Home Finance ଲୁଚାଛପାରେ ବଢୁଛି ଟ୍ରେଡିଂ କାରବାର

ଲୁଚାଛପାରେ ବଢୁଛି ଟ୍ରେଡିଂ କାରବାର

ଭୁବନେଶ୍ୱର : ଚିଟ୍‍ଫଣ୍ଡ ଭଳି ଏମେ ଟ୍ରେଡିଂ ନାଁରେ ମାଳ ମାଳ ଏଜେଣ୍ଟ ସକ୍ରିୟ । ଅଧିକ ଅର୍ଥର ଲୋଭ ଦେଖାଇ ଏମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଉଥିବାବେଳେ ଏମାନଙ୍କ ଉପରେ ନଜର ରଖିବା ଏବେ ଜରୁରୀ ହୋଇପଡିଛି ।

ଟ୍ରେଡିଂ ଜରିଆରେ ବିପୁଳ ଅର୍ଥ ମିଳୁଥିବାର ପ୍ରଚାର ସହିତ ଠିକ୍‍ ଚିଟ୍‍ଫଣ୍ଡ ଭଳି ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ମଧ୍ୟ ଲାଭ ପ୍ରଦାନ କରାଯାଉଛି । ଏକ ଲକ୍ଷ ଟଙ୍କା ଲଗାଇଲେ ପ୍ରତିଦିନ ଲୋକଙ୍କୁ ହଜାରେରୁ ଦେଢ ହଜାର ଟଙ୍କା ମିଳୁଛି । ଏଭଳି ବିପୁଳ ପରିମାଣର ଲାଭ ଦେଖି ଲୋକେ ବି ଆଗପଛ ନବିଚାରି ଅର୍ଥ ଲଗାଉଛନ୍ତି । ଟେଡ୍ରିଂ ପାଇଁ ଟଙ୍କା ଆଦାୟ ଚେନ୍‍ ପ୍ରକ୍ରିୟାରେ ବ୍ୟକ୍ତିଗତ ସ୍ତରରେ ହେଉଥିବାରୁ ଏ ନେଇ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ଆସିନାହିଁ ।

ତେବେ ଯେଉଁମାନେ ବିଭିନ୍ନ ସୋସିଆଲ ମିଡିଆରେ ମେସେଜ୍‍ ପାଇ ଅର୍ଥ ଲଗାଉଛନ୍ତି ସେମାନେ ପ୍ରାୟତଃ ଠକାମୀରେ ପଡି ସାଇବର ଥାନର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ଠକେଇର ସଂଖ୍ୟା ଦୈନିକ ବଢି ବଢି ଚାଲିଛି । ତେବେ ଅନ୍‍ଲାଇନ୍‍ ବଦଳରେ ଏବେ ଅଫ୍‍ଲାଇନ୍‍ରେ ବି ଏହି କାରବାର ସହରାଞ୍ଚଳରେ ବ୍ୟାପକ ଭାବେ ଆରମ୍ଭ ହୋଇଯାଇଛି ।

ଦୈନିକ ହଜାର ହଜାର ଟଙ୍କାର ସୁଧ ପାଇବା ଆଶାରେ ଲୋକେ ଡାକଘର ଓ ବ୍ୟାଙ୍କ୍‍ ଆଦି ସଞ୍ଚୟଖାତାରେ ଜମା ରଖିଥିବା ଅର୍ଥକୁ ଉଠାଇ ଟ୍ରେିଡିଂରେ ଲଗାଇ ଦେଉଛନ୍ତି । ଆଉ କିଛି ଲୋକ ସୁନା ବନ୍ଧକ ସହିତ ଅନ୍ୟାନ୍ୟ ଋଣ ଆଣି ଟେଡ୍ରିଂରେ ଲଗାଉଥିବା ଲକ୍ଷ୍ୟ କରାଯାଉଛି । ତେବେ ସବୁଠାରୁ ବଡକଥା ହେଉଛି କିଏ ଟ୍ରେଡିଂ କରୁଛି ଓ କେଉଁଠି କିଭଳି କରୁଛି ଟଙ୍କା ଖଟାଇଥିବା ଅଧିକାଂଶ ଲୋକେ ଜାଣିପାରୁ ନାହାନ୍ତି । ହେଲେ ବିଭିନ୍ନ ମାଧ୍ୟମ ଦେଇ ପ୍ରତିଦିନ ଫୋନ୍‍ ପେ ଓ ଅନ୍ୟାନ୍ୟ ଉପାୟରେ ସେମାନଙ୍କ ଖାତାକୁ ଲାଭ ଅର୍ଥ ଆସୁଛି ।

ଲୋକେ ଅଧିକ ସୁଧା ଆଶାରେ ଏବେ ମ୍ୟୁଚୁଆଲ ଫଣ୍ଡ୍‍ ଆଦିରେ ନିବେଶ ମୁହାଁ ହୋଇଥିବାବେଳେ ଏହି ମଉକାରେ ଏବେ ଟ୍ରେଡିଂ ନାଁରେ ଅର୍ଥ କାରବାର ଆରମ୍ଭ ହୋଇଛି । ଏହି ବେପାର ରାଜ୍ୟର ସହରାଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ ଧିରେ ଧିରେ ଏହା ଗ୍ରାମାଞ୍ଚଳକୁ ବ୍ୟାପିବାର ସମ୍ଭାବନା ରହିଛି ।

ଏଜେଣ୍ଟମାନଙ୍କ ଜରିଆରେ ଅତି ସର୍ତକତାର ସହିତ ଟ୍ରେଡିଂ କାରବାର ଚାଲିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ଚୁକ୍ତି ମୁତାବକ ଅର୍ଥ ମିଳିଯାଉଛି । ତେବେ କେତେଦିନ ଏହା ଜାରି ରହିବ ସେ ସଂକ୍ରାନ୍ତରେ ଅଧିକାଂଶ ନିବେଶକର୍ତ୍ତା ଅଜ୍ଞ ରହିଛନ୍ତି । ପୁଲିସ୍‍ ଓ ପ୍ରଶାସନ ପକ୍ଷରୁ ଏହା ଉପରେ ପ୍ରଥମରୁ ନଜର ରଖାନଗଲେ ଆଗାମୀ ଦିନରେ ଏହା ଚିଟ୍‍ଫଣ୍ଡ୍‍ ଭଳି ଅବସ୍ଥା ସୃଷ୍ଟିକରିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)