ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟସଭା ସଦସ୍ୟ ଥିବା ଅନ୍ୟୁନ ୧୦ଜଣ ମନ୍ତ୍ରୀଙ୍କ ସମେତ ୧୮ଜଣ ସାଂସଦ ୨୦୨୪ରେ ହେବାକୁ ଥିବା ସାଧାରଣ ନର୍ବାଚନରେ ଲୋକସଭା କିମ୍ବା ରାଜ୍ୟ ବିଧାନସଭା ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢି ପାରନ୍ତି । ଏଥିଲାଗି ରାଜ୍ୟସଭା ସଦସ୍ୟ ଥିବା ସମ୍ପୃକ୍ତ ନେତାମାନେ କ୍ଷେତ୍ର ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି ।
ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା କ୍ଷେତ୍ରରୁ ଓଡ଼ିଶା ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇ ଆସିବାବେଳେ ତାଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଦେବଗଡ଼ ଆସନରୁ ଲୋକସଭା ସଦସ୍ୟ ହୋଇଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନ ଗୋଟିଏ ସମୟରେ ରାଜ୍ୟ ବିଜେପିର ସଭାପତି ଥିଲେ ଏବଂ ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ । ଧର୍ମେନ୍ଦ୍ର ତାଙ୍କ ପିତାଙ୍କ ଲୋକସଭା ଆସନ ଦେବଗଡ଼ରୁ ୨୦୦୪ରେ ଜିଣିଥିଲେ ମଧ୍ୟ ୨୦୦୯ରେ ପରାସ୍ତ ହୋଇଥିଲେ । ଧର୍ମେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ବିଜେପିର ସାଙ୍ଗଠନିକ ପଦପଦବୀରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଛନ୍ତି ।
ଧର୍ମେନ୍ଦ୍ରଙ୍କୁ ପ୍ରଥମେ ବିହାରରୁ ରାଜ୍ୟସଭାକୁ ବିଜେପି ମେଣ୍ଟ ପଠାଇଥିଲା । ପରବର୍ତ୍ତୀ ସମୟରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ୨୦୧୪ରୁ ଏଯାବତ୍ ନରେନ୍ଦ୍ର ମୋଦିଙ୍କ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଆସିବା ସହିତ ଅନେକ ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ଦଳ ତରଫରୁ କାମ କରିଛନ୍ତି । ଓଡ଼ିଶା ବିଜେପି ସଙ୍ଗଠନ ଉପରେ ତାଙ୍କର ବେଶ୍ ନିୟନ୍ତ୍ରଣ ରହିଛି । ତାଙ୍କର ୧୨ବର୍ଷର ରାଜ୍ୟସଭା ଅବଧି ୨୦୨୪ରେ ପୂରଣ ହେଉଛି ।
ଯେଉଁ ନେତାମାନେ ଏକାଧିକ ବାର ରାଜ୍ୟସଭା ସଦସ୍ୟ ହୋଇଛନ୍ତି ଏବଂ ବିଶେଷ କରି ଏହି ଆଧାରରେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନକୁ ବିଜେପି ଓହ୍ଲାଇବା ପାଇଁ ସବୁଜ ସଙ୍କେତ ଦେଇଥିବା କୁହାଯାଉଛି । ଏହି କ୍ରମରେ ଜାତୀୟ ଗଣମାଧ୍ୟମରେ ଓ ରାଜନୈତିକ ସ୍ତରରେ ଧର୍ମେନ୍ଦ୍ରଙ୍କ ସମେତ କେତେକ କେନ୍ଦ୍ରମନ୍ତ୍ରୀଙ୍କ ନାମ କିଛିଦିନ ଧରି ଚର୍ଚ୍ଚାରେ ରହିଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ଅନ୍ୟତମ ମନ୍ତ୍ରୀ ପିୟୁଷ ଗୋଏଲ୍, ପୁରୁଷୋତ୍ତମ ରୁପାଲା, ମନ୍ସୁଖ ମାଣ୍ଡଭୀୟ, ହର୍ଦୀପ ସିଂ ପୁରୀ, ଭୂପେନ୍ଦ୍ର ଯାଦବ ଆଦିଙ୍କ ନାମ ଏହି କ୍ରମରେ ଚର୍ଚ୍ଚାରେ ରହିଛି । ଏମିତିକି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେ. ପି. ନଡ୍ଡା ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ଲଢି ପାରନ୍ତି । ରାଜ୍ୟସଭା ସଦସ୍ୟ ଥିବା ସୁଶୀଲ କୁମାର ମୋଦୀ, କେ. ଲକ୍ଷ୍ମଣ ବି ଏଥର ଲୋକସଭା ନିର୍ବାଚନ ଲଢିବା ଘେନି ଚର୍ଚ୍ଚା ହେଉଛି । ବିଭିନ୍ନ ରାଜ୍ୟର କେତେକ ଟାଣୁଆ ବିଜେପି ବିଧାୟକଙ୍କୁ ଦଳ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ।
୨୦୧୯ ତୁଳନାରେ ଏଥର ଅଧିକ ଆସନ ହାତେଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବା ସହିତ ସଂସଦୀୟ କ୍ଷେତ୍ରଗୁଡିକୁ ପ୍ରବାସ କାର୍ଯ୍ୟକ୍ରମରେ ଟାଣୁଆ ନେତାମାନଙ୍କୁ ପଠାଉଛି । ତେବେ କର୍ଣ୍ଣାଟକ, ରାଜସ୍ଥାନ, ପଞ୍ଜାବ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳିି କେତେକ ରାଜ୍ୟ ବିଧାନସଭାର ଫଳାଫଳ ଗତ ୫ବର୍ଷ ମଧ୍ୟରେ ବିଜେପି ବିପକ୍ଷରେ ଯାଇଥିବା ପରିପ୍ରେକ୍ଷୀରେ କଂଗ୍ରେସ ଓ ଅନ୍ୟ ଅଣବିଜେପି ନେତାମାନେ ପୁରା ଦମ୍ରେ ‘ବିଜେପି ହଟାଅ’ ଅଭିଯାନ ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ଏହାକୁ ମୁକାବିଲା କରିବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ।
ଓଡ଼ିଶା ବିଜେପିର ବହୁ ନେତା ଧର୍ମେନ୍ଦ୍ରଙ୍କୁ ରାଜ୍ୟର ବିକଳ୍ପ ନେତା ଭାବେ ବିବେଚନା କରୁଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ବିଜେପି ଏଯାବତ୍ କୌଣସି ନେତାଙ୍କ ନାମ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିନାହିଁ । ଫଳରେ ଧର୍ମେନ୍ଦ୍ରଙ୍କ ସମେତ ଆଉ କେତେକ ନେତାଙ୍କ ନାମ ଦଳୀୟ କର୍ମୀ ମହଲରେ ଏଥିଘେନି ଚର୍ଚ୍ଚାରେ ରହିଛି । ଏ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କୁ ଯଦି କେନ୍ଦ୍ର ବିଜେପି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଦେବାକୁ ଚାହିଁବ ତେବେ ୨୦୨୪ର ବିଧାନସଭା ନିର୍ବାଚନରେ ସେ ଦଳର ବିଧାନସଭା ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ଯଦି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ପୁଣି କେନ୍ଦ୍ରୀୟ ରାଜନୀତି ତଥା କେନ୍ଦ୍ର ସରକାରରେ ବର୍ତ୍ତମାନ ଭଳି ରଖିବାକୁ ଚାହିଁବେ ତେବେ ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ଇତିମଧ୍ୟରେ ଦେବଗଡ଼ ଲୋକସଭା ଆସନ ବରଗଡ଼ ଓ ସମ୍ବଲପୁରରେ ମିଶି ଯାଇଛି । ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲା ଅବିଭକ୍ତ ଢେଙ୍କାନାଳରେ । ତେଣୁ ସେ ଢେଙ୍କାନାଳ, ବରଗଡ଼ କିମ୍ବା ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଥବା ଅନ୍ୟ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ରୀୟ ନେତୃତ୍ୱ ଚାହିଁଲେ ସେ ତୃତୀୟ ଥର ପାଇଁ କୌଣସି ରାଜ୍ୟରୁ ରାଜ୍ୟସଭାକୁ ଯିବାରେ ଅସୁବିଧା ନାହିଁ । (ତଥ୍ୟ)