ଭୁବନେଶ୍ୱର : ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଓ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ନାମରେ ଯେତେ ଭୂସମ୍ପତ୍ତି ରହିଛି ସେଥିରୁ ଅଧିକାଂଶର ସତ୍ୱଲିପି ମନ୍ଦିର ପ୍ରଶାସନ ନିକଟରେ ନାହିଁ । ଅନେକ ଜମି ଜବରଦଖଲରେ ଥିବାବେଳେ ଆଉ କେତେକ ଜମି ବେଆଇନ୍ ଭାବେ ମନ୍ଦିର ପ୍ରଶାସନର ଅଗୋଚରରେ ବିକ୍ରିକରି ଦିଆଯାଇଛି ।
ପ୍ରତିଟି ଓଡିଆ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗର୍ବ କରୁଥିବାବେଳେ ରାଜ୍ୟର ୨୩ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲାଗି ୬୦,୪୧୦ ଏକର ଚିହ୍ନିତ ଜମି ରହିଛି । ଏଥିରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୨୦ହଜାର ଏକରରୁ ଅଧିକ ଜମିର ସଂଶୋଧିତ ସତ୍ୱଲିପି ନାହିଁ । ଏହାଛଡା ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡରେ ବି ଶ୍ରୀମନ୍ଦିର ପାଇଁ ପାଖପାଖି ୪୦୦ ଏକର ଜମି ରହିଥିବା ଏଯାବତ୍ ଚିହ୍ନଟ କରାଯାଇଛି ।
ସେହିଭଳି ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଲାଗି ପ୍ରାୟ ୨୦୦ ଗାଁରେ ଦେଢ ହଜାର ଏକରରୁ ଅଧିକ ଭୂସମ୍ପତ୍ତି ରହିଥିବାବେଳେ ଏଥିରୁ ଅଧିକାଂଶର ସତ୍ୱଲିପି ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ନିକଟରେ ନାହିଁ । ଅନେକ ସ୍ଥାନରେ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ଜମିରେ ପଥର ଓ ମୋରମ ଖଣି ଚଳାଇ ମାଫିଆମାନେ ବେଶ୍ ମୁନାଫା ଉଠାଇଛନ୍ତି । ଏପରିକି ଜଙ୍ଗଲ ତାଡି ଏହି ଜମିରୁ ମୋରମ ଓ ପଥର ଉଠାଣ ହୋଇଥିବା ପରିପ୍ରେକ୍ଷୀରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଅତୀତରେ ପରିବେଶ କ୍ଷତି ଭରଣାପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମୋଟା ଅଙ୍କର ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିବାର ନଜିର ମଧ୍ୟ ରହିଛି ।
ରାଜଧାନୀ ଭୁବନେଶ୍ୱର ସମେତ ଆଉ କେତେକ ସ୍ଥଳରେ ଶ୍ରୀଲିଙ୍ଗରାଜଙ୍କ ବିପୁଳ ଭୂସମ୍ପତ୍ତି ଜବରଦଖଲକାରୀଙ୍କ କବଜାରେ ରହିଛି । ଏମିତିକି କେତେକ ସ୍ଥାନରେ ମାର୍ଫତଦାରମାନେ କୋଟି କୋଟି ଟଙ୍କା ନେଇ ମନ୍ଦିର ଜମି ବିକ୍ରି କରିଛନ୍ତି । ଆଇନ୍ ଅଦାଲତର ଛାଟ ବାଜିବାପରେ ଅବଶ୍ୟ ଏଥିରୁ କେତେକ ଜମି ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାବେଳେ ଆଉ କେତେକ ଜମି ନିକଟରେ ଏହା ମହାପ୍ରଭୁଙ୍କ ସମ୍ପତ୍ତି ବୋଲି କର୍ତ୍ତୃପକ୍ଷ ସାଇନ୍ବୋର୍ଡ ଲଗାଇଛନ୍ତି ।
ସବୁଠାରୁ ଉଦବେଗର କଥା ହେଉଛି ଶ୍ରୀକ୍ଷେତ୍ର, ଏକାମ୍ରକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦେବତ୍ତୋର ଭୂସମ୍ପତ୍ତିର ଯେତେ ଜବରଦଖଲ ହୋଇଛି ଓ ଯେଉଁ କ୍ଷେତ୍ରରେ ଭାଗଚାଷୀମାନେ ଠିକଣା ଭାବେ ଭାଗ ପଇଠ କରୁନାହାନ୍ତି ସେମାନଙ୍କ ଭିତରୁ ଅଧିକାଂଶ ସନାତନ ଧର୍ମାବଲମ୍ବି । ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଏମାନେ ଠାକୁରଙ୍କ ଜମି ହଡପ କରିବାପାଇଁ କୁଣ୍ଠାବୋଧ କରୁନାହାନ୍ତି । ଏତେ ପରିମାଣର ଭୂସମ୍ପତ୍ତି ଥାଇ ଉଭୟ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରକୁ ରଜ୍ୟ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡୁଛି ।
ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶ୍ରୀମନ୍ଦିରର ଜମି ମଧ୍ୟ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ବେଦାନ୍ତପାଇଁ କରାଯାଇଥିବା ଜମି ଅଧିଗ୍ରହଣକୁ ବେଆଇନ୍ ଦର୍ଶାଇ ଏହି ଜମିର ମାଲିକମାନଙ୍କୁ ହସ୍ତାନ୍ତର କରିବାଲାଗି ନିର୍ଦ୍ଦେଶ ଦେବାର ବର୍ଷାଧିକକାଳ ବିତି ଯାଇଥିଲେ ମଧ୍ୟ ଏଯାବତ୍ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ । ଏଥିଯୋଗୁଁ ଶ୍ରୀମନ୍ଦିରର ଜମି ବି ମନ୍ଦିର ପ୍ରଶାସନ ଖାତାକୁ ଫେରିପାରୁ ନାହିଁ । କେବଳ ସରକାର ନୁହନ୍ତି, ଧର୍ମଗୁରୁ, ଧାର୍ମିକ ସଂଗଠନ ଓ ସାମାଜିକ ଅନୁଷ୍ଠାନମାନେ ଠାକୁରଙ୍କ ସମ୍ପତ୍ତିର ସୁରକ୍ଷା ସହିତ ଏଥିରୁ କିଭଳି ଆୟ ବୃଦ୍ଧି ଘଟିବ ସେ ଦିଗରେ ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରୁ ଦାବିହୋଇ ଆସୁଛି । (ତଥ୍ୟ)