ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଖୋରଧା-ବଲାଙ୍ଗିର ରେଳପଥ ପାଇଁ ଆବଶ୍ୟକ ହେଉଥିବା ୫୮୯୪.୬୧୮ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଲାଗି ପ୍ରଥମ ଯର୍ପ୍ୟାୟ ଅନୁମତି ପାଇଁ ପୂର୍ବ ତଟ ରେଳବାଇ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ପୂବତଟ ରେଳବାଇ କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟ କିସମ ପରିବର୍ତ୍ତନ ଅନୁମତି ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି । ନୟାଗଡ ଏବଂ ବୌଦ ଜିଲ୍ଲାରେ ଏହି ଜଙ୍ଗଲ ଜମି ଥିବାବେଳେ ଏଠାରେ ୧୧୨ ରୁ ୧୮୦ କିଲୋମିଟର ରେଳପଥ ନିର୍ମାଣ ହେବ । ଅଭୟାରଣ୍ୟ ଏବଂ ସମ୍ବେଦନଶୀଳ ପରିବେଶ ଜେନ୍ରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ସୁପ୍ରିମ୍କୋର୍ଟ ଗତବର୍ଷ ଜୁନ ମାସରେ କଟକଣା ଜାରି କରିଥିଲେ ।
ତେଣୁ ଭାରତୀୟ ରେଳବାଇ କିମ୍ବା ଏହାର ସହଯୋଗୀ ସଂସ୍ଥାଙ୍କ ପାଇଁ ନିର୍ମାଣ ଉପରେ କଟକଣା ରହିଛି କି ନାହିଁ ତାହା ଜାଣିବାକୁ ରେଳବାଇ କର୍ତ୍ତୃପକ୍ଷ ସ୍ପଷ୍ଟିକରଣ ଚାହିଁଥିଲେ । ଅଦାଲତ ତାଙ୍କ ରାୟରେ କହିଥିଲେ ଯେ ଆମେ ଏଭଳି ଅନୁମତି ଦେବାକୁ ଇଚ୍ଛୁକ । ଗତବର୍ଷ ଜୁନ୍ ମାସରେ ଦିଆଯାଇଥିବା ରାୟ ଭାରତୀୟ ରେଳବାଇ କିମ୍ବା ଏହାର ସହଯୋଗୀ ସଂସ୍ଥା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଅଦାଲତ କହିଥିଲେ ।
ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଭଳି କାର୍ଯ୍ୟ କରିବା ପୂର୍ବରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ଅନୁମତି ନେବା ସହିତ ଜାତୀୟ ବନ୍ୟ ପ୍ରାଣୀ ବୋର୍ଡର ଷ୍ଟାଣ୍ଡିଂ କମିଟିରୁ ମଧ୍ୟ ଅନୁମତି ନେବାକୁ ପଡିବ । ବନ୍ୟଜନ୍ତୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ କୁହାଯାଇଥିଲା ।
ଭାରତ ସରକାର ମଧ୍ୟ ୨୦୧୧ ଫେବୃୟାରୀ ମାସରେ ଜାରି କରିଥିବା ମାର୍ଗଦର୍ଶିକାରେ ସମ୍ବେଦନଶୀଳ ପରିବେଶ ଜୋନ୍ରେ ବିଭିନ୍ନ କାର୍ଯ୍ୟକଳାପ ଓ କଟକଣା ସଂକ୍ରାନ୍ତରେ ଉଲ୍ଲେଖ ରହିଛି । ତେବେ ଏହି ମାର୍ଗଦର୍ଶିକାରେ ରେଳବାଇ ନିର୍ମାଣ ଉପରେ କୌଣସି କଟକଣା ନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଅନୁମତି ପ୍ରଦାନ କରୁନଥିବାରୁ ଏହି ବହୁ ପ୍ରଚାରିତ ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଛି ।
ତେବେ ୨୮୯ କିଲୋମିଟର ଦୈର୍ଘ୍ୟ ଖୋରଧା-ବଲାଙ୍ଗିର ରେଳପଥ ମଧ୍ୟରୁ ୧୧୫.୫୬ କିଲୋମିଟର କାର୍ଯ୍ୟକାରୀ ହୋଇଛି । ମୋଟ ରେଳପଥ ଦୁଇ ଭାଗରେ ବିଭକ୍ତ ହୋଇଛି । ପ୍ରଥମ ଭାଗରେ ଶୂନ ରୁ ୧୧୨ କିଲୋମିଟର ଥିବାବେଳେ ଦ୍ୱିତୀୟ ଭାଗରେ ୧୧୨ ରୁ ୨୮୯ କିଲୋମିଟର ରହିଛି । ପ୍ରଥମ ଭାଗର ରେଳ ଲାଇନ୍ ପାଇଁ ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ଅର୍ଥ ଦେଉଥିବାବେଳେ ଦ୍ୱିତୀୟ ଭାଗ ପାଇଁ ଓଡିଶା ସରକାର ମାଗଣାରେ ଜମି ଯୋଗାଇବା ସହିତ ନିର୍ମାଣ କାର୍ଯ୍ୟର ୫୦ ପ୍ରତିଶତ ଅର୍ଥ ଯୋଗାଇଦେବେ । (ତଥ୍ୟ)