟରେ ସିସିଟିଭି କ୍ୟମେରା ଲାଗିଥିବାବେଳେ ପୁଲିସ୍‍ ପ୍ରଶାସନର ବଡ ବାବୁମାନେ ନିଶ୍ଚିତ ଭାବେ ଏଭଳି ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସହଜରେ ଦେଖି ପାରୁଥିଲେ । ହେଲେ ଏହାର ପ୍ରତିକାର ପାଇଁ ସେଭଳି କୌଣସି ପଦକ୍ଷେପ ନନେବା ଓ କେବଳ ଫାଇନ୍‍ କାଟିବାରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

ଲେନ୍‍ ଡ୍ରାଇଭିଂ ନିୟମ ଅମାନ୍ୟ ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ଆଖପାଖରେ ଥିବା ଟ୍ରାଫିକ ଛକଗୁଡିକରେ ଆମ୍ବୁଲାନ୍ସ ପାଇଁ ବଡ ସମସ୍ୟା ସୃଷ୍ଟି ହେଉଛି । ଶିଶୁଭବନ, ଏୟାରପୋର୍ଟ, ଓୟୁଏଟି ଆଦି ଛକ ବାଟ ଦେଇ ପ୍ରାୟତଃ ଆମ୍ବୁଲାନ୍ସଗୁଡିକ ଆସୁଥିବାବେଳେ ବାମପଟ ରାସ୍ତା ଖାଲି ନଥିବାରୁ ଏମାନେ ବାଧ୍ୟହୋଇ ବାଟଓଗାଳି ଛିଡା ହୋଇଥିବା ଲୋକଙ୍କୁ ହଟାଇ ଆଗକୁ ବଢୁଛନ୍ତି ।

ସେହିଭଳି ସହରର ବହୁ ସ୍ଥାନରେ ଟ୍ରାଫିକ ପୋଷ୍ଟରେ ସମୟ ଦେଖିବାର ସୁବିଧା ନଥିବାରୁ ଚାଳକମାନେ ବହୁ ସମୟ ଧରି ଗାଡି ଷ୍ଟାର୍ଟ କରି ରଖିବା ସହିତ ସହଜ ଯାତାୟତ କରିପାରୁନାହାନ୍ତି । କେବଳ କଳିଙ୍ଗ ହସ୍ପିଟାଲ ଛକକୁ ବାଦ୍‍ ଦେଲେ ଅନ୍ୟ କୌଣସି ସ୍ଥାନରେ ଏଭଳି ସମୟ ଦେଖିବାର ସୁବିଧା ନାହିଁ । (ତଥ୍ୟ)