Home News in Odia ରେଳ ଦୁର୍ଘଟଣାର ଅଧିକାଂଶ କାରଣ ଲାଇନ୍‍ଚ୍ୟୁତ

ରେଳ ଦୁର୍ଘଟଣାର ଅଧିକାଂଶ କାରଣ ଲାଇନ୍‍ଚ୍ୟୁତ

ଭୁବନେଶ୍ୱର : ଦେଶରେ ଯେତିକି ରେଳ ଦୁର୍ଘଟଣା ଘଟୁଛି ସେଥିରୁ ସଂଖ୍ୟାଧିକ ହେଉଛି ରେଳଗାଡିର ଲାଇନଚ୍ୟୁତ ଜନିତ । ୨୦୨୧-୨୨ ରେ ଦେଶରେ ଘଟିଥିବା ମୋଟ ୩୫ଟି ରେଳ ଦୁର୍ଘଟଣା ମଧ୍ୟରୁ ୨୭ ଲାଇନ୍‍ଚ୍ୟୁତ ହୋଇଥିବାବେଳେ ୨୦୨୨-୨୩ରେ ୪୮ଟି ଦୁର୍ଘଟଣା ମଧ୍ୟରୁ ୩୬ଟି ଲାଇନଚ୍ୟୁତ ଜନିତ ।

ତେବେ ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ରେଳ ଦୁର୍ଘଟଣା ଆଶାତୀତ ଭାବେ ହ୍ରାସ ପାଇଛି । ୨୦୦୦-୦୧ ରେ ଦେଶରେ ୪୭୩ଟି ରେଳ ଦୁର୍ଘଟଣା ରେକର୍ଡ ହୋଇଥିବାବେଳେ ୨୦୨୧-୨୨ ରେ ଏହା ମାତ୍ର ୨୨କୁ ହ୍ରାସ ପାଇଥିଲା । ତେବେ ୨୦୨୦-୨୧ ରୁ ଲଗାତାର ଦୁଇବର୍ଷ ଧରି ଦେଶରେ କରୋନ ସଂକ୍ରମଣ ଲାଗି ରହିଥିବାରୁ ଅଧିକାଂଶ ରେଳ ଚଳାଚଳ ବାତିତ ହୋଇଥିଲା । ଏହା ପରେ ଅର୍ଥାତ୍‍ ୨୦୨୨-୨୩ ରେ ରେଳ ଚଳାଚଳ ପୁନଃ ଆରମ୍ଭ ହେବାରୁ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଏହା ସେହିବର୍ଷ ୫୦ ତଳେ ରହିଥିଲା । ତେବେ ୨୦୦-୪ ରୁ ୨୦୧୪ ମଧ୍ୟରେ ବାର୍ଷିକ ହାରାହାରି ରେଳ ଦୁର୍ଘଟଣା ୧୭୧ ରହିଥିବାବେଳେ ୨୦୧୪ ରୁ ୨୦୨୩ ମଧ୍ୟରେ ଏହା ହାରାହାରି ୭୧ ରହିଛି ।

ବିଗତ ୨୨ବର୍ଷ ମଧ୍ୟରେ ରେଳ ଦୁର୍ଘଟଣା ସଂଖ୍ୟା ୧୦ଗୁଣ ହ୍ରାସ ପାଇବା ପଛରେ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ରହିଛି । ଏଥି ମଧ୍ୟରେ ୨୦୧୭-୧୮ ରେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ (ଆରଆରଏସକେ) ଗଠନ କରିଛନ୍ତି । ଏଥିରେ ଏକ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ୨୦୧୭-୧୮ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଏହି ଯୋଜନାରେ ଏକ ଲକ୍ଷ ୮ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସେହିଭଳି ରେଳବାଇ ପକ୍ଷରୁ ଇଲେକଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ୬୪୨୭ଟି ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏହାଦ୍ୱାରା ମାନବ ଜନିତ ତ୍ରୁଟି ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ବହୁ ପରିମାଣରେ ରୋକାଯାଇ ପାରିଛି । ଅନୁରୂପ ଭାବେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ୧୧ହଜାରରୁ ଅଧିକ ରେଳ ଫାଟକରେ ଏହି ସମୟ ଇଣ୍ଟରଲକିଂ ଫାଟକ ଲଗାଯାଇଛି ।

ଅନୁରୂପ ଭାବେ ରେଳ ଧାରଣାଗୁଡିକରେ ହେଉଥିବା ୱେଲଡିଂକୁ ରୋକିବାପାଇଁ ୧୩୦ ମିଟରରୁ ୨୬୦ ମିଟର ଦୈର୍ଘଟର ରେଳଲାଇନ୍‍ ବିଛାଇବା କାର୍ଯ୍ୟ ହାତକୁ ନିଆଯାଇଛି । ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁଥ ହୋଇପାରିବ । ସେହିଭଳି ରେଳ କର୍ମଚାରୀମାନଙ୍କୁ ନିୟମିତ ସୁରକ୍ଷା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଉଛି । ରେଳ ଧାରଣାଗୁଡିକରେ କେଉଁଠାରେ କି ପ୍ରକାର ରକ୍ଷଣା ବେକ୍ଷଣ ଆବଶ୍ୟକ ତାହା ଜାଣିବାପାଇଁ ଅନ୍‍ଲାଇନ୍‍ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । (ତଥ୍ୟ)