Home News in Odia ଲଢିବେ ୨୦ରୁ ଅଧିକ ଦଳ

ଲଢିବେ ୨୦ରୁ ଅଧିକ ଦଳ

ଭୁବନେଶ୍ୱର : ଚାରି ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ୨୦ରୁ ଅଧିକ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଭିନ୍ନ ଆସନରୁ ବହୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ସମ୍ଭାବନା ରହିଛି ।

ଦୀର୍ଘ ୨୬ବର୍ଷ ଧରି ଓଡ଼ିଶାରେ ନିଜର ଦବ୍‍ଦବା ଜାହିର କରିଆସୁଥିବା ବିଜୁ ଜନତା ଦଳ ୨୧ଟି ଯାକ ଲୋକସଭା ଓ ୧୪୭ଟି ଯାକ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ସେହିପରି କେନ୍ଦ୍ରରେ ୧୦ବର୍ଷ ଧରି ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ବି ସମସ୍ତ ଆସନ ପାଇଁ ଲଢିବ ବୋଲି ଏହି ଦଳର ରାଜ୍ୟସ୍ତରୀୟ ନେତାମାନେ କହୁଛନ୍ତି । ଅନ୍ୟପକ୍ଷରେ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଓ ତାହା ନେତୃତ୍ୱରେ ଗଠିତ ଇଣ୍ଡି ମେଣ୍ଟ ବି ୨୧ଟି ଯାକ ଲୋକସଭା ଓ ୧୪୭ ବିଧାନସଭା ଆସନରୁ ପ୍ରାର୍ଥୀ ଦେବ ।

ବିଜେଡି-ବିଜେପି ମଧ୍ୟରେ ୧୫ବର୍ଷ ତଳୁ ମେଣ୍ଟ ଭାଙ୍ଗିଥିବାବେଳେ ଏଥର ନିର୍ବାଚନରେ ଏ ଦୁଇଦଳ ପୁଣି ମେଣ୍ଟ କରିବେ ବୋଲି ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ଯଦି ସତ ହୁଏ ତେବେ ଏହି ଦୁଇ ଦଳର ବହୁ ଆଶାୟୀ ପ୍ରାର୍ଥୀ ଓ ଦଳଡିଆଁ ନେତାଙ୍କ ସମସ୍ୟା ବଢିଯିବ । ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟର ଅନ୍ୟତମ ଅଂଶୀଦାର ସିପିଆଇ ଏକତରଫା ଭାବେ ତାହାର ଆସନ ଘୋଷଣା କରିଥିବାବେଳେ କେଉଁ ଆସନ ମେଣ୍ଟର କେଉଁ ଦଳକୁ ଛଡାଯିବ ସେ ସଂକ୍ରାନ୍ତରେ କଂଗ୍ରେସ କିମ୍ବା ଇଣ୍ଡି ମେଣ୍ଟର ନେତୃତ୍ୱ ଏଯାବତ୍‍ ଆନୁଷ୍ଠାନିକ ଭାବେ କିଛି ସୂଚନା ଦେଇନାହାନ୍ତି ।

ସମୃଦ୍ଧ ଓଡ଼ିଶା, ଓଡ଼ିଶା ଜନତା ପାର୍ଟି, ଆପ୍‍, ସିପିଆଇ, ସିପିଏମ୍‍ ଓ ଏସ୍‍ୟୁସିଆଇ ଅନେକ ଲୋକସଭା ଓ ବିଧାନସଭା ଆସନରୁ ଲଢିବାର ସମ୍ଭାବନା ରହିଛି । ଏମାନଙ୍କ ଛଡା ସିପିଆଇ (ଏମ୍‍ଏଲ୍‍) ଓ ସିପିଆଇ (ଏମ୍‍ଏଲ୍‍) ରେଡ୍‍ଷ୍ଟାର ଦଳ ମଧ୍ୟ କେତେଗୁଡିଏ ଆସନରୁ ପ୍ରାର୍ଥୀ ଦେବା ଶୁଣାଯାଉଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ଆଜ୍‍ସୁ ଦଳ ବି ଓଡ଼ିଶା ନିର୍ବାଚନରେ ଦମ୍‍ ଦେଖାଇବେ ।

ଏମାନଙ୍କ ଛଡା ଏନ୍‍ସିପି, ଟିଏମ୍‍ସି, ଫରୱାର୍ଡ ବ୍ଲକ୍‍, କଳିଙ୍ଗ ସେନା, ପ୍ରାଉଟିଷ୍ଟ, ଆର୍‍ପିଆଇ, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ଜନତା ପାର୍ଟି, ଲୋକ ଜନଶକ୍ତି ପାର୍ଟି ଆଦିରୁ ପ୍ରାର୍ଥୀ ହେବାପାଇଁ ମଧ୍ୟ ଆଶାୟୀଙ୍କ ଅଭାବ ନାହିଁ । ଦୀର୍ଘଦିନ ଧରି କୃଷକମାନଙ୍କ ସ୍ୱାର୍ଥ ରକ୍ଷାଲାଗି ଆନ୍ଦୋଳନ ଚଳାଇ ଆସିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ନେତାମାନେ ଏବେ ସେମାନଙ୍କର ନିଜସ୍ୱ ଦଳ ଗଢିଛନ୍ତି । ଏହି ଦଳ ବି ନିଜ ଶକ୍ତି ଆଧାରରେ ଅନେକଗୁଡିକ ସ୍ଥାନରେ ପ୍ରାର୍ଥୀ ଛିଡା କରାଇବ ।

ବିଜେଡି, ବିଜେପି ଓ କଂଗ୍ରେସ ଦଳରୁ ନିର୍ବାଚନ ଲଢିବା ପାଇଁ ଯେତେ ସଂଖ୍ୟକ ଆଶାୟୀ ରହିଛନ୍ତି ସେ ସମସ୍ତଙ୍କୁ ଦଳୀୟ ଟିକେଟ ମିଳିବା ସମ୍ଭବପର ନୁହେଁ । ଏମିତିକି ଏଥର କିଛି ବିଧାୟକ ଓ ଲୋକସଭା ସାଂସଦଙ୍କୁ ସେମାନଙ୍କ ଦଳରୁ ଟିକେଟ ମିଳି ନପାରେ । ଏ ପରିପ୍ରେକ୍ଷୀରେ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ପର୍ଯ୍ୟନ୍ତ ହତାସ ଆଶାୟୀଙ୍କ ଦଳଡିଆଁ ପର୍ବ ଜାରି ରହିବ । ଏମିତିକି କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଦ୍ରୋହୀ ମାତିବାର ସମ୍ଭାବନା ରହିଛି ।

ଏ ପରିପ୍ରେକ୍ଷୀରେ ୨୦୨୪ର ନିର୍ବାଚନରେ ଓଡ଼ିଶାର ସଂଖ୍ୟାଧିକ ଆସନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ୨୦ରୁ ଅଧିକ ଦଳ ଓଡ଼ିଶାରେ ନିର୍ବାଚନ ଲଢିବା ପାଇଁ କସରତ୍‍ ଚଳାଇଥିବାବେଳେ କେଉଁଦଳ କେତେ ଆସନ ହାତେଇବେ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ କେଉଁ କେଉଁ ଆସନ ଯିବ ତାହା ନିର୍ବାଚନ ଫଳାଫଳରୁ ହିଁ ଜଣାପଡିବ । (ତଥ୍ୟ)