Home General ଲଗାମଛଡା ଭୂତଳ ଜଳ ଉତ୍ତୋଳନ

ଲଗାମଛଡା ଭୂତଳ ଜଳ ଉତ୍ତୋଳନ

ଭୁବନେଶ୍ୱର : ଭୂତଳ ଜଳ ଶୋଷିବାପାଇଁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଅନୁମତି ପ୍ରଦାନ କରୁଛନ୍ତି । ଅନୁମତିପତ୍ର ଦାଖଲ କରି ବିଲଡରମାନେ ରାଜଧାନୀରେ ବଡ ବଡ ଆପାର୍ଟମେଣ୍ଟ ଛିଡା କରିବା ସହିତ ମନଇଚ୍ଛା ଜଳ ଶୋଷଣ କରୁଛନ୍ତି । ଏମାନଙ୍କ ଦେଖିବାକୁ କେହି ନାହିଁ କିମ୍ବା ଅଭିଯୋଗ ବି ହେଉନାହିଁ । ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବା ଦର୍ଶାଇ ସରକାରୀ କଳ ବି ଚୁପ୍‍ ହୋଇ ବସିଯାଉଛନ୍ତି ।

ରାଜଧାନୀରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନକ୍ସା ଅନୁମୋଦନ ପାଇବାକୁ ହେଲେ ବିଲଡରମାନଙ୍କୁ ପାନୀଳୟଜଳ ସଂଯୋଗ ପାଇଁ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗରୁ ଆପତ୍ତି ବିହୀନ ପ୍ରମାଣପତ୍ର ଦାଖଲ କରିବାକୁ ହୋଇଥାଏ । ଯେଉଁଠାରେ ପାନୀୟଜଳ ସଂଯୋଗ ନଥାଏ ସେଠାରେ କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ଠାରୁ ଭୂତଳ ଜଳ ଉତ୍ତୋଳନ ଅନୁମତି ଆଣି ଦାଖଲ କରିବାକୁ ହୋଇଥାଏ । ଏହି ଅନୁମତି ନଥିଲେ ବିଲଡରମାନଙ୍କର ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ହୋଇପାରିବ ନାହିଁ ।

ଇତି ମଧ୍ୟରେ ବିଡିଏ କର୍ତ୍ତୃପକ୍ଷ ୧୮୨୨ଟି ଆପାର୍ଟମେଣ୍ଟକୁ ଅନୁମତି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂତଳ ଜଳ ଅନୁମତିପତ୍ର ଦାଖଲ କରିଛନ୍ତି । ତେବେ ଏମାନେ ଦାଖଲ କରିଥିବା ଅନୁମତି ଅନୁଯାୟୀ ଜଳ ଉତ୍ତୋଳନ କରୁଛନ୍ତି କି ଅଧିକ ଜଳ ଉତ୍ତୋଳନ କରୁଛନ୍ତି ତାହାର ନିରୀକ୍ଷଣ ହେଉନାହିଁ । ଫଳରେ ଶହ ଶହ ଆପାର୍ଟମେଣ୍ଟ ମନଇଚ୍ଛା ଭୂତଳ ଜଳ ଶୋଷିବାରେ ଲାଗିଛନ୍ତି । ଏପରିକି କେତେକ ଆପାର୍ଟମେଣ୍ଟ କର୍ତ୍ତୃପକ୍ଷ ଯୋଗାଉଥିବା ଜଳ ପାଇଁ ହିତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବାରୁ ଜଳ ଉତ୍ତୋଳନ ଓ ବ୍ୟବହାର ଉପରେ ସେଭଳି କୌଣସି କଟକଣା ନାହିଁ ।

ରାଜ୍ୟର କେତେକ ପ୍ରମୁଖ ୟୁନିଟ୍‍, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଗାଡକଣ, ରସୁଲଗଡ, ଲକ୍ଷ୍ମୀସାଗର ଆଦି ଅଞ୍ଚଳକୁ ବାଦ ଦେଲେ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାଇପ୍‍ ଜଳ ଯୋଗାଣ ଅନ୍ୟାନ୍ୟ ସ୍ଥାନକୁ ସେଭଳି ସମ୍ପ୍ରସାରଣ ହୋଇନାହିଁ । ସହରର ପରିସୀମା ଯେଭଳି ଭାବେ ବୃଦ୍ଧି ପାଉଛି ସେଠାକୁ ଏତେଶୀଘ୍ର ପାଇପ୍‍ ଜଳ ଯୋଗାଣ କରିବା ବି ସମ୍ଭବପର ନୁହେଁ । ହଜାର ହଜାର ଆପାର୍ଟମେଣ୍ଟ ଭୂତଳ ଜଳ ଉପରେ ନର୍ଭରଶୀଳ ହେବା ସହିତ ମନଇଚ୍ଛା ଜଳ ଶୋଷଣ କରୁଛନ୍ତି ।

କେବଳ ଆପାର୍ଟମେଣ୍ଟ ନୁହନ୍ତି, ଘରୋଇ ଲୋକେ ମଧ୍ୟ ଜଳ ସୁରକ୍ଷା ଦୃଷ୍ଟିରୁ ନିଜ ନିଜ ଘରେ ଭୂତଳ ଜଳ ଉତ୍ତୋଳନ ପାଇଁ ବୋରିଂ କରୁଛନ୍ତି ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଉଛନ୍ତି । ସରକାରଙ୍କ ନଜର ହଟାଇବାପାଇଁ ପାନୀୟଜଳ ସଂଯୋଗ ନେଉଛନ୍ତି । ଏହିସବୁ ଘରୋଇ ଲୋକେ ବି ମନଇଚ୍ଛା ଭୂତଳ ଜଳ ଶୋଷଣ କରୁଛନ୍ତି ।

ରାଜ୍ୟରେ ଯେଉଁ କେତୋଟି ହାତଗଣତି ଅଞ୍ଚଳରେ ଭୂତଳ ଜଳସ୍ତର ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ତାହା ଭିତରେ ଭୁବନେଶ୍ୱର ଓ ଜଟଣୀ ବ୍ଲକ ରହିଛି, ଯେଉଁଠାରେ ପ୍ରତିଦିନ ନୂଆ ନୂଆ ଆପାର୍ଟମେଣ୍ଟ ଓ ଘର ତିଆରି ହେଉଛି ଏବଂ ଭୂତଳ ଜଳ ଉତ୍ତୋଳନ ପାଇଁ କୂପ ଖନନ ଚାଲିଛି । ତେଣୁ ଏହା ଉପରେ ଯଦି କର୍ତ୍ତୃପକ୍ଷ ସତର୍କ ଦୃଷ୍ଟି ନରଖିବେ ତେବେ ଆଉ ବର୍ଷ କେଇଟାରେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହିତ ହା ହା କାର ଅବସ୍ଥା ସୃଷ୍ଟି ହେବ । ଉଚ୍ଚକ୍ଷମତା ସମ୍ପନ୍ନ ମୋଟର ପାଣି ଉଠାଇବାକୁ ସକ୍ଷମ ହେବେନାହିଁ ଓ ପାଣିପାଇଁ ରାଜଧାନୀରେ ମହାଭାରତ ସ୍ଥିତି ଉପୁଜିବି ବୋଲି ପରିବେଶବିଜ୍ଞାନୀମାନେ ଆକଳନ କରୁଛନ୍ତି । (ତଥ୍ୟ)