Home Education ଲାଗୁ ହେଲା ଆଚରଣ ବିଧି

ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର : ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ କରି ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାର ବାତାବରଣକୁ ସୁଧାରିବା ଏବଂ କ୍ୟାମ୍ପସକୁ ରାଜନୀତିମୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏକ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ପାଇଁ ୧୧ପୃଷ୍ଠା ବିଶିଷ୍ଟ ଆଦର୍ଶ ଆଚରଣ ବିଧି ପ୍ରସ୍ତୁତ ହୋଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସହ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏଣିକି କେବଳ ପାଠପଢ଼ା ନୁହେଁ, ବରଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସାଧୁତା ଓ ପାରସ୍ପରିକ ସମ୍ମାନ ବଜାୟ ରଖିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ପୂର୍ବ ଅନୁମତି ବିନା ଶିକ୍ଷାନୁଷ୍ଠାନ ପରିସରରେ ଅନଧିକୃତ ଆନ୍ଦୋଳନ ଓ ହରତାଳ ନିଷେଧ କରାଯିବା ସହ ବାହ୍ୟ ହସ୍ତକ୍ଷେପ ଓ ଅସାମାଜିକ କାର୍ଯ୍ୟକଳାପରୁ ମୁକ୍ତ ରଖିବା ଏବଂ ମାସକ ମଧ୍ୟରେ ତମାଖୁମୁକ୍ତ କରିବାକୁ ଏହି କଡ଼ା ନିୟମାବଳୀ ପ୍ରସ୍ତୁତ ହୋଇଛି। ଏସବୁ ସମେତ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିନା ଅନୁମତିରେ କୌଣସି ରାଜନୈତିକ ସଭା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ଏଣିକି କ୍ୟାମ୍ପସ ମଧ୍ୟରେ ଶୃଙ୍ଖଳା ଭାଙ୍ଗିଲେ କିମ୍ବା କୌଣସି ନିୟମ ଉଲ୍ଲଂଘନ କଲେ ବହିଷ୍କାର ଭଳି କଠୋର ଦଣ୍ଡ ମିଳିବ ବୋଲି ସରକାର ସ୍ପଷ୍ଟ କରିବା ସହ ଏହି ୧୧ପୃଷ୍ଠା ବିଶିଷ୍ଟ ଆଚରଣ ବିଧିକୁ ଶିକ୍ଷାନୁଷ୍ଠାନର ପ୍ରୋସପେକ୍ଟସ୍‌, ହ୍ୟାଣ୍ଡବୁକ୍ ଓ ୱେବସାଇଟରେ ସାମିଲ କରି ଏହାର ଅନୁପାଳନ ସୁନିଶ୍ଚିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ନୂଆ ଆଚରଣ ବିଧିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଆଜି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ନୂଆ ନିୟମ ଅନୁସାରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହରେ ନିୟମିତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି ଓ ଏଥିରେ ଅବହେଳାକୁ ଗମ୍ଭୀର ଶୃଙ୍ଖଳାଗତ ତ୍ରୁଟି ଭାବେ ବିବେଚନା କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ କ୍ରମାଗତ ଭାବେ ଅନୁପସ୍ଥିତ ରହନ୍ତି ତେବେ ଶିକ୍ଷାନୁଷ୍ଠାନ ପକ୍ଷରୁ ସେମାନଙ୍କ ଅଭିଭାବକଙ୍କୁ ତୁରନ୍ତ ଫୋନ୍ କଲ୍‌, ଏସଏମଏସ୍ କିମ୍ବା ଆପ୍ ମାଧ୍ୟମରେ ଅବଗତ କରାଯିବ।

ରାଗିଂ, ନିଶାଦ୍ରବ୍ୟ ସେବନ, ଯୌନ ଉପୀଡ଼ନ ଓ ଅଶ୍ଳୀଳ ଆଚରଣକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ଶିକ୍ଷାନୁଷ୍ଠାନର ସମ୍ପତ୍ତି ନଷ୍ଟ କଲେ ସମ୍ପୂର୍ଣ୍ଣ କ୍ଷତିପୂରଣ ଆଦାୟ କରାଯିବ ଓ କ୍ଷତିପୂରଣ ନଦେଲେ କିମ୍ବା ଗୁରୁତର ଅଶାନ୍ତି ସୃଷ୍ଟି କଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସାମୟିକ କିମ୍ବା ସ୍ଥାୟୀ ଭାବେ ବହିଷ୍କାର କରାଯିବ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଛାତ୍ରଛାତ୍ରୀ ପରିଚୟ ପତ୍ର ପିନ୍ଧିବା ଓ ଅଭିଭାବକଙ୍କ ସଠିକ ଫୋନ୍ ନମ୍ବର ଡାଟାବେସରେ ଦେବାକୁ ବାଧ୍ୟ।

ଅଧ୍ୟାପକମାନଙ୍କୁ କେବଳ ଶିକ୍ଷାଦାନ ନୁହେଁ, ବରଂ ଜଣେ ପରାମର୍ଶଦାତା ବା ‘ମେଣ୍ଟର’ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ନିଜ ପଦବୀର ଦୁରୂପଯୋଗ କରି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କିମ୍ବା ପକ୍ଷପାତିତା କରିବା ଏକ ଗମ୍ଭୀର ଅପରାଧ ଭାବେ ବିବେଚନା କରାଯିବ। ସେମାନେ ନିଜର ପଦବୀକୁ ବ୍ୟବହାର କରି କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ଚାପ ଦେବା କିମ୍ବା ପରୀକ୍ଷା ନମ୍ବରକୁ ନେଇ ଭୟଭୀତ କରିପାରିବେ ନାହିଁ । ଶିକ୍ଷକମାନେ ପ୍ରତ୍ୟେକ ଛାତ୍ରଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ କୌଣସି ଜାତି, ଧର୍ମ କିମ୍ବା ଲିଙ୍ଗ ଆଧାରରେ ପକ୍ଷପାତିତା କରିପାରିବେ ନାହିଁ।

ଅଧ୍ୟାପକମାନେ କଲେଜ ଆସିବା ପୂର୍ବରୁ ନିଜର ‘ଲେସନ୍ ପ୍ଲାନ୍‌’ ପ୍ରସ୍ତୁତ  କରିବେ। ସମସ୍ତ ଅଫିସିଆଲ୍ ଯୋଗାଯୋଗ ପାଇଁ ସରକାରୀ ଇମେଲ୍ ଆଇଡି ବ୍ୟବହାର କରିବେ। ଶିକ୍ଷକ ବା ଅଧ୍ୟାପକମାନଙ୍କ ଆଚରଣ ସର୍ବଦା ସନ୍ଦେହର ଊର୍ଦ୍ଧ୍ୱରେ ରହିବା ସହ ସେମାନେ ଶାରୀରିକ ଦଣ୍ଡ ପରିବର୍ତ୍ତେ ସୃଜନାତ୍ମକ ଶାସନକୁ ପ୍ରାଧାନ୍ୟ ଦେବେ। କଲେଜରେ କୌଣସି ଅଶାନ୍ତି ଦେଖାଦେଲେ ଅଧ୍ୟାପକମାନେ ସତର୍କ ରହି ତୁରନ୍ତ ଅଧ୍ୟକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

 କଲେଜ ଓ ବିଶ୍ୱବିଦ୍ୟାଳୟକୁ ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ କୌଣସି ରାଜନୈତିକ ଦଳର ସଭା ବା ସମାବେଶକୁ କ୍ୟାମ୍ପସ ମଧ୍ୟରେ ଅନୁମତି ଦିଆଯିବ ନାହିଁ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଶିକ୍ଷାନୁଷ୍ଠାନ ପରିସରରେ ଅନଧିକୃତ ଆନ୍ଦୋଳନ, ହରତାଳ କିମ୍ବା ସଭା ସମିତି କରିବା ସମ୍ପୂର୍ଣ୍ଣ ନିଷେଧ। କ୍ୟାମ୍ପସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ୨୪ ଘଂଟିଆ ସିସିଟିଭି କ୍ୟାମେରାରେ ରହିବ।

ଅସାମାଜିକ ବ୍ୟକ୍ତି ଓ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବା ପାଇଁ ହଷ୍ଟେଲରେ ନିୟମିତ ରାତ୍ରୀକାଳୀନ ଯାଂଚ କରାଯିବ। ଯଦି କୌଣସି ଅଣଛାତ୍ରଙ୍କୁ ହଷ୍ଟେଲରେ କେହି ଛାତ୍ର ଆଶ୍ରୟ ଦିଅନ୍ତି, ତେବେ ତାଙ୍କୁ ୬ ମାସ ପାଇଁ ନିଲମ୍ବିତ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାସହ ଆଗାମୀ ଏକ ମାସ ମଧ୍ୟରେ ପ୍ରତ୍ୟେକ କ୍ୟାମ୍ପସକୁ ‘ତମାଖୁମୁକ୍ତ ପରିସର’ ଭାବେ ଗଢ଼ିତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।