ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ନିଜ ନିଜ ଘରର ଛାତ ଉପରେ ସୌର ପ୍ରକଳ୍ପ ବସାଇବାପାଇଁ ଯେତିକି ଆବେଦନ ହେଉଛି ତାହାର ୩୦ପ୍ରତିଶତ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଆବେଦନକାରୀମାନେ ଏହି ଯୋଜନା ପ୍ରତି ବିମୁଖ ହେବାରେ ଲାଗିଛନ୍ତି ।
ନିଜ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ବସାଇଲେ ବିଦ୍ୟୁତ୍ ଖର୍ଚ୍ଚରୁ ମୁକ୍ତି ମିଳିବ ଏବଂ ଏହି ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟାଅଙ୍କର ସବସିଡ୍ ଦେଉଥିବା ଜାଣିବାପରେ ଲୋକେ ଏଥିପ୍ରତି ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଲୋକଙ୍କୁ ଆକୃଷ୍ଟ କରିବାପାଇଁ ଶକ୍ତି ବିଭାଗ ଠାରୁ ଆରମ୍ଭକରି ବିଦ୍ୟୁତ୍ ବିତରଣ କମ୍ପାନୀ ଓ ଏହାକୁ ଲଗାଇବାପାଇଁ ଠିକା ନେଉଥିବା ଭେଣ୍ଡରମାନେ ଭଳିକି ଭଳି ବିଜ୍ଞାପନ ଦେଉଛନ୍ତି ।
ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ପ୍ରକଳ୍ପ ବସାଇବାପାଇଁ ୨ଲକ୍ଷରୁ ଅଧିକ ଲୋକେ ଆବଦନ କରିଛନ୍ତି । ସର୍ବାଧିକ ୨୨ହଜାରରୁ ଅଧିକ ଆବେଦନକାରୀ ରହିଛନ୍ତି ଗଞ୍ଜାମ ଜିଲ୍ଲାରେ । ଖୋରଧା ଜିଲ୍ଲାରେ ଏହି ସଂଖ୍ୟା ୧୫ହଜାରରୁ ଅଧିକ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ୧୩ ହଜାରରୁ ଅଧିକ ରହିଛି । ଜଗତ୍ସିଂହପୁର ଜିଲ୍ଲାରେ ପାଖାପାଖି ୧୦ହଜାର ଆବେଦନ ହୋଇଛି । ଦେବଗଡ ଜିଲ୍ଲାରେ ମାତ୍ର ୧୦୭୩ ଜଣ ଆବେଦନ କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ ଏହା ରହିଛି ମାତ୍ର ୨୭୩୪ଟି । କୋରାପୁଟରେ ୨୪୦୬ ଜଣ ଆବେଦନ କରିଛନ୍ତି । ମାଲକାନଗିରିରେ ଆବେଦନକାରୀଙ୍କ ସଂଖ୍ୟା ରହିଛି ୧୪୪୪ ।
ଉପକୂଳରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜିଲ୍ଲାରେ ଆବେଦନ ପଡିବା ସହିତ ଏଥିପାଇଁ ଭେଣ୍ଡରମାନଙ୍କୁ ପାଖପାଖି ଦେଢ ଲକ୍ଷ ପ୍ରକଳ୍ପ ଦାୟିତ୍ୱ ପ୍ରଦାନ କରାଯାଇଛି । ହେଲେ କୌଣସି କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ହଜାର ସୌରଶକ୍ତି ପ୍ରକଳ୍ପ ବି ସ୍ଥାପନ ହୋଇପାରି ନାହିଁ । କନ୍ଧମାଳ ଜିଲ୍ଲାରେ ୭ହଜାରରୁ ଅଧିକ ଆବେଦନ ହୋଇଥିବାବେଳେ ସ୍ଥାପନ ହୋଇପାରିଛି ମାତ୍ର ୯୭ଟି ପ୍ରକଳ୍ପ । ସେହିଭଳି ମାଲକାନଗିରି ଜିଲ୍ଲାରେ ୧୧୧, ଗଜପତିରେ ୧୭୯, ନବରଙ୍ଗପୁରରେ ୧୮୭ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହୋଇପାରିଛି ।
ଉଲ୍ଲେଖନୀୟ ଯେ ଏହି ପ୍ରକଳ୍ପରେ ୧ କିଲୋୱାଟ ସୌର ପ୍ରକଳ୍ପ ପାଇଁ ୫୫ହଜାର ଟଙ୍କାର ସବସିଡ୍ ପ୍ରଦାନ କରାଯାଉଥିବାବେଳେ ଏଥିରେ କେନ୍ଦ୍ର ସରକାରଙ୍କର ୩୦ହଜାର ଟଙ୍କା ରହିଛି । ସେହିଭଳି ୨ କିଲୋୱାଟ ପ୍ରକଳ୍ପ ପାଇଁ ୧,୧୦,୦୦ ଟଙ୍କା ଏବଂ ୩ କିଲୋୱାଟ କିମ୍ବା ତାହାଠାରୁ ଅଧିକ କ୍ଷମତାର ପ୍ରକଳ୍ପ ପାଇଁ ୧,୩୮,୦୦୦ ଟଙ୍କାର ସବସିଡ୍ ପ୍ରଦାନ କରାଯାଉଛି ।
ଏହି ପ୍ରକଳ୍ପ ପାଇଁ ଅଳ୍ପ ସୁଧ ହାର ଓ ସହଜ କିସ୍ତିର ଋଣ ବ୍ୟବସ୍ଥା ମଧ୍ୟ ରହିଛି । ୩ କିଲୋୱାଟ ପ୍ରକଳ୍ପ ପାଇଁ ସର୍ବାଧିକ ୨ଲକ୍ଷ ଟଙ୍କାର ଋଣ ମିଳୁଥିବାବେଳେ ୬ ପ୍ରତିଶତ ସୁଧ ହାରରେ ଏହାକୁ ୧୦ବର୍ଷରେ ପରିଶୋଧର ବ୍ୟବସ୍ଥା ରହିଛି । ଏଭଳି ସୁବିଧା ଦେଖି ଲୋକେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରୁଥିବାବେଳେ ସରକାର ଓ ବିତରଣ କମ୍ପାନୀ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ କରୁଥିବା ଜଣାଯାଇଛି । (ତଥ୍ୟ)

