Home General ଲକ୍ଷ୍ମୀ ବସ୍‍ ଯୋଜନା ନାଁରେ ପ୍ରକଳ୍ପ ନାହିଁ

ଲକ୍ଷ୍ମୀ ବସ୍‍ ଯୋଜନା ନାଁରେ ପ୍ରକଳ୍ପ ନାହିଁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଲକ୍ଷ୍ମୀ ଯୋଜନା ନାଁରେ କୌଣସି ପ୍ରକଳ୍ପ ନାହିଁ । କେତେକ ଇଂରାଜୀ ଅକ୍ଷରର ସଂଯୋଜନାରେ ଏକ ପରିବହନ ସେବା ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବିଜେପି ବିଧାୟକ ଅମରେନ୍ଦ୍ର ଦାସ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ଯୋଜନା ଆଜିର ଦିନରେ ରାଜ୍ୟର ୩୦ଟି ଜିଲ୍ଲାରେ ଉପଲବ୍ଧ ଅଛି । ଉକ୍ତ ଯୋଜନା ୫ଟି କ୍ଲଷ୍ଟରରେ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ।

ଏହି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୩୪୦ଟି ବସ୍‍ ନିୟୋଜିତ କରାଯାଇଛି । ସେଥି ମଧ୍ୟରୁ ୧୨୯୩ଟି ମିଡି ୯ମିଟର ବସ୍‍ ଏବଂ ୪୭ଟି ୧୨ ମିଟର ବସ୍‍ ରହିଛି । ଏହାର ଯାତାୟତ ମାର୍ଗ ଏଂବ ପରିଚାଳନା ନିମନ୍ତେ ଓଡିଶା ସରକାରଙ୍କ ଗେଜେଟ୍‍ ବିଜ୍ଞପ୍ତି ଅନୁଯାୟୀ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ନୋଡାଲ କମିଟି ଗଠନ କରାଯାଇ ବସ୍‍ ଚଳାଚଳର ସମୟ ସାରଣୀ ବାହାର କରାଯାଇଥିଲା ।

ଏହିସବୁ ବସ୍‍ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୧ଟି ବସ୍‍ ଚଳାଚଳ କରୁଥିବାବେଳେ ମୟୁରଭଞ୍ଜରେ ୧୦୭ଟି ବସ୍‍ ଚଳାଚଳ କରୁଛି । ଜଗତ୍‍ସିଂହପୁର ଜିଲ୍ଲାରେ ୪୬ଟି ବସ୍‍ ଚଳାଚଳ କରୁଥିବାବେଳେ କେନ୍ଦ୍ରାପଡାରେ ୩୭ଟି, କଟକରେ ୪୯ଟି, ଯାଜପୁରରେ ୩୫ଟି ଓ ପୁରୀରେ ୩୯ଟି ବସ୍‍ ଚଳାଚଳ କରୁଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

ସେହିଭଳି ଲକ୍ଷ୍ମୀ ବସ୍‍ ସଂକ୍ରାନ୍ତରେ ବିଧାୟକ ପବିତ୍ର ସାଉଁନ୍ତାଙ୍କର ଅନ୍ୟଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ପଞ୍ଚାୟତକୁ ନୀତି ଆୟୋଗ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ, ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ପିପିପି ମୋଡରେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୋଟ୍‍ ୧୬୨୩ ଖଣ୍ଡ ବସ୍‍ ଯୋଗାଇବାର ବ୍ୟବସ୍ଥା ହୋଇଛି । ଏହି ବସ୍‍ଗୁଡିକୁ ସରକାରୀ ଘରୋଇ ସହଭାଗିତା ସଂସ୍ଥା ଖରିଦ କରିଛନ୍ତି ।

ଚୁକ୍ତି ଅନୁଯାୟୀ ଏଜେନ୍ସିଗୁଡିକୁ ସମ୍ପୂର୍ଣ୍ଣ ନୂତନ ବ୍ରାଣ୍ଡ୍‍ର ବସ୍‍ କିଣିବାକୁ ବାଧ୍ୟ ଅଟନ୍ତି । ତଦନୁଯାୟୀ ଟାଟା ମୋଟର୍ସ ଠାରୁ ୭୯୬, ଅଶୋକ ଲେଲ୍ୟାଣ୍ଡ ଠାରୁ ୪୯୪, ଭାରତ ବେଞ୍ଜ ଠାରୁ ୨୯୮ ଏବଂ ଆଇଚର ଠାରୁ ୩୫ ଖଣ୍ଡ ବସ୍‍ ଖରିଦ ହୋଇଛି । ସମ୍ପୃକ୍ତ କମ୍ପାନୀଗୁଡିକ ନିଜେ ବସ୍‍ ନିର୍ମାଣ କରିଥିବା ଦର୍ଶାଇବାକୁ ପଡିବ ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)