ଭୁବନେଶ୍ୱର : ଗୋଟିଏ ଅସତ୍ୟ କଥାକୁ ଜୋର୍ ଦେଇ ବାରମ୍ବାର କହିଲେ ତାକୁ ପରେ ଲୋକେ ସତ ବୋଲି ଗ୍ରହଣ କରିନେବେ ବୋଲି ଏକଛତ୍ରବାଦୀ ଶାସକ ହିଟଲରଙ୍କ ପ୍ରଚାର ବ୍ୟାପାର ମନ୍ତ୍ରୀ ଯୋଶେଫ୍ ଗୋବେଲ୍ସ ଯେଉଁ ତତ୍ତ୍ୱ କାଢ଼ିଥିଲେ ତାହାର ପ୍ରୟୋଗ ରେଳ ବିଭାଗ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗାନ୍ଧୀ ବିଚାର ଉପରେ କରିବା ଫଳରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ରେଳ ବିଭାଗ ତ୍ରୁଟି ସଂଶୋଧନ କରିବା ପରିବର୍ତ୍ତେ ପୁରୀ ରେଳଷ୍ଟେସନରେ ବିଭାଗ ପକ୍ଷରୁ ବହୁବର୍ଷ ତଳେ ଲଗାଯାଇଥିବା ଫଳକଟିକୁ ଲୋକେ ଗ୍ରହଣ କରିନେଇଥିବାରୁ ଏହାର ସଂଶୋଧନ ଆବଶ୍ୟକ ନାହିଁ ବୋଲି ବିତଣ୍ଡା ଯୁକ୍ତି ବାଢ଼ୁଛନ୍ତି ।
ପୁରୀ ରେଳଷ୍ଟେସନର ପ୍ରବେଶ ପଥରେ ରେଳବାଇ ପକ୍ଷରୁ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ତିନୋଟି ଫଳକ ଲଗାଯାଇଛି । ଏହି ଫଳକରେ ଉଲ୍ଲେଖ ଅଛି, ‘ଏଠାରୁ ୨୯ କିଲୋମିଟର ଦୂରବର୍ତ୍ତୀ ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଡେଲାଙ୍ଗଠାରେ ଗାନ୍ଧୀ ୧୯୩୯ ମସିହାରେ କିଛିଦିନ ପାଇଁ ଅବସ୍ଥାନ କରିଥିଲେ, ଜଗନ୍ନାଥ ମନ୍ଦିରରେ ହରିଜନମାନଙ୍କ ପ୍ରବେଶ ନିଷିଦ୍ଧ ଥିବାରୁ, ସେ ପ୍ରସିଦ୍ଧ ଶ୍ରୀମନ୍ଦିର ଦର୍ଶନ କରିନଥିଲେ । କସ୍ତୂରବା ଓ ମହାଦେବ ଦେଶାଇ କିଛି ଚିନ୍ତା ନ କରି ଶ୍ରୀମନ୍ଦିର ଦର୍ଶନ କରିଥିବାରୁ ଗାନ୍ଧୀଜୀଙ୍କଠାରୁ ଭର୍ତ୍ସନା ଶୁଣିଥିଲେ ।’
ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଓ ଅସହଯୋଗ ଆନ୍ଦୋଳନର ଶତବାର୍ଷିକୀ ଏବେ ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିଲା । ଏହି ସାତଦିନିଆ ଗସ୍ତ କାଳରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଗସ୍ତ କାଳରେ ଗାନ୍ଧୀଜୀ ଓ କସ୍ତୂରବା ଗୋପବନ୍ଧୁ ଦାସଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହ ତାଙ୍କ ଅନୁଭୂତି ପ୍ରକାଶ କରିଥିଲେ । ତୃତୀୟ ଗସ୍ତ ବେଳେ ଗାନ୍ଧୀଜୀ ୧୯୨୭ ଡିସେମ୍ବର ୧୩ ତାରିଖରେ ବି ପୁରୀ ଆସିଥିଲେ । ଏହାପରେ ତାଙ୍କ ପଞ୍ଚମ ଗସ୍ତ କାଳରେ ୧୯୩୪ ମଇ ୬ ତାରିଖ ରାତିରେ ସେ ପୁରୀରେ ପହଞ୍ଚିଥିଲେ । ସେତେବେଳେ ସେ ଅସ୍ପୃଶ୍ୟତା ନିବାରଣ ପାଇଁ ଦେଶବ୍ୟାପୀ ଜନଜାଗରଣ ସୃଷ୍ଟି କରୁଥିବାରୁ ଯେଉଁ ମନ୍ଦିରକୁ ହରିଜନଙ୍କ ପ୍ରବେଶ ନିଷେଧ ସେଠାକୁ ସେ ଯିବେ ନାହିଁ ବୋଲି ଖୋଲା ବକ୍ତବ୍ୟ ରଖିବା ସହିତ ଶ୍ରୀୟା ଚଣ୍ଡାଳୁଣି ଉପାଖ୍ୟାନ ଦୋହରାଇ ଶ୍ରୀମନ୍ଦିରକୁ ସବୁ ଜାତିର ଲୋକଙ୍କ ପ୍ରବେଶ ଉପରେ ଗୁରୁତ୍ୱ ଦେଇ ଅସ୍ପୃଶ୍ୟତା ହିନ୍ଦୁ ଧର୍ମର ବଡ଼ କଳଙ୍କ ଓ ଏହା ନ ଛଡ଼ାଇଲେ ହିନ୍ଦୁ ଧର୍ମ ଦୁର୍ବଳ ହୋଇଯିବ ବୋଲି ଚେତାବନୀ ଦେଇଥିଲେ ।
ଇତିହାସର ତଥ୍ୟ ଅନୁଯାୟୀ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଗାନ୍ଧୀଜୀ ପୁରୀ ଜିଲ୍ଲାର ବେରବୋଇ ଗାଁ ଗହିରରେ ପ୍ରମୁଖ ସଂଗ୍ରାମୀମାନଙ୍କ ସହ ସାତଦିନ କଟାଇଥିଲେ । ଏଠାରୁ କସ୍ତୂରବା ଆଉ ଦୁଇଜଣଙ୍କ ସହ ପୁରୀଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିବାରୁ ଗାନ୍ଧୀଜୀ ଦୁଃଖବ୍ୟକ୍ତ କରିଥିଲେ । ତେବେ ଇତିହାସର ବିକୃତୀକରଣ କରି ପୁରୀ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ମନରେ ରେଳବାଇ କର୍ତ୍ତୃପକ୍ଷ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗାନ୍ଧୀଜୀଙ୍କ ସମ୍ପର୍କରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଫଳକ ମାଧ୍ୟମରେ ପ୍ରଦର୍ଶନ କରି ନକାରାତ୍ମକା ବାର୍ତ୍ତା ଦେଉଥିବା ଘେନି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ପୁଣିଥରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତ୍ରୁଟି ସଂଶୋଧନ ଲାଗି ନିବେଦନ କରିଛନ୍ତି । ପୁରୀ ରେଳଷ୍ଟେସନକୁ ଗାନ୍ଧୀଜୀ ୧୯୨୧ ମାର୍ଚ୍ଚ ୨୭ ଓ ୨୯, ୧୯୨୭ ଡିସେମ୍ବର ୧୩, ୧୯୩୪ ମେ’ ୬ ତାରିଖରେ ଆସିଥିବା ଘେନି ରେଳ କର୍ତ୍ତୃପକ୍ଷ ଫଳକରେ ସୂଚନା ଦେବାକୁ ସେ କହିଛନ୍ତି ।