Home Education ରେଭେନ୍ସାରେ ପଦବୀ ଖାଲି

ରେଭେନ୍ସାରେ ପଦବୀ ଖାଲି

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଖୁବ୍‍ଶୀଘ୍ର ନ୍ୟାକ୍‍ ଟିମ୍‍ ଆସିବେ । ଏଥିଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବା ପରିପ୍ରେକ୍ଷିରେ ଉଚ୍ଚମାନର ନ୍ୟାକ୍‍ ଗ୍ରେଡ୍‍ ହାସଲ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସାଜିପାରେ ବୋଲି ଶିକ୍ଷାବିତ, ଅଭିଭାବକ ଓ ଛାତ୍ରଛାତ୍ରୀ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଓଡ଼ିଶାର ସର୍ବପୁରାତନ କଲେଜ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବାପରେ ୨୦୧୬ ମସିହାରେ ‘ଏ’ଗ୍ରେଡ୍‍ ନ୍ୟାକ୍‍ ମାନ୍ୟତା ହାସଲ କରିଥିଲା । ଇତି ମଧ୍ୟରେ ଏହି ନ୍ୟାକ୍‍ ଗ୍ରେଡ୍‍ର ଅବଧି ସରିଯାଇଛି ଏବଂ ନୂଆ ନ୍ୟାକ୍‍ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି । ନ୍ୟାକ୍‍ ପରିଦର୍ଶକ ମଣ୍ଡଳୀ ଚଳିତବର୍ଷ ଶେଷ ପୂର୍ବରୁ ରେଭେନ୍ସା ଆସିବା ସମ୍ଭାବନା ଥିବାରୁ ବିଶ୍ୱବିଦ୍ୟାଳୟର କୋଠାବାଡି, ରାସ୍ତାଘାଟ, ଶ୍ରେଣୀଗୃହ, ଛାତ୍ରାବାସ, ପାଠାଗାର ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତି ବିଭାଗକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମୋଟା ଅଙ୍କର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଏବଂ ସମ୍ପୃକ୍ତ ବିଭାଗର ମୁଖ୍ୟ ଏହି ଅର୍ଥ ବ୍ୟୟ କରି ଭିତ୍ତିଭୂମିର ବିକାଶ ଆଣିବେ ବୋଲି କୁହାଯାଉଛି ।

ରାଜ୍ୟ ବିଧାନସଭାରେ ଗତ ବଜେଟ୍‍ ଅଧିବେଶନ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ରେଭେନ୍ସାରେ ୨୬୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ଅନ୍ୟୁନ ୧୫୬ଟି ଖାଲି ପଡିଥିଲା । ଏହି ବିଶ୍ୱବିଦ୍ୟାଳୟ ଲାଗି ୨୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୨୦ଟି ଖାଲି ରହିଥିଲା । ଏବେ ଖାଲି ପଡିଥିବା ପ୍ରଫେସର ପଦବୀ ସଂଖ୍ୟା ଅଧିକ ହୋଇପାରେ । ରେଭେନ୍ସା ଲାଗି ୭୧ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ବି ୫୨ଟି ଖାଲି । ମୋଟାମୋଟି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଖାପାଖି ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବହୁ ବିଭାଗରେ ପ୍ରଫେସର ନାହାନ୍ତି ।

ଗତଥର ଉତ୍କଳ ବିଶ୍ୱବିଦ୍ୟାଳୟ ନ୍ୟାକ୍‍ର ‘ଏ ପ୍ଲସ୍‍’ ଗ୍ରେଡ୍‍ ମାନ୍ୟତା ପାଇଥିଲା । ଏଥର ଏହି ଗ୍ରେଡ୍‍ ବଢିବା ପରିବର୍ତ୍ତେ କମିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଉତ୍କଟ ଶିକ୍ଷକ ଓ କର୍ମଚାରୀ ଅଭାବ ସହିତ ଛାତ୍ର ପ୍ରତିନିଧିତ୍ୱର ଅଭାବ ଓ ଅନ୍ୟ ଯେଉଁସବୁ କାରଣ ଲାଗି ନ୍ୟାକ୍‍ ଗ୍ରେଡ୍‍ କମିଲା ସେହି ସମସ୍ୟା ରେଭେନ୍ସାରେ ମଧ୍ୟ ଉତ୍କଟ ଅବସ୍ଥାରେ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଲାଗି ମାତ୍ର ୮୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୩୮ଟି ଖାଲି ପଡିଥିବା ଘେନି ବିଧାନସଭାରେ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଥିଲା । ମୋଟାମୋଟି ଭାବେ ଅତିଥି ବା ଠିକା ଶିକ୍ଷକ ଏବଂ ଠିକା କର୍ମଚାରୀଙ୍କୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କଷ୍ଟେମଷ୍ଟେ ଚାଲିଛି ।

ଦୀର୍ଘବର୍ଷ ଧରି ରେଭେନ୍ସାରେ ବି ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଏ ପରିପ୍ରେକ୍ଷୀରେ କୋଠାବାଡିରେ ରଙ୍ଗ ମାରିବା ସହ ଟେବୁଲ ଚୌକିର ନବୀକରଣ କରାଗଲେ ତାହା ନ୍ୟାକ୍‍ ପରିଦର୍ଶନ କାରୀଙ୍କୁ କେତେଦୂର ପ୍ରଭାବିତ କରିବ ତାହା ଏକ ପ୍ରଶ୍ନବାଚୀ । ତେବେ ରେଭେନ୍ସା ପାଇଁ ଗର୍ବର କଥା ହେଉଛି ଯେ ଏହି ଅନୁଷ୍ଠାନ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ସର୍ବାଧିକ ଗବେଷକଙ୍କୁ ପିଏଚ୍‍ଡି ପ୍ରଦାନ କରିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ ଆଇନଗତ ବିବାଦ ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରଭାବିତ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ କରିବା ପାଇଁ ଯେଉଁ ନୂଆ ଆଇନ ଆଣିଲେ ତାହାର ବୈଧତା ଘେନି ଏବେ ସୁପ୍ରିମ୍‍କୋର୍ଟରେ ମାମଲା ଚାଲୁଥିବାରୁ ରେଭେନ୍ସା ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି ଏକପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ।

ଗୋଟିଏପଟେ ଅଭିଜ୍ଞ ଅଧ୍ୟାପକ ଓ ପ୍ରଧ୍ୟାପକମାନେ ବିନା ପଦୋନ୍ନତିରେ ଅବସର ଗ୍ରହଣ କରୁଥିବାବେଳେ ଅନ୍ୟପଟେ ପ୍ରଫେସର ଓ ସହଯୋଗୀ ପ୍ରଫେସର ପାହ୍ୟାରେ ବହୁ ପଦବୀ ଖାଲି ରହୁଛି । ମୋଟାମୋଟି ଭାବେ ରେଭେନ୍ସା ସମେତ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ହଜାରେରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଦେଢ ହଜାରରୁ ଊର୍ଦ୍ଧ୍ୱ ଅଣଶିକ୍ଷକ ପଦବୀ ଖାଲି ପଡିଛି । (ତଥ୍ୟ)