ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ୍ରୁ ଜାନୁୟାରୀ ମଧ୍ୟରେ ଓଡିଶାରେ ଲୁହାପଥର ଉତ୍ପାଦନ ଗତବର୍ଷ ତୁଳନାରେ ୩୫ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀ ସଂସଦରେ ଏହି ସୂଚନା ଦେଇଛନ୍ତି ।
ବିଜେପି ସାଂସଦ ଜୁଏଲ ଓରାମ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷର ଏପ୍ରିଲ୍ରୁ ଜାନୁୟାରୀ ମଧ୍ୟରେ ୮୧,୨୨୬,୦୦୦ ମେଟ୍ରିକ ଟନ୍ ଲୁହାପଥର ଉତ୍ପାଦନ ହୋଇଛି ଯାହା ପୂର୍ବ ବର୍ଷର ଏହି ସମୟ ତୁଳନାରେ ୧,୦୯,୬୭୫,୦୦୦ ଟନ୍ ବୃଦ୍ଧି ପାଇଛି । ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ଲୁହାପଥର ଉତ୍ପାଦନ ପରିମାଣ ୩୫.୦୨ ପ୍ରତିଶତ ବୃଦ୍ଧି ପାଇଛି ।
୨୦୧୮-୧୯ବର୍ଷରେ ଓଡିଶାରେ ଲୁହାପଥର ଉତ୍ପାଦନ ୧,୧୩,୧୧୯,୦୦୦ ମେଟ୍ରିକ ଟନ୍ ଥିଲା । ୨୦୧୯-୨୦ ବର୍ଷରେ ଏହା ୧,୪୬,୬୩୭,୦୦୦ ଟନ୍କୁ ବୃଦ୍ଧି ପାଇଥିଲା । ତେବେ ୨୦୨୦-୨୧ ବର୍ଷରେ ରାଜ୍ୟରୁ ଲୁହାପଥର ଉତ୍ପାଦନ ପରିମାଣ ହ୍ରାସ ପାଇ ୧,୦୪,୬୩୧,୦୦୦ ମେଟ୍ରିକ ଟନ୍ ଥିଲା । କୋଭିଡ ସଂକ୍ରମଣ ଯୋଗୁଁ ଜାରି ଲକ୍ଡାଉନ୍ ଓ ସଟ୍ଡାଉନ ଏବଂ ଚାହିଦା ହ୍ରାସ ଯୋଗୁଁ ବହୁ ଖଣି ସେମାନଙ୍କ ଉତ୍ତୋଳନ ହ୍ରାସ କରିବାରୁ ଏଭଳି ସ୍ଥିତି ଉପୁଜିଥିଲା ।
ତେବେ ୨୦୧୮-୧୯ ତୁଳନାରେ ୨୦୧୯-୨୦ ବର୍ଷରେ ସମଗ୍ର ଦେଶରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଥିବାବେଳେ ପରବର୍ତ୍ତୀ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ଏହା ହ୍ରାସ ପାଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏକାଧିକ ଖଣିର ଲିଜ୍ ଅବଧି ମାର୍ଚ୍ଚ ୩୧, ୨୦୨୦ରେ ସରିବା ସହିତ ୨୦୨୦-୨୧ ବର୍ଷରେ ଆସିଥିବା କୋଭିଡ ସଂକ୍ରମଣ ଯୋଗୁଁ ଦେଶରେ ଲୁହାପଥର ଉତ୍ପାଦନ ହ୍ରାସ ପାଇଥିଲା ।
ଅନ୍ୟ ପକ୍ଷରେ ୨୦୨୧-୨୨ ବର୍ଷରେ ଦେଶରେ ମୋଟ୍ ଲୁହାପଥର ଉତ୍ପାଦନ ଗତ ଆର୍ଥିକବର୍ଷ ତଳୁନାରେ ୨୭ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ଆନ୍ଧ୍ରପ୍ରଦେଶ, ଗୋଆ ଏବଂ ମହାରାଷ୍ଟ୍ରରେ ଲୁହାପଥର ଉତ୍ପାଦନ ହ୍ରାସ ପାଇଛି । ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଖଣି ଓ ଖଣିଜ ନୀତିରେ ସଂସ୍କାର ଅଣାଯାଇଛି ।
ଆଗୁଆ ଖଣି ନିଲାମ ସହିତ ଅବଧି ସରୁଥିବା ଖଣିରୁ ଉତ୍ତୋଳନ ପାଇଁ ପଦକ୍ଷେପ ନିଆଯାଉଛି । ସହଜ ବ୍ୟବସାୟ, ଖଣି ଖନନ ପାଇଁ ପ୍ରୋତ୍ସାହନ ସହିତ ଖୋଲା ଖଣିଗୁଡିକୁ ୫୦ ପ୍ରତିଶତ ଖଣିଜ ସାମଗ୍ରୀ ବିକ୍ରି ପାଇଁ ଅନୁମତି ପ୍ରଦାନ ଆଦି ଏଥିରେ ଅର୍ନ୍ତଭୁକ୍ତ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)