Home Cooperation ଲାଭାଂଶ ଦେଲା ସମବାୟ ବ୍ୟାଙ୍କ୍‍

ଲାଭାଂଶ ଦେଲା ସମବାୟ ବ୍ୟାଙ୍କ୍‍

ଭୁବନେଶ୍ୱର :   : ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ ।

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ ।

ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ ୫ କୋଟି ୬୨ ଲକ୍ଷ ୫୩ ହଜାର ୭୯୪ ଟଙ୍କା ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ   ଓଡିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ତାର ଲାଭାଂଶ ପ୍ରଦାନ କରିଆସୁଛି।

କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଏହି ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । କୃଷି ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।