ଭୁବନେଶ୍ୱର : ଆସନ୍ତା ବର୍ଷ ରାଜ୍ୟରେ ପ୍ରାୟ ୧୫ଲକ୍ଷ ଫଳ ଚାରା ରୋପଣ କରାଯିବ । ଜାତୀୟ ବନମହୋତ୍ସବ ଅବସରରେ ଜୁଲାଇମାସ ପ୍ରଥମ ସପ୍ତାହରୁ ଆମ୍ବ, କାଜୁ, କମଳା, ପିଜୁଳି ଓ ନଡିଆ ଭଳି ଫଳ ଚାରା ଲଗାଇବାକୁ ସ୍ଥିର ହୋଇଛି ।
ଫଳ ଚାଷ ଦ୍ୱାରା ଗାଁ ଗହଳର ଚାଷୀଙ୍କ ଆର୍ଥିକ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ବନମହୋତ୍ସବ ଅବସରରେ ଫଳଗଛ ଲଗାଇବା ଉପରେ ଜୋର ଦେଉଛନ୍ତି । ତଦନୁଯାୟୀ ୫କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୫ଲକ୍ଷ ଫଳଚାରା ଲଗାଇବାକୁ ଯୋଜନା ହୋଇଛି । ଏହି ଅର୍ଥରୁ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦକୁ ୨କୋଟି ଟଙ୍କା ଯୋଗାଇଦେବାକୁ ଥିବାବେଳେ ଅବଶିଷ୍ଟ ୩କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ।
ରାଜ୍ୟରେ ଲଗାଯିବାକୁ ଥିବା ଏହି ଫଳ ଚାରା ମଧ୍ୟରେ ସର୍ବାଧିକ ୭ଲକ୍ଷ ରହିଛି ଆମ୍ବ ଚାରା । ଏଥି ସହିତ ୨ଲକ୍ଷ ୩୦ହଜାର କାଜୁ, ୨୫ହଜାର କମଳା, ୨୫ହଜାର ପିଜୁଳି, ୨୫ହଜାର ଲିଚୁ, ୩ଲକ୍ଷ ୨୦ହଜାର ଲେମ୍ବୁ ଓ ଏକ ଲକ୍ଷ ୭୦ହଜାର ନଡିଆ ଚାରା ରହିଛି । ତେବେ ଲଗାଯିବାକୁ ଥିବା ନଡିଆ ଚାରା ଗୋଟିକର ଦାମ ୬୦ଟଙ୍କା ସ୍ଥିର ହୋଇଥିବାବେଳେ ଆମ୍ବ, କାଜୁ ଓ କମଳା ଚାରା ୩୫ ଟଙ୍କା, ଲିଚୁ ୩୪, ପିଜୁଳି ୨୯ ଓ କମଳା ଚାରା ଗୋଟିକର ଦର ୧୫ଟଙ୍କା ରହିଛି ।
ଫଳ ଚାରା ଲଗାଇବା ପାଇଁ ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶାଳୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ । ନିର୍ଦ୍ଦେଶାଳୟ ଅଧିନରେ ୮୦ଟି ବିଭାଗୀୟ ଫାର୍ମ ଓ ୧୬୨ଟି ନର୍ସରୀ ରହିଛି ଯେଉଁଠାରେ କି ଉନ୍ନତ କିସମର ଫଳ ଚାରା ଉତ୍ପାଦିତ ହୋଇଥାଏ । ଏହାଛଡା ଚାରା ଉତ୍ପାଦନ ପାଇଁ ୭୨ଟି ପଞ୍ଜିକୃତ ଘରୋଇ ନର୍ସରୀ ରହିଛି ଯେଉଁଥିରୁ ୨୮ଟି ହେଉଛି ଜାତୀୟ ଉଦ୍ୟାନ ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ସରକାରୀ ଫାର୍ମ ଓ ନର୍ସରୀରୁ ଆବଶ୍ୟକ ପରିମାଣ ଫଳ ଚାରା ନମିଳିଲେ ପଞ୍ଜିକୃତ ଘରୋଇ ନର୍ସରୀରୁ ଏହା ଖରିଦ କରାଯିବ ।
ଓଡିଶାର ଜଳବାୟୁ ଆମ୍ବ, କାଜୁ, ଲିଚୁ, ପିଜୁଳି ଓ ନଡିଆ ଆଦି ଚାଷ ପାଇଁ ବେଶ୍ ଅନୁକୂଳ ଥିବାରୁ ଏଭଳି କିସମର ଫଳଚାଷ କେବଳ ଗ୍ରାମାଞ୍ଚଳ ଲୋକଙ୍କୁ ଅତିରିକ୍ତ ଆୟ ଯୋଗାଇବ ନାହିଁ ବରଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଠାରେ ଉଲ୍ଲେଖନୀୟ ଯେ ଧାନ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହୋଇଥିବାବେଳେ ଫଳ ପାଇଁ କିନ୍ତୁ ସର୍ବଦା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଓଡିଶାର ଚାଷୀମାନେ ଯଦିଓ ନିଜ ନିଜ ବାଡି ବଗିଚାରେ ଫଳ ଗଛ ଲଗାଉଛନ୍ତି କିନ୍ତୁ ତାହା ଆମର ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ବନ ମହୋତ୍ସବ ଅବସରରେ ବ୍ୟାପକ ଫଳଚାରା ରୋପଣ କରାଗଲେ ଆଗାମୀ ଦିନରେ ଏହା ରାଜ୍ୟ ଅର୍ଥନୀତିରେ ବେଶ୍ ସହାୟକ ହେବବୋଲି ଆଶା କରାଯାଉଛି ।