ଭୁବନେଶ୍ୱର : ଲଗାତାର କ୍ଷତି ସହି ଚାଲିଥିବା ଗ୍ରିଡକୋ ପ୍ରଥମଥର ପାଇଁ ୨୦୨୩-୨୪ ବର୍ଷରେ ୨୬୦ କୋଟି ୪୪ଲକ୍ଷ ଟଙ୍କାର ଲାଭ କରିଛି ।
ଗ୍ରିଡ୍କୋର ଲାଭ କ୍ଷତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଗ୍ରିଡ୍କୋ ଲଗାତାର କ୍ଷତିସହି ଚାଲିଥିଲା । ୨୦୨୦-୨୧ ବର୍ଷରେ କ୍ଷତିପର ପରିମାଣ ସର୍ବାଧିକ ୧୩୮୨ କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧୩୫୨ କୋଟି ୧୪ଲକ୍ଷ ଟଙ୍କା ଥିଲା । ତେବେ ୨୦୨୩-୨୪ ବର୍ଷରେ ଗ୍ରିଡକୋ ପ୍ରଥମଥର ପାଇଁ ୨୬୦ କୋଟି ୪୪ଲକ୍ଷ ଟଙ୍କାର ଲାଭ କରିଛି ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଟାଟା ପାୱାରର ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ଉପରେ ଗ୍ରିଡ୍କୋର କୌଣସି ଟଙ୍କା ବକେୟା ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ପୁରାତନ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ଉପରେ ୬୫୪୯ କୋଟି ଟଙ୍କା ବକେୟା ରହିଛି । ବିଜୁଳି ଖରିଦ କରୁଥିବା ସଂସ୍ଥାଗୁଡିକୁ ଗ୍ରିଡ୍କୋ ନିର୍ଦ୍ଧାରିତ ସମୟରେ ଦେୟ ପଇଠ କରୁଛି ।
ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଗ୍ରିଡ୍କୋ ଓଡିଶା ଜଳବିଦ୍ୟୁତ୍ ଉତ୍ପାଦନ ନିଗମ ଠାରୁ ୟୁନିଟ୍ ପିଛା ୧ଟଙ୍କା ୧ପଇସା ଦରରେ ବିଜୁଳି କିଣିଥିବାବେଳେ ଓପିଜିସି ଠାରୁ ୟୁନିଟ୍ ପିଛା ୩ଟଙ୍କା ୩୬ ପଇସା, ବେଦାନ୍ତ ଠାରୁ ୧ଟଙ୍କା ୮୦ ପଇସା ଏବଂ ଜିଏମ୍ଆର କଳାଳାଙ୍ଗ ୟୁନିଟ୍ରୁ ୩ଟଙ୍କା ୫୬ ପଇସା ଦରରେ ବିଦ୍ୟୁତ୍ ଖରିଦ କରିଛି । ସର୍ବାଧିକ ୮୯୦୪ ନିୟୁତ ୟୁନିଟ୍ ବିଦ୍ୟୁତ୍ ଓପିଜିସିରୁ ଖରିଦ କରିଥିବାେବେଳ ଜଳବିଦ୍ୟୁତ୍ ନିମରୁ ୪୭୮୦ ନିୟୁତ ୟୁନିଟ୍ ଓ ବେଦାନ୍ତ ଠାରୁ ୧୮୪୫ ନିୟୁତ ୟୁନିଟ୍ ବିଜୁଳି କିଣିଛି । (ତଥ୍ୟ)