ଭୁବନେଶ୍ୱର : ଦୁର୍ଘଟଣା ଘଟାଉଥିବା ମଦୁଆ ଗାଡିଚାଳକମାନେ ଅଧିକାଂଶ ସ୍ଥାନରେ ଖସିଯାଉଛନ୍ତି । ଗତବର୍ଷ ରାଜ୍ୟରେ ୬ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମଦୁଆ ଗାଡିଚାଳକଙ୍କ ଯୋଗୁଁ ମାତ୍ର ୪୬ଟି ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଅର୍ଥାତ୍ ୨୦୨୫ରେ ରାଜ୍ୟରେ ମୋଟ୍ ୬୩୨୭ଟି ସଡକ ଦୁର୍ଘଟଣା ଘଟିଛି । ଏହିଦୁର୍ଘଟଣା ମଧ୍ୟରୁ ୯୧୮ଟି ଦ୍ରୁତ ଗାଡିଚାଳନା ଯୋଗୁଁ ଘଟିଥିବାବେଳେ ୧୦୫୨ଟି ବେପରୁଆ ଗାଡି ଚାଳନା ଓ ୪୬୭୭ଟି ଦୁର୍ଘଟଣା ଅନ୍ୟାନ୍ୟ କାରଣ ଯୋଗୁଁ ହୋଇଛି । ତେବେ ଏହି ଦୁର୍ଘଟଣା ମଧ୍ୟରେ ମାତ୍ର ୪୬ଟି ମଦ୍ୟପାନ ଯୋଗୁଁ ହୋଇଥିବା ଦର୍ଶାଯାଇଛି ।
ବିଶେଷଜ୍ଞମାନଙ୍କ ମତରେ ଅନ୍ୟାନ୍ୟ ଦୁର୍ଘଟଣା ଦର୍ଶାଯାଉଥିବା ଅନେକ ଦୁର୍ଘଟଣା ମଦ୍ୟପାନ ଯୋଗୁଁ ଘଟୁଛି । ତେବେ ବୀମା ରାଶି ପାଇବାପାଇଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ନିଶାସେବନ ଜନିତ ଦୁର୍ଘଟଣାକୁ ଲୁଚାଇ ଦିଆଯାଉଛି । କାରଣ ଯଦି ଦୁର୍ଘଟଣାର କାରଣ ମଦ୍ୟ କିମ୍ବା ଅନ୍ୟାନ୍ୟ ନିଶା ସେବନ ବୋଲି ଉଲ୍ଲେଖ କରାଯିବ ତେବେ ଗାଡି ମାଲିକଙ୍କୁ ବୀମାରାଶି ମିଳିବ ନାହିଁ । ତେଣୁ ମଦୁଆ ଗାଡିଚାଳକମାନେ ସହଜରେ ଖସିଯାଉଛନ୍ତି କିମ୍ବା କୌଣସି ପ୍ରକାରେ ଏମାନେ ଘଟାଉଥିବା ଦୁର୍ଘଟଣାକୁ ଲୁଚାଇ ଦିଆଯାଉଛି ।
ଉଲ୍ଲେଖନୀୟ ଯେ ମଦୁଆ ଚାଳକଙ୍କ ଯୋଗୁଁ ଗାଡି ଦୁର୍ଘଟଣାକୁ ନେଇ ଚିନ୍ତିତ ପ୍ରଶାସନ ବହୁ ସମୟରେ ରାସ୍ତାଘାଟରେ ମଦୁଆ ଚାଳକ ଧରା ଅଭିଯାନ ଚଳାଉଛନ୍ତି । ଗାଡି ଅଟକାଯାଇ ବ୍ରିଥ୍ଆନାଲାଇଜର ଜରିଆରେ ଚାଳକଙ୍କ ନିଶାସେବନ ପରୀକ୍ଷା କରାଯିବା ସହିତ ମୋଟା ଅଙ୍କର ଜୋରିମାନା ବି ଆଦାୟ ହେଉଛି । ଏଥି ସହିତ ନିଶା ସେବନ କରି ଗାଡି ନଚଳାଇବାପାଇଁ ଲୋକଙ୍କୁ ସଚେତନ କରିବାପାଇଁ ଅନେକ ପ୍ରକାର ପଦକ୍ଷେପ ନିଆଯାଉଛି ।
ଚାଳକମାନେ ମଦ୍ୟପାନ କରି ଗାଡି ଚଳାଇବା ଦୃଷ୍ଟିକୁ ଆସିବାପରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ରାଜପଥ ନିକଟରୁ ମଦ ଦୋକାନଗୁଡିକୁ ଦୂରକୁ ଉଠାଇ ନେବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଅନେକ ମଦ ଦୋକାନ ରାଜପଥ ପାଶ୍ୱର୍ରୁ ଦୂରକୁ ଉଠିଯାଇଥିବାବେଳେ ରାଜଧାନୀ ଭଳି କେତେକ ସ୍ଥାନରେ ରାଜପଥର କିସମ ବଦଳାଇ ଦିଆଯାଇଛି ।
ଦୁର୍ଘଟଣାର ଅନ୍ୟତମ କାରଣ ନିଶା ସେବନ ବୋଲି ସଡକ ସୁରକ୍ଷା ବିଶେଷଜ୍ଞଙ୍କ ମତ ଠାରୁ ଆରମ୍ଭକରି ନିଶା ନିବାରଣ କର୍ମୀମାନେ ଖୋଲାଖୋଲି ମତ ଦେଉଛନ୍ତି । ସଭା ସମିତିରେ ମଧ୍ୟ ଏ ନେଇ ମତପ୍ରକାଶ ପାଉଛି । ଏତେ ସବୁ ସତ୍ୱେ ୬ହଜାରରୁ ଅଧିକ ଦୁର୍ଘଟଣା ମଧ୍ୟରେ ମଦ୍ୟପାନ ଜନିତ ଦୁର୍ଘଟଣା କିଭଳି ଭାବେ ୪୬ ରହିଲା ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମଦୁଆ ଡ୍ରାଇଭର ଓ ଗାଡି ମାଲିକଙ୍କୁ ସୁରକ୍ଷା ଦେବାପାଇଁ ଯେଭଳି ଭାବେ ତଥ୍ୟରେ ହେରଫେର କରାଯାଉଛି ତାହା ଆଗାମୀ ଦିନପାଇଁ ସଡକରେ ବଡ ବିପଦକୁ ନିମନ୍ତ୍ରଣ କରୁଛି ବୋଲି ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)