Home General ରେଳ ବଜେଟରେ ମୟୁରଭଞ୍ଜ ପାଇଁ ୧୦୦୦ ଟଙ୍କା

ରେଳ ବଜେଟରେ ମୟୁରଭଞ୍ଜ ପାଇଁ ୧୦୦୦ ଟଙ୍କା

ଭୁବନେଶ୍ୱର : ଚଳିତବର୍ଷ ରେଳ ବଜେଟରେ କେନ୍ଦ୍ର ସରକାର ଓଡିଶାକୁ ୧୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଥିବାବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜକୁ ଅଣଦେଖା କରାଯିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବଜେଟରେ ମୟୁରଭଞ୍ଜ ପାଇଁ ମାତ୍ର ୧୦୦୦ ଟଙ୍କାର ବରାଦ ରହିଛି ।

ସ୍ୱାଧୀନତା ପରଠାରୁ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ କିଲୋମିଟରର ନୂତନ ରେଳଲାଇନ୍‍ ବି ସ୍ଥାପନ ହୋଇନାହିଁ । କେବଳ ରୁପ୍‍ସା-ବାଙ୍ଗିରିପୋଷି ରେଳଲାଇନ୍‍ର ବିକାଶ କରାଯାଇଥିବା ଜଣେ ରାଜନେତା କହିଛନ୍ତି । ମୟୁରଭଞ୍ଜବାସୀ ଦୀର୍ଘଦିନ ହେଲା ଚକୁଳିଆ-ବୁଢାମରା, ବାଦାମପାହାଡ-କେନ୍ଦୁଝର ଏବଂ ବାଙ୍ଗିରିପୋଷି-ଗୋରୁମହିଷାଣୀ ଭଳି ନୂତନ ରେଳଲାଇନ୍‍ ପାଇଁ ଦାବି କରିଆସୁଚନ୍ତି । ୨୦୨୨-୨୩ ବଜେଟ୍‍ରେ ଚକୁଳିଆ-ବୁଢାମରା ପାଇଁ ୧୦୦୦ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୨୩-୨୪ ବଜେଟ୍‍ରେ ଏଥିପାଇଁ ଆଉ ହଜାରେ ଟଙ୍କାର ବରାଦ ହୋଇଛି ।

କେବଳ ମୟୁରଭଞ୍ଜ ନୁହେଁ, ସମ୍ପୂର୍ଣ୍ଣ ଉତ୍ତରଓଡିଶା, ଯେଉଁଠାରେ କି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୀର୍ଘଦିନ ଧରି ଆଇଏଏସ୍‍ ଅଧିକାରୀଭାବେ କାର୍ଯ୍ୟରତ ଥିଲେ ରେଳ ବଜେଟ୍‍ରେ ସେହିସବୁ ଜିଲ୍ଲାକୁ ମଧ୍ୟ ଅଣଦେଖା କରାଯାଇଥିବା ରାଜନେତାମାନେ ମତ ଦେଉଛନ୍ତି । ଉତ୍ତରଓଡିଶାର ଚାରି ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝରେ ମାତ୍ର ୩ଟି ନୂତନ ରେଳଲାଇନ୍‍ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପଗୁଡିକ ହେଲା ୪୧ କିଲୋମିଟର ଦୈର୍ଘ୍ୟ ଦୀଘା-ଜଳେଶ୍ୱର, ୫୦ କିଲୋମିଟରର ବୁଢାମରା-ଚକୁଳିଆ ଠାରୁ ରୁପ୍‍ସା-ବାଙ୍ଗିରିପୋଷି ପର୍ଯ୍ୟନ୍ତ ସମ୍ପ୍ରସାରିତ ଲାଇନ୍‍ ଏବଂ ୨୪.୫ କିଲୋମିଟରର କିରିବୁରୁ-ବଡବିଲ୍‍ ରେଳଲାଇନ୍‍ ।

ଦୀଘା-ଜଳେଶ୍ୱର ରେଳଲାଇନ୍‍ର ବ୍ୟୟ ଅଟକଳ ୬୬୩.୨୫ କୋଟି ଟଙ୍କା ହୋଇଥିବାବେଳେ ୨୦୨୨ ମାର୍ଚ୍ଚ ସୁଦ୍ଧା ଏଠାରେ ମାତ୍ର ୮.୦୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଚଳିତ ବଜେଟ୍‍ରେ ଏଥିପାଇଁ ମାତ୍ର ୧୦କୋଟି ଟଙ୍କାର ବରାଦ ହୋଇଛି । ପ୍ରକଳ୍ପର ପ୍ରସ୍ତୁତି ଚୂଡାନ୍ତ ହୋଇନଥିବାବେଳେ ଜମି ଅଧିଗ୍ରହଣ ବି ସରୁନାହିଁ ।

ଅନୁରୂପ ସ୍ଥିତି ବୁଢାମରା-ଚକୁଳିଆ ପ୍ରକଳ୍ପର । ସୂଚନା ଅନୁଯାୟୁ ୨୦୨୨-୨୩ ବଜେଟ୍‍ରେ ଏହି ପ୍ରକଳ୍ପ ପାଇଁ ୧୦୦୦ ଟଙ୍କା ମିଳିଥିବାବେଳେ ୨୦୨୩-୨୪ ବଜେଟ୍‍ରେ ବି ଏଥିପାଇଁ ୧୦୦୦ ଟଙ୍କାର ବ୍ୟବସ୍ଥା ହୋଇଛି । ଏହି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ନୀତି ଆୟୋଗ ଅନୁମୋଦନ କରିନାହାନ୍ତି ।

କିରିବୁରୁ-ବଡବିଲ୍‍ ରେଳ ପ୍ରକଳ୍ପର ବ୍ୟୟଭାର ୭୦୫.୧୭ କୋଟି ଟଙ୍କା ହୋଇଥିବାବେଳେ ଏଥିପାଇଁ ମାତ୍ର ୪.୯ କୋଟି ଟଙ୍କା ମିଳିଛି । ଗତବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରକଳ୍ପରେ ଟଙ୍କା ଟିଏ ବି ଖର୍ଚ୍ଚ ହୋଇନାହିଁ । ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ୮୦ କିଲୋମିଟର ଦୀର୍ଘ କେନ୍ଦୁଝର-ବାଦାମପାହାଡ, ୬୨ କିଲୋମିଟରର ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ୨୨୩ କିଲୋମିଟର ନୀଳିଗିରି-ଟାଟାନଗର ରେଳଲାଇନ୍‍ ପାଇଁ ସର୍ଭେ ଆରମ୍ଭ କରିଛି । ଏଭଳି ସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱରରେ ଏକ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ତାଙ୍କର ଦାବିକୁ ଦୋହରାଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ନହେଲେ ଉତ୍ତରଓଡିଶାକୁ ରେଳବଜେଟରେ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡିବ । ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱର ଲୋକସଭାରେ ବିଜେପି ସାଂସଦ ଥିବାବେଳେ କେନ୍ଦ୍ରର ବିଜେପି ସରକାର କିନ୍ତୁ ଏହି କ୍ଷେତ୍ରକୁ ଲଗାତାର ଭାବେ ଅଣଦେଖା କରୁଛନ୍ତି । (ତଥ୍ୟ)