ଭୁବନେଶ୍ୱର : ଲଘୁ ଖଣିଜ ସାମଗ୍ରୀ ଚୋରା କାରବାର ଖୋଲାଖୋଲି ଭାବେ ବର୍ଷ ବର୍ଷ ଧରି ସାରା ରାଜ୍ୟରେ ଚାଲୁଛି । ଏହି ଲୁଟ୍ ରେ ସମ୍ପୃକ୍ତ ମାଫିଆମାନେ ଏତେ ବଳଶାଳୀ ହେଉଛନ୍ତି ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ପୁଲିସ୍ ଓ ପ୍ରଶାସନ ପାଇଁ କାଠିକରପାଠ ହେଉଛି । ଏମିତିକି ଚୋରା ବାଲି, ପଥର, ମୋରମ ଆଦି କାରବାରକୁ ରୋକିବାକୁ ଯାଉଥିବା ଅଧିକାରୀମାନଙ୍କୁ ସେମାନେ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି ।
ପୂର୍ବରୁ ଏହି ଲଘୁ ଖଣିଜ ସାମଗ୍ରୀଗୁଡିକର ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ରାଜସ୍ୱ ବିଭାଗର ସ୍ଥାନୀୟ ତହସିଲଗୁଡିକ ଉପରେ ନ୍ୟସ୍ତ ଥିଲା । ଗତ ସରକାର ସମୟରେ ଏହାକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଖଣି ବିଭାଗ ଏହାର ଦାୟିତ୍ୱ ନେବାପରେ ତାହାର ପର୍ଯ୍ୟାପ୍ତ ସଂଖ୍ୟକ କ୍ଷେତ୍ର କର୍ମଚାରୀ ନଥିବାରୁ ଜିଲ୍ଲା ଖଣି ଅଧିକାରୀମାନେ ବାଲି ଠାରୁ ମୋରମ ପର୍ଯ୍ୟନ୍ତ ଲଘୁ ଖଣିଜ ସାମଗ୍ରୀ ଚୋରି ରୋକିବାରେ ଏକ ପ୍ରକାର ଅସମର୍ଥ ହେଉଥିଲେ । ଏହାର ଫାଇଦା ନେଇ ଅନେକ ସ୍ଥାନରେ ବେଆଇନ୍ କ୍ରସରମାନ ବସାଯିବା ସହିତ ଗୋଟିଏ ପରେ ଗୋଟିଏ ପାହାଡକୁ ଏହି ଖଣି ମାଫିଅମାନେ ନଣ୍ଡା କରିଚାଲିଛନ୍ତି ।
ଏବେ ପୁଣି ଏହି ଦାୟିତ୍ୱ ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ ତହସିଲଗୁଡିକୁ ଦିଆଯାଉଛି । ତେବେ ତହସିଲଦାରମାନଙ୍କର ରାଜସ୍ୱ ସଂକ୍ରାନ୍ତୀୟ ଯେତେ କାମ ବଢୁଛି ସେଥିରେ ସେମାନେ ପ୍ରତିଦିନ ସେମାନଙ୍କ ଅଞ୍ଚଳରେ ଥିବା ବାଲିଘାଟ, ପଥର ଓ ମୋରମ ଖଣି ଆଦି ପରିଦର୍ଶନ କରିବା ସମ୍ଭବପର ନୁହେଁ । ଏହାଛଡା ଏହି ଚୋରା କାରବାରରେ ସମ୍ପୃକ୍ତ ମାଫିଆମାନେ ମାରଣାସ୍ତ୍ର ବ୍ୟବହାର କରୁଥିବାରୁ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ୍ଫୋର୍ସ ନନେଇ ସେମାନଙ୍କୁ ମୁକାବିଲା କରିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଏମିତିକି କେତେକ କ୍ଷେତ୍ରରେ ତହସିଲଦାର ଓ ତହସିଲର ଅନ୍ୟ କର୍ମଚାରୀ ଏବଂ ଗାଡି ଅଟକାଉଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।
କେଉଁ ପଞ୍ଚାୟତ ଓ ପୌର ଇଲାକାରେ କେଉଁ ନଦୀ ଶଯ୍ୟାରୁ କେତେ ବାଲି ଉଠାଣ ହେଉଛି ତାହା ତଳୁ ଉପର ପର୍ଯ୍ୟନ୍ତ ସ୍ଥାନୀୟ ନେତାମାନଙ୍କୁ ଜଣା । ଦୃଢ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ରହିଲେ ଏହାକୁ ଦମନ କରାଯାଇ ପାରିବ ବୋଲି ବହୁ ଅବସରପ୍ରାପ୍ତ ଅଧିକାରୀ କହୁଛନ୍ତି ।
ପ୍ରତିରକ୍ଷା ବାହିନୀରୁ ଅବସର ନେବାପରେ ଓଏଏସ୍ ଚାକିରିରେ ଯୋଗଦେଇ ଏକଦା ଆସିକା ତହସିଲଦାର ହୋଇଥିବା କେଳୁ ଚରଣ ରଣସିଂହ ଏ ସଂକ୍ରାନ୍ତରେ ତାଙ୍କ ଅଭିଜ୍ଞତା ବଖାଣି କୁହନ୍ତି ଯେ ସେ ସେହି ତହସିଲକୁ ଯିବା ପୂର୍ବରୁ ବହୁବର୍ଷ ଧରି କେତେଗୁଡିଏ ବାଲିଘାଟର ନିଲାମ ହେଉନଥିଲା ଏବଂ ମାଫିଆମାନେ ଜୋରଜବରସ୍ତ ବାଲି ଚୋରା ଚାଲାଣ କରୁଥିଲେ । ବୋର୍ଡ ଅଫ୍ ରେଭନ୍ୟୁର ନିର୍ଦ୍ଦେଶ କ୍ରମେ ସେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଏହି ବାଲିଘାଟ ନିଲାମ କରିବାପରେ ତାଙ୍କୁ ରାଜନୈତିକ ଆକ୍ରୋଷର ଶିକାର ହେବାକୁ ପଡିଲା ଏବଂ ସେ ଦୀର୍ଘଦିନ ଧରି ବିନା ଦୋଷରେ ନିଲମ୍ବିତ ହୋଇ ରହିଲେ । ପରେ ଅବଶ୍ୟ ବହୁ ଲଢେଇ କରି ଆଇନ୍ ଅଦାଲତରୁ ତାଙ୍କୁ ନ୍ୟାୟ ମିଳିଲା ।
ଅନ୍ୟଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଖୋରଧା ଆଖପାଖ ଅଞ୍ଚଳରେ କିଭଳି ବେଆଇନ୍ ମୋରମ ଓ ପଥର ଟ୍ରକ ଜବତ କରାଗଲାବେଳେ ମାଫିଆମାନେ ଗାଡି ଚଢାଇ ତାଙ୍କୁ ହତ୍ୟା କରିବାପାଇଁ ଉଦ୍ୟମ କରିଥିଲେ ତାହାର ଲୋମଟାଙ୍କୁରା ବିବରଣୀ ଦିଅନ୍ତି । ଖୋଦ ପୁରୀ ଶ୍ରୀମନ୍ଦିରର ଖୋରଧା ଜିଲ୍ଲାରେ ଥିବା ଅନେକ ଖଣି ଖାଦାନରୁ ମାଫିଆମାନେ ପଥର ଓ ମୋରମ ମେସିନ ଲଗାଇ ତାଡି ନେବାରୁ ଅବସ୍ଥା ଏଭଳି ହେଲା ଯେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଏଥିରେ ହସ୍ତକ୍ଷେପ କରି କ୍ଷତି ଭରଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉପରେ ମୋଟା ଅଙ୍କର ବୋଝ ଲଦି ଦେଇଥିଲେ । ବିଶେଷକରି ନଦୀଶଯ୍ୟାରୁ ବେଆଇନ୍ ବାଲି ଚାଲାଣ ଯୋଗୁଁ ନଦୀର ଉପକୂଳବର୍ତ୍ତୀ ଗାଁଗୁଡିକର ସ୍ଥିତି ପ୍ରତି ବିପଦ ଉପୁଜୁଛି । ବାଲେଶ୍ୱର ସୀମାନ୍ତରେ ପଶ୍ଚିମବଙ୍ଗର ବାଲି ମାଫିଆମାନେ ସୁବର୍ଣ୍ଣରେଖା ନଦୀଶଯ୍ୟାକୁ ଯେଭଳି ବର୍ଷ ବର୍ଷ ଧରି ଲୁଟ୍ କରୁଛନ୍ତି ତାହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରୁନଥିବା ସ୍ଥାନୀୟ ଲୋକେ ଖୋଲା ଅଭିଯୋଗ କରୁଛନ୍ତି । (ତଥ୍ୟ)

