କଟକ : ପ୍ରତିବର୍ଷ ଆନ୍ତର୍ଜାତୀୟ ସ୍ତରରେ ସ୍ଵଚ୍ଛାସେବୀ ସଂଗଠନ ମାନଙ୍କ ନେତୃତ୍ୱରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନ କରାଯାଏ । ଏହା ୨୫ ନଭେମ୍ବର ଆନ୍ତର୍ଜାତୀୟ ମହିଳା ହିଂସା ଦୂରୀକରଣ ଦିବସରୁ ଆରମ୍ଭ ହୋଇ ୧୦ ଡିସେମ୍ବର, ମାନବ ଅଧିକାର ଦିବସରେ ଶେଷ ହୁଏ, ଯେଉଁଥିରେ ଦର୍ଶାଯାଇଛି ଯେ ମହିଳାଙ୍କ ପ୍ରତି ହେଉଥିବା ହିଂସା ବିଶ୍ୱବ୍ୟାପୀ ମାନବିକ ଅଧିକାରର ଉଲ୍ଲଂଘନ ଅଟେ। ସର୍ବଭାରତୀୟ ସ୍ତରରେ, ଆନୁମାନିକ ୭୩୬ ନିୟୁତ ମହିଳା – ପ୍ରାୟ ତିନିଜଣଙ୍କ ମଧ୍ୟରୁ ଜଣେ – ଅନ୍ତରଙ୍ଗ ସାଥୀ ଦ୍ଵାରା ଶାରୀରିକ ଏବଂ / କିମ୍ବା ଯୌନ ହିଂସା, ଅଣ-ସହଭାଗୀ ଯୌନ ହିଂସା କିମ୍ବା ଉଭୟ, ଜୀବନରେ ଅତି କମରେ ଥରେ ଅନୁଭବ କରିଛନ୍ତି । କେବଳ ଗତ ବର୍ଷରେ, ୮ ଜଣରେ ଜଣେ ମହିଳା ଏବଂ ବାଳିକା (୧୫-୪୯ ବର୍ଷ ବୟସ ମଧ୍ୟରେ) ଅନ୍ତରଙ୍ଗ ସାଥି ହିଂସାର ସମ୍ମୁଖୀନ ହୋଇଥିଲେ। ୧୯୯୧ ରେ ମହିଳା ଗ୍ଲୋବାଲ ଲିଡରସିପ୍ ଇନଷ୍ଟିଚ୍ୟୁଟରେ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଏହି ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ସେହିଦିନ ଠାରୁ ମହିଳା ଓ ବାଳିକା (VAWG) ହିଂସା ରୋକିବା ତଥା ବିଲୋପ ପାଇଁ ମିଳିତ ଜାତିସଂଘ ଓ ଏହାର ସାଥି ସଂଗଠନ ଓ ଅନୁଷ୍ଠାନ ସମେତ ବ୍ୟକ୍ତିବିଶେଷ ତଥା ସଂଗଠନମାନଙ୍କୁ ଏକତ୍ରିତ କରାଯାଇଆସୁଅଛି ।
ରେଡିଓ ସମ୍ପର୍କ ୮୯.୬ ସ୍ବେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ପରିଚାଳିତ ଏକ ଗୋଷ୍ଟୀ ବେତାର କେନ୍ଦ୍ର । ଏହି କେନ୍ଦ୍ର ଲିଙ୍ଗ ଭିତ୍ତିକ ହିଂସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ମାର୍ଟ ସଂଗଠନ ସହଯୋଗରେ କଟକ ଜିଲ୍ଲାର ନିଶିନ୍ତକୋଇଲି ବ୍ଲକ ଓ ମାହାଙ୍ଗା ବ୍ଲକରେ ୧୬ ଦିନିଆ ଅଭିଯାନ ଆୟୋଜନ କରିଥିଲା । ଏହି ଅଭିଯାନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୧୦ ଡିସେମ୍ବର ୨୦୨୪ ରେ ସମାପ୍ତ ହୋଇଥିଲା। ଏହି ଅଭିଯାନ ହିଂସାର ବ୍ୟାପକତା ଏବଂ ପ୍ରଭାବ ବିଷୟରେ ସମ୍ପ୍ରଦାୟକୁ ସଚେତନ କରିବା ଏବଂ ପ୍ରତିରୋଧ ପାଇଁ ମିଳିତ ଭାବରେ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପ୍ରଦାୟକୁ ଜଡିତ କରିବା ପାଇଁ ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରାଯାଇଥିଲା ଯଥା ସଚେତନତା ରାଲି, ସଭା, ରଙ୍ଗୋଲି, ଗୀତ, ଚିତ୍ରକଳା ମାଧ୍ୟମରେ ସୃଜନଶୀଳ ସନ୍ଦେଶ, କବିତା, ସ୍ଲୋଗାନ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅଧିବେଶନ ଇତ୍ୟାଦି । ଏହି ଅଭିଯାନର ସନ୍ଦେଶ ପ୍ରାୟ ୫୦୦୦୦ ଲୋକଙ୍କ ପାଖରେ ପହଞ୍ଚିଥିଲା ।
ଏହି ପ୍ରୟାସ ସମସ୍ତଙ୍କ ପାଇଁ ଏକ ନିରାପଦ ତଥା ସମାନତା ଉପରେ ଆଧାରିତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲା ଓ ସେମାନଙ୍କର ଦୈନଦିନ ଜୀବନରେ ଲିଙ୍ଗ ଭିତ୍ତିକ ହିଂସାକୁ ଦୂର କରିବା ନିମନ୍ତେ ସମସ୍ତଙ୍କର ସକ୍ରିୟ ଭାଗୀଦାରୀତାକୁ ଉତ୍ସାହିତ କରିଥିଲା । ଏହି ଅଭିଯାନରେ ରେଡିଓ ସମ୍ପର୍କର ସୁଶ୍ରୀ ଶୈଲାନୀ ସୁମନ, ଗାୟତ୍ରୀ ତ୍ରିପାଠୀ, ଶୁଭଲକ୍ଷ୍ମୀ ପଣ୍ଡା, ଜଗତମୋହିନୀ ଦାଶ ଏବଂ ଭବାନୀ ଶଙ୍କର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।