ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ କମ୍ପାନୀ ନେଇଥିବା ଟାଟା ପାୱାର ଲାଭ କରିବାରେ ଲାଗିଛି । ପୂର୍ବରୁ ସେସୁ ହାତରେ ଏହା ଥିବାବେଳେ କ୍ଷତି ହେଉଥିଲା ।
ବିଦ୍ୟୁତ୍ ବିତରଣ କମ୍ପାନୀର ଲାଭ କ୍ଷତି ସଂକ୍ରାନ୍ତରେ ବିଜେଡି ବିଧାୟିକା ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଟାଟା ପାୱାରର ଟିପିସିଓଡିଏଲ୍ ୨୦୨୦ ଜୁନ୍ ପହିଲାରେ ବିତରଣ ଦାୟିତ୍ୱ ହାତକୁ ନେଇଥିବାବେଳେ ଅନ୍ୟ ତିନିଟି ବିତରଣ ସଂସ୍ଥା ୨୦୨୧ ଏପ୍ରିଲ୍ ପହିଲାରେ ଏହି ଦାୟିତ୍ୱ ନେଇଥିଲେ ।
ସେସୁ ହାତରେ ବିତରଣ ଦାୟିତ୍ୱ ଥିବାବେଳେ ୨୦୧୯-୨୦ ବର୍ଷରେ ୩୩୫ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ୨୦୨୦-୨୧ରେ ଏପ୍ରିଲ୍ରୁ ମଇ ମାସ ମଧ୍ୟରେ ୧୩୧ କୋଟି ଟଙ୍କା କ୍ଷତି ହୋଇଥିଲା । ତେବେ ଜୁନ୍ ୨୦୨୦ ରେ ବିତରଣ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବାପର ଟିପିସିଓଡିଏଲ୍ ଲାଭ କରି ଚାଲିଲା । ୨୦୨୩-୨୪ ବର୍ଷରେ ଲାଭ ପରିମାଣ ୬୫ କୋଟି ଟଙ୍କାରେ ପହଞ୍ଚିଛି । ଏହିବର୍ଷ ଟିପିସିଓଡିଏଲ୍ ୫୨୯୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି ।
ସେହିଭଳି ଟିପିଏନଓଡିଏଲ୍ର ଲାଭ ପରିମାଣ ୨୦୨୩-୨୪ ବର୍ଷରେ ୧୩୨ କୋଟି ଟଙ୍କାକୁ ଟପିଯାଇଥିବାବେଳେ ଟିପିଏସଓଡିଏଲ୍ର ଲାଭ ପରିମାଣ ୩୬କୋଟି ୫୭ଲକ୍ଷ ଟଙ୍କାରେ ପହଞ୍ଚିଛି । ଟିପିଡବ୍ଲୁଓଡିଏଲ୍ ର ଲାଭ ପରିମାଣ ୨୦୨୩-୨୪ ବର୍ଷରେ ୭୪କୋଟି ୭୮ଲକ୍ଷ ଟଙ୍କା ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବାଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଘାତ ପାଇଁ କ୍ଷତିପୂରଣ ବାବଦରେ ପ୍ରାୟ ୧୭କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ପ୍ରଦାନ କରିଛି । (ତଥ୍ୟ)