Home News in Odia ରେଳ ଦୁର୍ଘଟଣା ତଳ ମୁହାଁ

ରେଳ ଦୁର୍ଘଟଣା ତଳ ମୁହାଁ

ଭୁବନେଶ୍ୱର : ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ତଳମୁହାଁ ହୋଇଛି । ବିଗତ ଚାରିବର୍ଷ ଧରି ଲଗାତାର ଭାବେ ରେଳ ଦୁର୍ଘଟଣା ହ୍ରାସ ପାଉଥିବା ନେଇ ଲୋକସଭାରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ୨୦୨୨-୨୩ ବର୍ଷରେ ଦେଶରେ ୪୮ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୨୦୨୩-୨୪ ବର୍ଷୋର ଏହା ୪୦କୁ ହ୍ରାସ ପାଇଥିଲା । ସେହିଭଳି ୨୦୨୪-୨୫ ବର୍ଷରେ ୩୧ଟି ରେଳ ଦୁର୍ଘଟଣା ରେକର୍ଡ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଜୁନ୍‍ ଶେଷ ପର୍ଯ୍ୟନ୍ତ ଦେଶରେ ମାତ୍ର ୩ଟି ରେଳ ଦୁର୍ଘଟଣା ଘଟିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ତେବେ ଏହି ଉତ୍ତରରେ ଦର୍ଶାଯାଇଛି ଯେ ୨୦୦୫-୦୬ ବର୍ଷରେ ଦେଶରେ ୨୩୪ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୨୦୦୯-୧୦ରେ ଏହି ସଂଖ୍ୟା ୧୬୫ ଏବଂ ୨୦୧୪-୧୫ ରେ ୧୩୫ ରହିଥିଲା । ଏହା ପରଠାରୁ ରେଳ ଦୁର୍ଘଟଣାର ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରେଳ ଦୁର୍ଘଟଣାରେ ମୃତାହତମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯ।।ଉଛି । ବିଗତ ୫ବର୍ଷ ଅର୍ଥାତ୍‍ ୨୦୨୦-୨୧ ରୁ ୨୦୨୪-୨୫ ବର୍ଷ ମଧ୍ୟରେ ଏ ବାବଦରେ ମୃତାହତମାନଙ୍କ ନିକଟ ସମ୍ପର୍କୀୟଙ୍କୁ ପାଖାପାଖି ୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରେଳ ସୁରକ୍ଷାକୁ ବଢାଇବାପାଇଁ ଭାରତୀୟ ରେଳବାଇ ବର୍ଷକୁ ବର୍ଷ ଏ ବାବଦୀୟ ଖର୍ଚ୍ଚ ପରିମାଣ ବଢାଇବାରେ ଲାଗିଛି । ୨୦୧୩-୧୪ ରେ ଏଥିପାଇଁ ୩୯,୪୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୧୬ହଜାର କୋଟି ଟଙ୍କାରୁ ଅଧିକ ବ୍ୟୃୟବରାଦ କରାଯାଇଛି । ଏଥିରେ ରେଳଲାଇନ୍‍ଗୁଡିକର ରକ୍ଷଣା ବେକ୍ଷଣ, ମରାମତି, ଯନ୍ତ୍ରପାତିର ରକ୍ଷଣା ବେକ୍ଷଣ, ରେଳ ଓଭରବ୍ରିଜ୍‍ ନିର୍ମାଣ, ସିଗ୍ନାଲ ଓ ଟେଲିକମ୍‍ ସହିତ ଟ୍ରାକର ଉନ୍ନତିକରଣ ଆଦି କାର୍ଯ୍ୟ ଅର୍ନ୍ତଭୁକ୍ତ ରହିଛି ।

ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବାପରେ ୬୬୩୫ ଷ୍ଟେସନରେ ଇଲେକ୍ଟ୍ରିକାଲ ଓ ଇଲେକଟ୍ରୋନିକ୍ସ ଇଣ୍ଟରଲକିଂ ବ୍ୟବସ୍ଥାକୁ ସେଣ୍ଟ୍ରାଲାଇଜ୍‍ କରାଯାଇଛି ଯାହା ଫଳରେ ମଣିଷଙ୍କ ଭୁଲ୍‍ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇ ପାରିଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ୧୧,୦୯୬ଟି ରେଳ ଫାଟକରେ ଇଣ୍ଟରଲକିଂ ଲେଭଲକ୍ରସିଂ ବ୍ୟବସ୍ଥା କରାଯାଇଛି ।

ରେଳ ଦୁର୍ଘଟଣାକୁ ରୋକିବାପାଇଁ ୨୦୨୦ ମସିହାରେ କାର୍ଯ୍ୟକାରୀ ହୋଇଥିବା କବଚ ବ୍ୟବସ୍ଥାକୁ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ କେନ୍ଦ୍ର ଏବଂ ଉତ୍ତର କେନ୍ଦ୍ର ରେଳବାଇରେ ୧୫୪୮ କିଲୋମିଟରରେ କାର୍ଯ୍ୟକାରୀ ହୋଇଛି । ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡା କରିଡରର ୩୦୦୦ କିଲୋମିଟର ରେଳଲାଇନ୍‍ରେ ଏହି କାର୍ଯ୍ୟ ଜାରି ରହିଛି । ଚଳିତବର୍ଷ ଜୁନ୍‍ ଶେଷସୁଦ୍ଧା ୨୨୦୦ କିଲୋମିଟରରେ କବଚ କାର୍ଯ୍ୟ ଶେଷ ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)