ଭୁବନେଶ୍ୱର : ଲଘୁ ଖଣିଜ ଦ୍ରବ୍ୟ ବିଶେଷକରି ରାଜ୍ୟରେ ବାଲି ଚୋରିକୁ ରୋକିବାପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଥିବାବେଳେ ଚୋରି କିନ୍ତୁ ବଢି ବଢି ଚାଲିଛି । ଚୋରିକରୁଥିବାବେଳେ ଧରା ପଡୁଥିବା ଯାନବାହାନ ସଂଖ୍ୟା ଓ ଜୋରିମାନାରୁ ଏହା ଜଳ ଜଳ ହୋଇ ଦିଶୁଛି ।
ସରକାରୀ ସୂଚନାରୁ ଜଣାପଡିଛି ଯେ ଲଘୁ ଖଣିଜଦ୍ରବ୍ୟ ଚୋରି ସମୟରେ ଜବତ ହୋଇଥିବା ଗାଡିମୋଟର ସଂଖ୍ୟା ୨୦୨୪-୨୫ ବର୍ଷରେ ୪୬୭୬ ଟି ଥିବାବେଳେ ୨୦୨୫-୨୬ ବର୍ଷର ଫେବୃଆରୀ ସୁଦ୍ଧା ଏହି ସଂଖ୍ୟା ୫ହଜାରକୁ ଅତିକ୍ରମ କରିଯାଇଛି । ସେହିଭଳି ଜୋରିମାନା ଆଦାୟ ସଂଖ୍ୟା ଏହି ସମୟରେ ୪୮ କୋଟିରୁ ବୃଦ୍ଧି ପାଇ ୫୨ କୋଟି ଟଙ୍କାକୁ ଅତିକ୍ରମ କରିଯାଇଛି ।
ଲଘୁ ଖଣିଜ ସାମଗ୍ରୀ ଚୋରି କରି ଧରାପଡୁଥିବା ଗାଡିମୋଟର ସଂଖ୍ୟା ସବୁଠାରୁ ଅଧିକ ରହିଛି ବାଲେଶ୍ୱର ଜିଲ୍ଲାରେ । ୨୦୨୫-୨୬ ବର୍ଷରେ ଏହି ଜିଲ୍ଲାରେ ୬୫୧ଟି ଗାଡିମୋଟର ଜବତ ହୋଇଛି । ଏହା ପଛକୁ ରହିଛି ଗଞ୍ଜାମ । ଏହି ଜିଲ୍ଲାରେ ୫୨୪ଟି ଯାନବାହାନ ଜବତ ହୋଇଛି । କୋରାପୁଟ ଜିଲ୍ଲାରେ ୩୫୪, ମୟୁରଭଞ୍ଜରେ ୩୧୨ ଓ ରାୟଗଡାରେ ଏହି ସଂଖ୍ୟା ୨୩୧ ରହିଛି । ୨୦୨୪-୨୫ ବର୍ଷରେ ଦେବଗଡ ଜିଲ୍ଲାରେ ଲଘୁ ଖଣିଜ ସାମଗ୍ରୀ ଚୋରି ସମୟରେ ମାତ୍ର ଗୋଟିଏ ଯାନ ଧରାପଡିଥିବାବେଳେ ପରବର୍ଷ ଏହି ସଂଖ୍ୟା ଜିଲ୍ଲାରେ ୨୭ରେ ପହଁଞ୍ଚିଛି ।
ସେହିଭଳି ଗାଡିମୋଟର ଜବତ ଭଳି ଜୋରିମାନା ଆଦାୟ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାରେ ଜୋରିମାନା ଆଦାୟ ୮କୋଟି ଟଙ୍କାରେ ପହଞ୍ଚିଲାଣି । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୮ କୋଟି ଟଙ୍କାକୁ ଟପିଯାଇଥିବ ବୋଲି ଆକଳନ କରାଯାଉଛି । ଦେବଗଡ ଜିଲ୍ଲାରେ ଏହା ସବୁଠାରୁ କମ୍ ୧୩ ଲକ୍ଷ ଟଙ୍କା ଉପରେ ରହିଛି । ନବରଙ୍ଗପୁର ଜିଲ୍ଲାରେ ଏହି ଜୋରିମାନା ସଂଖ୍ୟା ୧୩କୋଟି ଟଙ୍କାରୁ ଅଧିକ ରହିଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ସରକାରୀ ତାଲିକାରେ ୩୯୧୩ଟି ଲଘୁ ଖଣିଜ ଉତ୍ସ ଥିବାବେଳେ ସେଥିରୁ ବର୍ତ୍ତମାନ ମାତ୍ର ୧୮୦୭ଟି ଚାଲୁଛି । ଏଥି ମଧ୍ୟରୁ ସର୍ବାଧିକ ୨୦୮ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ କଳାହାଣ୍ଡିରେ ୧୫୮ଟି ରହିଛି । ବଲାଙ୍ଗିର ରେ ଏହି ସଂଖ୍ୟା ୧୦୮ ଥିବାବେଳେ ଢେଙ୍କାନାଳରେ ୧୦୩ଟି ରହିଛି । ଭଦ୍ରକ ଜିଲ୍ଲାରେ ସବୁଠାରୁ କମ୍ ମାତ୍ର ୨ଟି ଲଘୁ ଖଣିଜ ଉତ୍ସ ରହିଛି । ଏଠାରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ସରକାରୀ ନିୟମ ଅନୁଯାୟୀ ହୋଇଥାଏ ଓ ସରକାରୀ ଖାତାକୁ ଏ ବାବଦୀୟ ରାଜସ୍ୱ ଯାଇଥାଏ ।
ତେବେ ରାଜ୍ୟର ବିଭିନ୍ନ ନଦୀ ଶଯ୍ୟାରୁ ଚୋରାରେ ଲଘୁଖଣିଜ ଦ୍ରବ୍ୟ ଅର୍ଥାତ୍ ବାଲି ଉଠାଯାଇଥାଏ । ମାଫିଆମାନେ ସରକାରୀ ନିୟମକୁ ଫୁ କରି ଯାନ୍ତ୍ରିକ ପଦ୍ଧତିରେ ରାତାରାତି କୋଟି କୋଟି ଟଙ୍କାର ବାଲି ଚୋରିକରିଥାନ୍ତି । ଏମାନଙ୍କ ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କୁହାଯାଉଥିଲେ ମଧ୍ୟ ବର୍ଷକୁ ବର୍ଷ ଜବତ ଯାନବାହାନ ଓ ଆଦାୟ ଜୋରିମାନାରୁ ଏମାନଙ୍କ ପ୍ରାର୍ଦୁଭାବ କମିବା ପରିବର୍ତ୍ତେ ବଢି ଚାଲିଥିବା ଦେଖିବାକୁ ମିଳୁଛି । (ତଥ୍ୟ)

