Home News in Odia ରେଳ ଷ୍ଟେସନ ମେଲା ମୁକୁଳା

ରେଳ ଷ୍ଟେସନ ମେଲା ମୁକୁଳା

ଭୁବନେଶ୍ୱର : ବିଦେଶୀ ଆତଙ୍କବାଦୀଙ୍କ ସହ ସମ୍ପର୍କଥିବା ଅଭିଯୋଗରେ ରାଜଧାନୀରୁ ଯୁବକ ଗିରଫ ହୋଇଥିବାବେଳେ ରାଜଧାନୀର ଅନ୍ୟତମ ପ୍ରବେଶପଥ ଭୁବନେଶ୍ୱର ରେଳଷ୍ଟେସନ ମୁକୁଳା ପଡିଛି । ଯାତ୍ରୀମାନଙ୍କ ବ୍ୟାଗପତ୍ର ଯାଞ୍ଚ ପାଇଁ ଏଠାରେ ଯନ୍ତ୍ରପାତି ଲାଗିଥିବାବେଳେ ସୁରକ୍ଷା କର୍ମଚାରୀ ବି ନିୟୋଜିତ ହୋଇଛନ୍ତି । ହେଲେ ଜଣେ ହେଲେ ଯାତ୍ରୀଙ୍କ ବ୍ୟାଗ୍‍ ଯାଞ୍ଚ କିନ୍ତୁ କରାଯାଉନାହିଁ ।

ଭୁବନେଶ୍ୱର ରେଳଷ୍ଟେସନର ଏବେ ନବୀକରଣ ଚାଲିଛି । ନବୀକରଣ କାର୍ଯ୍ୟ ପାଇଁ ଷ୍ଟେସନ ଏକ ପ୍ରକାର ମେଲା ମୁକୁଳା । ଯଦିଓ ଷ୍ଟେସନକୁ ପ୍ରବେଶ ପାଇଁ ଗୋଟିଏ ପଥ ରହିଛି, କିନ୍ତୁ ଦୁଇ ତିନି ଦିଗରୁ ଏଠାକୁ ଯାତ୍ରୀମାନେ ନିଜ ନିଜର ବ୍ୟାଗ୍‍ପତ୍ର ଧରି ଆସୁଛନ୍ତି । ପ୍ରବେଶପଥରୁ ଅଳ୍ପ ଦୂରରେ ଥୁଆହୋଇଛି ଲଗେଜ୍‍ ଯାଞ୍ଚ ମେସିନ । ଏହାକୁ ଜଗି ବସିଛନ୍ତି ପୁଲିସ୍‍ କର୍ମଚାରୀ । ମେସିନ୍‍ ବି କାର୍ଯ୍ୟକ୍ଷମ ରହିଛି । ହେଲେ ଜଣେ ହେଲେ ଯାତ୍ରୀ ଏହି ମେସିନରେ ସେମାନଙ୍କର ବ୍ୟାଗପତ୍ର ରଖୁନାହାନ୍ତି କି ସେମାନଙ୍କୁ ରଖିବାପାଇଁ କେହି କହୁ ନାହାନ୍ତି ।

ପୂର୍ବରୁ ରେଳଷ୍ଟେସନକୁ ଛୋଟ ବଡ ବ୍ୟାଗ୍‍ ନେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି ମେସିନରେ ସେମାନଙ୍କର ବ୍ୟାଗ୍‍ର ଯାଞ୍ଚ କରୁଥିଲେ । ଉପସ୍ଥିତ ସୁରକ୍ଷାକର୍ମୀମାନେ ବ୍ୟାଗ୍‍ ଭିତରେ କ’ଣ ସବୁ ରହିଛି ତାହା ସ୍କାନରରୁ ଧରିପାରୁଥିଲେ । ଯଦି କୌଣସି ବ୍ୟକ୍ତିଙ୍କ ବ୍ୟାଗ୍‍ରୁ କିଛି ଆପତ୍ତିଜନକ ସାମଗ୍ରୀ ଥିବାର ସନ୍ଦେହ ହେଉଥିଲା ତେବେ ତାହାକୁ ଖୋଲି ଯାଞ୍ଚ କରୁଥିଲେ । ବିଶେଷକରି ଦୂର ଦୂରାନ୍ତକୁ ଯାଉଥିବା ଯାତ୍ରୀମାନଙ୍କର ବ୍ୟାଗ୍‍ଗୁଡିକୁ କଡାକଡି ଯାଞ୍ଚ କରାଯାଉଥିଲା ।

ହେଲେ ଏବେ ଆଉ ତାହା ନାହିଁ । ଯିଏ ଯେମିତି ପାରିଲା ନିଜ ନିଜ ବ୍ୟାଗ୍‍ ଧରି ଷ୍ଟେସନ ଭିତରକୁ ପଶିଯାଉଛନ୍ତି । ପ୍ରବେଶ ପଥରେ ମଧ୍ୟ ସ୍କାନର ନାହିଁ । ରାଜଧାନୀ ଏକ୍ସପ୍ରେସ୍‍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୂରଗାମୀ ଗାଡିରେ ଯା’ଆସ କରୁଥିବା ଯାତ୍ରୀମାନେ ନିଜ ନିଜର ବ୍ୟାଗ୍‍ ଯାଞ୍ଚ କରୁନାହାନ୍ତି କି ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଉନାହିଁ । ମାଳ ମାଳ ସୁରକ୍ଷାକର୍ମୀଙ୍କ ସାମ୍ନାରେ ବିନା ଯାଞ୍ଚରେ ଲୋକେ ଯାଉଥିଲେ ମଧ୍ୟ ସେମାନଙ୍କ ଉପରେ କାହାର ନଜର ନାହିଁ ।

ଭୁବନେଶ୍ୱର ବିମାନବନ୍ଦରରେ କଡାକଡି ଯାଞ୍ଚ ହେଉଥିବାବେଳେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବିଶେଷକରି ନିଶା ସାମଗ୍ରୀ କାରବାର କରୁଥିବା ଅପରାଧିମାନେ ଏବେ ରେଳପଥକୁ ଅଗ୍ରାଧିକାର ଦେଉଛନ୍ତି । ଏଠାରେ ଯାଞ୍ଚ ହେଉନଥିବାରୁ ସେମାନେ ସହଜରେ ଖସିଯିବାର ସମ୍ଭାବନା ବି ରହିଛି । ଯଦିଓ ଷ୍ଟେସନ ପରିସରରେ ସିସିଟିଭି ଲାଗିଛି, କିନ୍ତୁ ଏହାଦ୍ୱାରା ଲୋକଙ୍କ ବ୍ୟାଗରେ କ’ଣ ସବୁ ସାମଗ୍ରୀ ଅଛି ତାହା ଜାଣିବା କଷ୍ଟକର ।

ରାଜଧାନୀରୁ ଚୋରା ନିଶା ସାମଗ୍ରୀ ସହିତ ଚୋରା ବନ୍ଧୁକ ଜବତ ହେଉଥିବାବେଳେ ଏହା ମୁଖତଃ ରେଳପଥରେ ପରିବହନ ହେଉଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ଭୁବନେଶ୍ୱର ରେଳଷ୍ଟେସନ ମେଲା ମୁକୁଳା ପଡିଥିବାରୁ ଏହି କିସମର ଅପରାଧିମାନେ ବେଶ୍‍ ସକ୍ରିୟ ଥିବା ନେଇ ସୁରକ୍ଷା ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । (ତଥ୍ୟ)