Home Finance ରୋଜଗାର କ୍ଷେତ୍ରକୁ ମିଳୁନି ଋଣ

ରୋଜଗାର କ୍ଷେତ୍ରକୁ ମିଳୁନି ଋଣ

ଭୁବନେଶ୍ୱର : ସାମାନ୍ୟ ତ୍ରୁଟିକୁ ଆଳ କରି ବ୍ୟାଙ୍କ୍‍ମାନେ ଲୋକଙ୍କୁ ଋଣ ଦେଉନଥିବା ନେଇ ଏମ୍‍ଏସ୍‍ଏମ୍‍ଇ ସଚିବ ବ୍ୟାଙ୍କ୍‍ଗୁଡିକ ଉପରେ ଖପ୍ପା ହେବାପରେ ଏବେ ଅନେକ କ୍ଷେତ୍ରକୁ ବ୍ୟାଙ୍କ୍‍ମାନେ ଋଣ ଦେଉନଥିବା ଜଣାଯାଇଛି । ବିଶେଷକ ଭିତ୍ତିଭୂମି ବିକାଶ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କ୍ଷେତ୍ରକୁ ମଧ୍ୟ ଅଣଦେଖା କରୁଛନ୍ତି ।

ଖଦି ଓ ଗ୍ରାମଦ୍ୟୋଗ କ୍ଷେତ୍ରରେ ଗାଁ ଗହଳରେ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଥିବାବେଳେ ଏହି କ୍ଷେତ୍ରକୁ କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଋଣ ମିଳୁନାହିଁ । ୨୦୧୯-୨୦ ବର୍ଷରେ ଏହି କ୍ଷେତ୍ରକୁ ୯୫୧ କୋଟି ଟଙ୍କାର ଋଣ ଦେବାକୁ ଧାର୍ଯ୍ୟ ହୋଇଥିବାବେଳେ ମିଳିଥିଲା ମାତ୍ର ୧୬୧କୋଟି ୮୪ଲକ୍ଷ ଟଙ୍କା । ସେହିଭଳି ୨୦୨୦-୨୧ ବର୍ଷରେ ୧୫୨୨ କୋଟି ୯୦ଲକ୍ଷ ଟଙ୍କା ଋଣ ଦେବାପାଇଁ ଲକ୍ଷ୍ୟ ଥିବାବେଳେ ଦିଆଯାଇଛି ମାତ୍ର ୬୧୬କୋଟି ୭୬ଲକ୍ଷ ଟଙ୍କା ।

ଉଭୟ କେନ୍ଦ୍ର ସରକାର ଓ ଖଦି କମିଶନ ଗାଁ ଗହଳରେ ରୋଜଗାର ବୃଦ୍ଧି ଲାଗି ଖଦି ଓ ଗ୍ରାମ୍ୟ ଶିଳ୍ପକୁ ଅଧିକ ସହାୟତା ପାଇଁ ବ୍ୟାଙ୍କ୍‍ଗୁଡିକୁ ଅପିଲ କରୁଥିବାବେଳେ ଏହି କ୍ଷେତ୍ରକୁ ଋଣ ଦେବାପାଇଁ ବ୍ୟାଙ୍କ୍‍ମାନେ କିନ୍ତୁ ଅରାଜି । କାଁ ଭାଁ କେତୋଟି ବ୍ୟାଙ୍କ୍‍କୁ ବାଦ୍‍ଦେଲେ ଅଧିକାଂଶ ବ୍ୟାଙ୍କ୍‍ ଗାଁ ଗହଳରେ ଖଦି ଶିଳ୍ପର ବିକାଶ ପାଇଁ ବିମୁଖ ।

କେବଳ ଖଦି କ୍ଷେତ୍ର ନୁହେଁ ଗାଁ ଗହଳରେ ଆତ୍ମନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି କରୁଥିବା ମତ୍ସ୍ୟଚାଷ ଓ ଦୁଗ୍ଧଚାଷ କ୍ଷେତ୍ରକୁ ମଧ୍ୟ ବ୍ୟାଙ୍କ୍‍ମାନେ ଋଣ ଦେବାକୁ କୁନ୍ଥୁ କୁନ୍ଥୁ । ୨୦୧୯-୨୦ବର୍ଷରେ ମତ୍ସ୍ୟ ଚାଷ କ୍ଷେତ୍ରକୁ ଧାର୍ଯ୍ୟଲକ୍ଷ୍ୟର ୨୦ ପ୍ରତିଶତରୁ କମ୍‍ ଋଣ ମିଳିଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୫୦ ପ୍ରତିଶତରୁ କମ୍‍ ରହିଛି । ଅନୁରୂପ ଭାବେ ଗୋପାଳନ କ୍ଷେତ୍ରକୁ ମଧ୍ୟ ବ୍ୟାଙ୍କ୍‍ମାନେ ଋଣ ପ୍ରଦାନ କରୁନାହାନ୍ତି । ୨୦୧୯-୨୦ ବର୍ଷରେ ଏହି କ୍ଷେତ୍ରକୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୦.୫୨ ପ୍ରତିଶତ ଋଣ ମିଳିଥିବାବେଳେ ୨୦୨୦-୨୧ ବର୍ଷୋର ଏହା ୪୦ ପ୍ରତିଶତରୁ କମ୍‍ ରହିଥିଲା ।

ଗୋଟିଏ ପଟେ ରାଷ୍ଟ୍ରାୟତ ଠାରୁ ଆରମ୍ଭ କରି ଘରୋଇ ବ୍ୟାଙ୍କ୍‍ ପର୍ଯ୍ୟନ୍ତ ସମସ୍ତେ ଗାଁ ଗହଳରେ ନିଜର ଶାଖାଟିଏ ଖୋଲିବା କିମ୍ବା ଏଟିଏମ୍‍ଟିଏ ବସାଇବାକୁ ପଛଘୁଞ୍ଚା ଦେଉଥିବାବେଳେ ଗାଁ ଗହଳର ଯେଉଁ ଯୁବକ ଯୁବତୀମାନେ ବ୍ୟାଙ୍କ୍‍ରୁ ଋଣ ନେଇ ନିଜ ଗୋଡରେ ଛିଡା ହେବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ମଧ୍ୟ ସହଯୋଗ କରୁନାହାନ୍ତି । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର ଯେତେ ନାଲିଆଖି ଦେଖାଇଲେ ବି ରାଜ୍ୟରୁ କୋଟି କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରୁଥିବା ବ୍ୟାଙ୍କ୍‍ମାନେ ତାହାକୁ ଖାତିର କରୁନାହାନ୍ତି । (ତଥ୍ୟ)