Home General ରେଡ୍‌କ୍ରସକୁ ସହାୟତା ୫୦ ଲକ୍ଷକୁ ବୃଦ୍ଧି

ରେଡ୍‌କ୍ରସକୁ ସହାୟତା ୫୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର : ଯୁବ ରେଡ୍‌କ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

 ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନରହରି ସେଠୀ, ଭାରତୀୟ ରେଡ୍‌କ୍ରସ ସୋସାଇଟିର ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡ୍‌କ୍ରସ୍‌ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଯୁବ ରେଡ୍‌କ୍ରସ୍‌ ଅଧିକାରୀଗଣ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ରେଡ୍‌କ୍ରସ୍‌ ସମ୍ବନ୍ଧୀୟ ବିଶଦ ତଥ୍ୟ ଉପରେ ଆଲୋଚନା କରିଥିଲେ ।

ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା । ରେଡ୍‌କ୍ରସ୍‌ ସଦସ୍ୟମାନଙ୍କ ଯାତାୟତ ଖର୍ଚ୍ଚ ତିନି ଲକ୍ଷ ଷାଠିଏ ହଜାର ଟଙ୍କା ଓ ସମୁଦାୟ ରେଡ୍‌କ୍ରସ୍‌ ପୁରସ୍କାର ସଂଖ୍ୟା ୩୩କୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ରେଡ୍‌କ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଯଥା: ବୃକ୍ଷରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଚ୍‌ଆଇଭି (ଏଡ୍‌ସ) ସଚେତନତା, ରକ୍ତଦାନ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଭଳି କାର୍ଯ୍ୟକ୍ରମକୁ ଆହୁରି ଜୋରସୋର୍‌ରେ ଆଗେଇନେବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।

ବିଶେଷକରି ମାଲକାନ୍‌ଗିରି, କୋରାପୁଟ, ରାୟଗଡ଼ା ଆଦି ଅଣଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪୦୦ରୁ ଊର୍ଦ୍ଧ ରେଡ୍‌କ୍ରସ୍‌ ସେ୍ୱଚ୍ଛାସେବୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚ ପ୍ରଶଂସା କରିଥିଲେ ।  ଶେଷରେ ଡ. ରମେଶ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।